ଉତ୍ତରପ୍ରଦେଶ ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ଦାବି: ରାଜରାସ୍ତାରେ ଗର୍ଜିଲେ ଆମ୍ବେଡକରବାଦୀ ସଂଗଠନ

ଭବାନୀପାଟଣା,୪।୧୦(ଡି.ଏନ୍‌.ଏ.): ଉତ୍ତରପ୍ରଦେଶର ହାଥରସ ଓ ବଳରାମପୁରରେ ଦଳିତ ନାବାଳିକାଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସାରା ଦେଶରେ ଏହି ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଥିବାବେଳେ କଳାହାଣ୍ଡି ଜିଲାର ଭବାନୀପାଟଣା ସହରରେ ଏହାର ଝଲକ ଦେଖିବାକୁ ମିଳିଛି । କରୋନା କଟକଣା ସତ୍ତ୍ୱେ ଜିଲାର ସମସ୍ତ ଆମ୍ବେଡକରବାଦୀ ସଂଗଠନ ଏକଜୁଟ୍‌ ହୋଇ ହାଥରସ ଓ ବଳରାମପୁରର ଦଳିତ ବାଳିକାଙ୍କ ଉପରେ ପାଶବିକ ଅତ୍ୟାଚାରକୁ କଡା ଶବ୍ଦରେ ନିନ୍ଦା କରିବା ସହ ଏହା ମାନବିକତାର ହତ୍ୟା ବୋଲି କହିଛି ସଂଗଠନ । ଏ ନେଇ ଏକ ବିଶାଳ ଶୋଭାଯାତ୍ରା ଭବାନୀପାଟଣା ସହରର ଷ୍ଟାଚ୍ୟୁଛକରୁ ବାହାରି ଟାଉନ ଥାନା ସମ୍ମୁଖକୁ ଯାଇଥିଲା । ସେଠାରେ ଏକ ପ୍ରତିବାଦ ସଭାରେ ଉତ୍ତରପ୍ରଦେଶର ଯୋଗୀ ସରକାର ଉପରେ ଏହି ସଂଗଠନର ନେତା ଓ କର୍ମୀମାନେ ପ୍ରବଳ ବର୍ଷିଥିଲେ । ଏ ଥିରେ ବିଶିଷ୍ଟ ସମାଜସେବୀ ସ୍ଯଯବାଦୀ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଏପିଆଇର ବରିଷ୍ଠ ନେତା ତଥା ଆଇନଜୀବୀ ଛବିଲାଲ ନିଆଲ ପ୍ରମୁଖ ପୀଡିତାଙ୍କୁ ନ୍ୟାୟ ଦାବି କରିବା ସହ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ଅବସରରେ କଳାହାଣ୍ଡି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।