ଏବେ ୫ ମହାନଗର ନିଗମରେ ଟିକାକରଣ

ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟକୁ ଶନିବାର ଆସିଥିବା ୧ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା କେବଳ ୫ଟି ମହାନଗର ନିଗମରେ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶନିବାର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର ଏବଂ ଜିଲା ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ଫଣ୍ଡ୍‌ରୁ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା ହୋଇଛି। ବର୍ତ୍ତମାନ ଟିକା ଉତ୍ପାଦନକାରୀ ସଂସ୍ଥା କମ୍‌ ପରିମାଣର ଟିକା ଯୋଗାଣ ପାଇଁ ସକ୍ଷମ ଥିବାରୁ ଆମେ ଏହି ବର୍ଗର ଟିକାକରଣ କେବଳ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମରେ ଆରମ୍ଭ କରୁଛୁ। ଯେତେବେଳେ ଟିକା ଯୋଗାଣ ବୃଦ୍ଧି ପାଇବ, ସେତେବେଳେ ଅନ୍ୟ ଜିଲାରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ ବୋଲି ମହାପାତ୍ର ଚିଠିରେ ଲେଖିଛନ୍ତି। ପ୍ରତିଦିନ ସକାଳ ୮ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଟିକାକରଣ ଚାଲିବ। ଏହାପରେ ୪୫ ଏବଂ ଊର୍ଦ୍ଧ୍ୱ ବୟସ୍କଙ୍କୁ ଅପରାହ୍ନ ୩ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକା ଦିଆଯିବ। ଘରୋଇ ହସ୍ପିଟାଲରେ ସରକାରଙ୍କ ପକ୍ଷରୁ ମାଗଣାରେ ଟିକାକରଣ ହେବ। ତେବେ ସେମାନେ ହିତାଧିକାରୀଙ୍କଠାରୁ ସର୍ଭିସ ଚାର୍ଜ ବାବଦରେ ୧୦୦ ଟଙ୍କା ଆଦାୟ କରିବେ। ଘରୋଇ ହସ୍ପିଟାଲଗୁଡ଼ିକ ସରକାରୀ ଟିକାକରଣ କେନ୍ଦ୍ର କରିବା ପାଇଁ ଜିଲା ଟାସ୍କ ଫୋର୍ସ କମିଟିଠାରୁ ଅନୁମତି ଆଣିବେ। କୋୱିନ ପୋର୍ଟାଲରେ ହସ୍ପିଟାଲ ପଞ୍ଜୀକରଣ ହେବା ବାଧ୍ୟତାମୂଳକ। ଘରୋଇ ହସ୍ପିଟାଲଗୁଡ଼ିକୁ ଏକ ଅଣ୍ଡରଟେକିଂ ଦେବାକୁ ପଡ଼ିବ। ଯେବେ ଟିକା ଉପତ୍ାଦନକାରୀ ସଂସ୍ଥାଠାରୁ ଟିକା ଆଣିବେ, ସେବେଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକା ଯୋଗାଣ ବନ୍ଦ କରାଯିବ ବୋଲି ଅଣ୍ଡରଟେକିଂରେ ସେମାନେ ଉଲ୍ଲେଖ କରିବେ।