କରୋନା ପ୍ରତିହତ ପାଇଁ ଟିକାକରଣ ଆବଶ୍ୟକ

କଟକ ଅଫିସ, ୨୦ା୧: କଟକ ଜିଲାରେ ଗତ ୧୬ ତାରିଖଠାରୁ କରୋନା ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲାର ସମସ୍ତ ସ୍ବାସ୍ଥ୍ୟକର୍ମୀ, ନର୍ସ, ଡାକ୍ତର, ସଫେଇ କର୍ମଚାରୀ ଟିକା ଗ୍ରହଣ କରି ନିଜକୁ କିଭଳି ସୁରକ୍ଷିତ ରଖିପାରିବେ, ସେଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ବିଶେଷକରି ପ୍ରଫେସର, ଡାକ୍ତର, ବିଶେଷଜ୍ଞ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଜିଲାପାଳ ଭବାନୀ ଶଙ୍କର ଚୟନୀ ଭେଟି ଟିକା ନେବା ପାଇଁ ଉତ୍ସାହିତ କରିଛନ୍ତି। କରୋନା ପ୍ରତିହତ ପାଇଁ ଟିକାକରଣ ଆବଶ୍ୟକ ବୋଲି ଜିଲାପାଳ କହିଛନ୍ତି। ବିଭିନ୍ନ ଟିକାକରଣ କେନ୍ଦ୍ର ଜିଲାପାଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ମନୋବଳ ଦୃଢ଼ କରିଛନ୍ତି। ଏହି ପରିପ୍ରେକ୍ଷୀରେ ହୃଦ୍‌ରୋଗ ବିଶେଷଜ୍ଞ ହୃଦାନନ୍ଦ ମିଶ୍ର କହିଛନ୍ତି, ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ଡାକ୍ତର ହିସାବରେ ମୁଁ ପ୍ରଥମେ ଟିକା ନେଇଥିଲି। ଦୁଇଦିନ ହେବ ଟିକା ନେଇ ସାରିବା ପରେ ମୁଁ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରିନାହିଁ। ଅଶ୍ୱିନୀ ହସ୍ପିଟାଲ ନିର୍ଦ୍ଦେଶକ ପ୍ରଫେସର ସୁବ୍ରତ ଜେନା କହିଛନ୍ତି, ଭୟଭୀତ ନ ହୋଇ ଟିକା ଗ୍ରହଣ କରି ନିଜ ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଯାଇପାରିବ। ଦୁଇଦିନ ହେବ ଟିକା ନେବା ପରେ ମୁଁ ସୁସ୍ଥ ଅନୁଭବ କରୁଛି। ତେଣୁ ସମସ୍ତେ ଟିକା ନିଅନ୍ତୁ। ସେହିପରି ଅଶ୍ୱିନୀ ହସ୍ପିଟାଲର ପ୍ରଫେସର ମାୟା ଗନ୍ତାୟତ କହିଛନ୍ତି, ଭାରତରେ ପ୍ରସ୍ତୁତ ଟିକାକୁ ବିନା ଭୟରେ ସ୍ବାସ୍ଥ୍ୟକର୍ମୀମାନେ ନେବା ଉଚିତ। ଦୁଇଦିନ ହେବ ଟିକା ନେଇ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଏଣୁ ଏହି ଟିକାକରଣ ସମ୍ବନ୍ଧରେ କରାଯାଉଥିବା ଅପପ୍ରଚାର ଓ ଭ୍ରାନ୍ତଧାରଣାରୁ ଦୂରେଇ ରୁହନ୍ତୁ। ପ୍ରଫେସର ଡା. ଜୟନ୍ତ ପଣ୍ଡା କହିଛନ୍ତି, ଗତ ଶନିବାର ଟିକା ନେବା ପରେ ମୋର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଲକ୍ଷଣ ନାହିଁ। ଆପଣମାନେ ଟିକା ନିଅନ୍ତୁ, ନିଜେ ସୁରକ୍ଷିତ ରହିବା ସହ ଦେଶବାସୀଙ୍କୁ ସୁରକ୍ଷିତ ରଖନ୍ତୁ। ଅଶ୍ୱିନୀ ହସ୍ପିଟାଲର ଡା. ସମ୍ପତ ଦାଶ କହିଛନ୍ତି, ମୁଁ ଦୁଇଦିନ ହେବ ଟିକା ନେଇଛି। ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ମୋର ବିଶ୍ୱାସ ସୃଷ୍ଟି ହୋଇଛି ଯେ ଏହି ଟିକା ଦ୍ୱାରା କରୋନାକୁ ମାତ୍‌ ଦେଇହେବ। ଆପଣମାନେ ଭୟଭୀତ ନ ହୋଇ ଟିକା ଗ୍ରହଣ କରନ୍ତୁ।