ଥୁଆମୂଳ ରାମପୁର,୨୦।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଶିକ୍ଷାର ବିକାଶ, ସ୍କୁଲ ଡ୍ରପଆଉଟ୍ ସମସ୍ୟା, ସାମାଜିକ କୁସଂସ୍କାର ଏବଂ ସାଧାରଣ ଲୋକଙ୍କ ନିଶୁଳ୍କ ଆଇନଗତ ସମସ୍ୟା ଦୂରୀକରଣ ଲକ୍ଷ୍ୟରେ ‘ୟୁଭିଏ – ୟୁଥ୍ ୟୁନାଇଟେଡ୍ ଫର୍ ଦି ଭିଜନ୍ ଅଫ୍ ଆମ୍ବେଦକର’ ସଂଗଠନ ପକ୍ଷରୁ ସ୍ଥାନୀୟ ଜେଏମ୍ଏଫ୍ସି ବିଚାରପତି ଡ. ତାରିଣୀ ପ୍ରସାଦ ସାହୁଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ସଂଗଠନର ଏକ ପ୍ରତିନିଧି ଦଳ ମାଜିଷ୍ଟ୍ରେଟଙ୍କୁ ଫୁଲତୋଡ଼ା ଏବଂ ସମ୍ବିଧାନ ପ୍ରଣେତା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଫୋଟୋଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଅଞ୍ଚଳର ବିଭିନ୍ନ ଜ୍ୱଳନ୍ତ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ଏହି ସାକ୍ଷାତକାର ସମୟରେ ବାଲ୍ୟ ବିବାହ, ଜାତିଭେଦ, ଅସ୍ପୃଶ୍ୟତା, ମହିଳା ଓ ଶିଶୁ ନିର୍ଯ୍ୟାତନା, ଦାଦନ ଶ୍ରମିକଙ୍କ ଶୋଷଣ, ମାନବ ଚାଲାଣ, ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା, ଅସାବଧାନ ଗାଡ଼ି ଚାଳନା, ବେଆଇନ ମଦ ବିକ୍ରି ଏବଂ ସ୍କୁଲ ଡ୍ରପଆଉଟ୍ ପରି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ଆଇନଗତ ମୁଦ୍ଦା ଉପରେ ଆଲୋକପାତ କରାଯାଇଥିଲା। ଗରିବ ଓ ଅସହାୟ ବର୍ଗର ଲୋକମାନେ କିପରି ସହଜରେ ଆଇନଗତ ସହାୟତା ପାଇପାରିବେ, ସେ ନେଇ ସଂଗଠନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ମାଜିଷ୍ଟ୍ରେଟଙ୍କୁ ଜଣାଯାଇଥିଲା।
ଜେଏମ୍ଏଫ୍ସି ମାଜିଷ୍ଟ୍ରେଟ୍ ଉଠାଯାଇଥିବା ସମସ୍ତ ବିଷୟକୁ ଅତ୍ୟନ୍ତ ଗୁରୁତ୍ୱର ସହ ଶୁଣିବା ସହ ଆଇନ ପରିସର ମଧ୍ୟରେ ରହି ଅଞ୍ଚଳବାସୀଙ୍କୁ ସମସ୍ତ ସହଯୋଗ, ସଠିକ୍ ମାର୍ଗଦର୍ଶନ ଏବଂ ଆଇନଗତ ଆଶ୍ୱାସନା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ସେ ‘ୟୁଭିଏ’ର ଏହି ସାମାଜିକ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ୟୁଭିଏ ସଦସ୍ୟ ମଣିଭଦ୍ର ନାଏକ, ହିତେଶ କୁମାର ନାଏକ, ନରେନ୍ଦ୍ର ନାଏକ, ସମୀର ନାଏକ ଏବଂ ଗୋମୟ ରଞ୍ଜନ ନାଏକଙ୍କ ସମେତ ଅନେକ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।