ଭଞ୍ଜନଗର,୨୨ା୬(ବାବୁଲା ପ୍ରଧାନ): ଗ୍ରୀଷ୍ମ ଛୁଟି ସରିବା ପରେ ସୋମବାରଠାରୁ ଗଞ୍ଜାମ ଜିଲାର ସମସ୍ତ ବିଦ୍ୟାଳୟ ଖୋଲିଛି। ଛାତ୍ରୀଛାତ୍ର ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟକୁ ଆସିଛନ୍ତି। ଅନ୍ୟପଟେ ଚଳିତ ବର୍ଷ ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ ବିଜ୍ଞାନ କ୍ଲାସରେ ଶିକ୍ଷାଦାନ ଆରମ୍ଭ ହୋଇଛି। ଅଧ୍ୟକ୍ଷ ପ୍ରଦୀପ କମାନୁ ନୂତନ ଛାତ୍ରୀଛାତ୍ରଙ୍କୁ ସ୍ବାଗତ କରିବା ସହ ଭବିଷ୍ୟତ ଗଠନ ଉପରେ କହିଥିଲେ। ଏହି ଅବସରରେ ଯୁକ୍ତ ପାଇଁ ନିଯୁକ୍ତ ସମସ୍ତ ଅଧ୍ୟାପିକା ଅଧ୍ୟାପକ ଆଜି କାର୍ଯ୍ୟରେ ଯୋଗ ଦେଇଥିବା ଜଣାପଡ଼ିଛି । ଯୁକ୍ତ ୨ରେ ଶିକ୍ଷାଦାନ ଆରମ୍ଭ ପରେ ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଖୁସି ବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ୨୦୧୦ରେ ଖୋଲିଥିଲା। ଇତିମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ୧୬ ବର୍ଷ ବିତିବାକୁ ବସିଥିବା ବେଳେ ଯୁକ୍ତ ୨ ଖୋଲି ପାରିନଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁଙ୍କ ପ୍ରଚେଷ୍ଟାରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଏବଂ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହଯୋଗରେ ଚଳିତ ଶିକ୍ଷାବର୍ଷରୁ ଯୁକ୍ତ ୨ ବିଜ୍ଞାନ ପ୍ରଥମ ବର୍ଷ ଖୋଲିଛି। କିନ୍ତୁ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ କଲେଜ ହଷ୍ଟେଲରେ ଅସ୍ଥାୟୀ ଭାବେ ଚାଲିଛି। ସ୍ଥାୟୀ କୋଠା ଭଞ୍ଜନଗର ଶିଳ୍ପ ତାଲିମ କେନ୍ଦ୍ର ସମ୍ମୁଖରେ ହେବ। ଏନେଇ କେନ୍ଦ୍ର ସରକାର ୩୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଅନୁମୋଦନ କରିଛନ୍ତି। ତାହାର ସଂଶୋଧିତ ଟେଣ୍ଡର ପ୍ରକ୍ରିୟା ସରିବା ପରେ କାମ ଆରମ୍ଭ ହେବ। ୨୦୨୮ ସୁଦ୍ଧା କାମ ସରିବା ଲକ୍ଷ୍ୟ ରଖାଯାଇଛି। ଅପରପକ୍ଷେ ହଷ୍ଟେଲ କୋଠାରେ ଚାଲିଥିବା କେତେକ କ୍ଲାସ ରୁମ୍ ବର୍ତ୍ତମାନ ମରାମତି ଆଶ୍ୟକତା ରହିଛି। ଏନେଇ ୫୩ ଲକ୍ଷ ଟଙ୍କାର ଏକ ଏଷ୍ଟିମେଟ୍ ରାଜ୍ୟ ସରକାରଙ୍କ ପାଖକୁ ପଠାଯାଇଛି। ଉକ୍ତ ଅର୍ଥ ଆସିଲେ ପୁରୁଣା ହଷ୍ଟେଲ ମରାମତି ହେବ।