ଉତ୍କଳୀୟ ନବବର୍ଷ: ମହାବିଷୁବ ସଂକ୍ରାନ୍ତି

ବିପିନ ବିହାରୀ ମହାନ୍ତି

 

ସୂର୍ଯ୍ୟ ସ୍ଥିର। ସୂର୍ଯ୍ୟ ଚାରିପଟେ ପୃଥିବୀ ଘୂରୁଛି ଅଥଚ ସୂର୍ଯ୍ୟଙ୍କର ଅବାସ୍ତବ ଗତିକୁ ଧରି ଆମେ ସୌରବର୍ଷ ଗଣନା କରୁଛୁ। ସୂର୍ଯ୍ୟଙ୍କର ଅବାସ୍ତବ ଗତିପଥକୁ ସୌରପଥ କୁହନ୍ତି। ଏହି ପଥ ସମ୍ପୂର୍ଣ୍ଣ ବୃତ୍ତାକାର ନ ହୋଇ ଉପବୃତ୍ତାକାର ବା ଅଣ୍ଡାକାର। ଏହି ଅଣ୍ଡାକାର ପଥ ରାଶି ଦୃଷ୍ଟିରୁ ବାର ଭାଗ ଏବଂ ପଦ ଦୃଷ୍ଟିରୁ ଚାରିପଦ । ଏମାନେ ବିଷ୍ଣୁପଦ ଭାବେ ନାମିତ। ଏହି ପଦଗୁଡ଼ିକ ମାର୍ଚ୍ଚ ୨୧, ଜୁନ୍‌ ୨୧, ସେପ୍ଟେମ୍ବର ୨୩ ଏବଂ ଡିସେମ୍ବର ୨୨ ସହିତ ସମ୍ପର୍କିତ। ମାର୍ଚ୍ଚ ୨୧ ଓ ସେପ୍ଟେମ୍ବର ୨୩ ଦିନ ସୂର୍ଯ୍ୟ ବିଷୁବପଦ ବା ବିଷୁବରେଖା ଉପରେ ଅବସ୍ଥାନ କରୁଥିବାରୁ ଏହିଦିନ ପୃଥିବୀର ସର୍ବତ୍ର ଦିବାରାତ୍ର ସମାନ ରୁହେ। ଅର୍ଥାତ୍‌ ସୂର୍ଯ୍ୟ ସକାଳ ୬ଟାରେ ଉଦୟ ହୋଇ ସନ୍ଧ୍ୟା ୬ଟାରେ ବୁଡ଼ନ୍ତି। ମାର୍ଚ୍ଚ ୨୧ ତାରିଖକୁ ବାସନ୍ତିକା ବିଷୁବ ବା ମହାବିଷୁବ କୁହାଯାଏ। କାରଣ ଏହା ପ୍ରାୟତଃ ବସନ୍ତ ଋତୁରେ ପଡ଼େ। ସେପ୍ଟେମ୍ବର ୨୩କୁ ଶାରଦୀୟ ବା ଜଳବିଷୁବ କୁହନ୍ତି। ମହାବିଷୁବ ବା ଜଳବିଷୁବ ନିରକ୍ଷବୃତ୍ତ ଏବଂ କ୍ରାନ୍ତିବୃତ୍ତର ଗୋଟିଏ ଗୋଟିଏ ଛେଦବିନ୍ଦୁ। କ୍ରାନ୍ତି କହିଲେ ଗ୍ରହମାନଙ୍କର ଗତିପଥକୁ ବୁଝାଏ।
ମାର୍ଚ୍ଚ ୨୧ ତାରିଖଠାରୁ ସୂର୍ଯ୍ୟଙ୍କର ବିଷୁବରେଖାରୁ ଉତ୍ତର ଦିଗକୁ ଗତିହୁଏ ଏବଂ ଜୁନ୍‌ ୨୧ରେ ଯେଉଁ କାଳ୍ପନିକ ବିନ୍ଦୁ ଉପରେ ଅବସ୍ଥାନ କରନ୍ତି ତାକୁ କର୍କଟ କ୍ରାନ୍ତି କୁହନ୍ତି। ସେହିଠାରୁ ପୁଣି ଦକ୍ଷିଣାୟନ ଗତି ଆରମ୍ଭ ହୁଏ ବିଷୁବରେଖା ଆଡ଼େ ଏବଂ ସେପ୍ଟେମ୍ବର ୨୩ରେ ସୂର୍ଯ୍ୟ ପୁନର୍ବାର ବିଷୁବରେଖା ଉପରେ ଅବସ୍ଥାନ କରନ୍ତି ଓ ପୁଣି ଦିନରାତି ସର୍ବତ୍ର ସମାନ ରୁହେ। ଏହା ପରଠୁ ପୁଣି ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଡିସେମ୍ବର ୨୨ ଯାଏ। ତୁଳା ସଂକ୍ରାନ୍ତି ଦିନଠାରୁ ପୁଣି ସୂର୍ଯ୍ୟଙ୍କର ଫେରନ୍ତା ଗତି ବିଷୁବରେଖାକୁ ଏବଂ ୨୧ ମାର୍ଚ୍ଚ ଦିନ ପୁନଶ୍ଚ ଦିବାରାତ୍ର ସମାନ।
ସଂକ୍ରାନ୍ତି ଘରକୁ ଧରି ୧୨ ରାଶିକୁ ୪ଭାଗରେ ବିଭକ୍ତ କରାଯାଇଛି। ଯଥା ବିଷୁବ : ମେଷ ଓ ତୁଳା, ଅୟନ : କର୍କଟ ଓ ମକର, ଷଡ଼ଶୀତି : ମିଥୁନ, କନ୍ୟା, ଧନୁ ଓ ମୀନ ଏବଂ ବିଷ୍ଣୁପଦୀ : ବୃଷ, ସିଂହ, ବିଛା ଓ କୁମ୍ଭ। ‘ଅୟନ’ କହିଲେ ନିର୍ଦ୍ଦିଷ୍ଟ ବିନ୍ଦୁର କୌଣସି ସ୍ଥାନକୁ ଗତି। ଜୁନ ୨୧ରେ ସୂର୍ଯ୍ୟ କର୍କଟ କ୍ରାନ୍ତି ଓ ଡିସେମ୍ବର ୨୨ରେ ମକର କ୍ରାନ୍ତି ଉପରେ ଅବସ୍ଥାନ କରନ୍ତି। ଏହି ଦିନଗୁଡ଼ିକରେ ଯଥାକ୍ରମେ ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧରେ ଦିନ ବଡ଼ ଏବଂ ବିପରୀତ କ୍ରମେ ଗତି ଅବସ୍ଥାନ ନେଇ ରାତି ଛୋଟ।
ଓଡ଼ିଆ ନବବର୍ଷ ପଣାସଂକ୍ରାନ୍ତି ଦିନ ପାଳନ କରାଯାଏ। ଏହି ଦିବସଟିକୁ ମହାବିଷୁବ ସଂକ୍ରାନ୍ତି କୁହାଯାଏ। ବୈଶାଖ ମାସରେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରିବା ଦିନୁ ନବବର୍ଷ ଗଣନା ଆରମ୍ଭ ହୁଏ। ସଂକ୍ରାନ୍ତି ଏକ ପବିତ୍ର ଦିବସ। ଏହିଦିନ ବ୍ରତ, ଉପବାସ ଏବଂ ଦାନ ଧର୍ମ କଲେ ପୁଣ୍ୟଫଳ ମିଳେ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି। ସବୁ ସଂକ୍ରାନ୍ତି ଅପେକ୍ଷା ମହାବିଷୁବ ସଂକ୍ରାନ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସୂର୍ଯ୍ୟପୂଜନର ଏକ ମାହେନ୍ଦ୍ର ମୁହୂର୍ତ୍ତ। ଆମେ ତାଙ୍କୁ ନିମ୍ନମତେ ପ୍ରାର୍ଥନା କରୁ : ହେ ସୂର୍ଯ୍ୟଦେବ! ଆଜି ଉଦୟ ହେବା ସଙ୍ଗେ ସଙ୍ଗେ ଆପଣ ଆମକୁ ନିଷ୍ପାପ କରିଦିଅନ୍ତୁ। ହେ ଅଦିତେ, ଆମେ ମିତ୍ରବରୁଣା ଦେବଙ୍କର ପ୍ରିୟପାତ୍ର ହେଉ। ହେ ଆଦ୍ୟମିନ୍‌ (ଦାତା)! ଆମେ ଆପଣଙ୍କର କୃପାର ପ୍ରିୟପାତ୍ର ହେଉ। ହେ ଆର୍ଯ୍ୟମାନ୍‌! ଆପଣଙ୍କର କୃପାଲାଭ କରିବା ପାଇଁ ଆମେ ପ୍ରାର୍ଥନା କରୁଛୁ। ଆସନ୍ତୁ ଆମେ ସେହି ସୂର୍ଯ୍ୟଙ୍କୁ ଉପଲବ୍‌ଧ କରିବା, ସେ ଆଲୋକ ପ୍ରଦାନକାରୀଙ୍କୁ ଧ୍ୟାନ କରିବା। ଅଦିତିଙ୍କ ପୁତ୍ର ଆଦିତ୍ୟ ଆମକୁ ଜ୍ଞାନାଲୋକରେ ଭାସ୍କର କରନ୍ତୁ।
”ଭାସ୍କରାୟ ବିଦ୍‌ମହେ ମହଦ୍ୟୁତିକରାୟ ଧୀମହି, ତନ୍ମୋ ଆଦିତ୍ୟଃ ପ୍ରଚୋଦୟାତ୍‌। (ଗାୟତ୍ରୀ)“
ବିଷୁବ ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କର ଅବାସ୍ତବ ଉତ୍ତରାୟଣ ଗତି ଆରମ୍ଭ ହୁଏ। ରାଶିଚକ୍ରରେ ଏହାହିଁ ପ୍ରଥମ ଦିନ। ଏହା ମଧ୍ୟ ମେଷରାଶିର ପ୍ରଥମ ଦିବସ। ଭାରତୀୟ ପ୍ରାମାଣିକ ସମୟର ସମୟ ନିର୍ଘଣ୍ଟ ମେଷ ସଂକ୍ରାନ୍ତି ରୂପେ ବିଦିତ। ଏହିଦିନ ସର୍ବନିୟନ୍ତା ସର୍ବପ୍ରାଣ ଏବଂ ସର୍ବକର୍ତ୍ତା ମହିମାମୟ ସୂର୍ଯ୍ୟଙ୍କର ସ୍ବାଗତିକା ଗାନ କରାଯାଏ। ତାଙ୍କ ସ୍ବାଗତିକା ପାଇଁ କି ମଠ ! କି ମନ୍ଦିର! କି ହିନ୍ଦୁଗୃହ ଚଳଚଞ୍ଚଳ ହୋଇଉଠେ। ନୂତନ ପୋଷାକ ପରିଧାନପୂର୍ବକ ଆମେ ତାଙ୍କୁ ସ୍ବାଗତ କରୁ।
ଓଡ଼ିଆ ସଂସ୍କୃତି ଜଗନ୍ନାଥ ସଂସ୍କୃତିକୁ ବୁଝାଏ। ଏଣୁ ଶ୍ରୀମନ୍ଦିରରୁ ହିଁ ସବୁ ଆରମ୍ଭ। ପ୍ରତ୍ୟୁଷରୁ ପାରମ୍ପରିକ ରୀତିରେ ପଣା ପ୍ରସ୍ତୁତ ହୁଏ। ଗ୍ରୀଷ୍ମର ଆଦ୍ୟ ହେତୁ ପଣାରେ ଥଣ୍ଡା ଏବଂ ସ୍ବାସ୍ଥ୍ୟକର ଦ୍ରବ୍ୟ ବ୍ୟବହାର କରାଯାଏ। ବିଶେଷକରି କଞ୍ଚାଆମ୍ବ, ପାଚିଲା ଆମ୍ବରସ, ପାଚିଲା ବେଲ, ନଡ଼ିଆ, ଛେନା, କ୍ଷୀର, ଦହି, ନବାତ, ଗୁଡ଼, ଆଖୁରସ, ଗୋଲମରିଚ, କାଜୁ, କିସ୍‌ମିସ୍‌, ସାକରକନ୍ଦ ଏବଂ ଅନେକ କିଛି । ଏହି ଅବସରରେ ଓଡ଼ିଆମାନେ ଠାକୁରଙ୍କ ପାଖେ ଓ ଚଉଁରାମୂଳେ ଉପରୋକ୍ତ ପ୍ରସ୍ତୁତ ପଣା ଏବଂ ଛତୁଆ ପ୍ରସାଦ ଅର୍ପଣ କରନ୍ତି। ଏହିଦିନ ସାଙ୍ଗସାଥୀ ଏବଂ ବନ୍ଧୁବାନ୍ଧବମାନଙ୍କୁ ଘରକୁ ସ୍ବାଗତ କରି ପଣାରେ ଆପ୍ୟାୟିତ କରାଯାଏ। ଏହା ଏକ ଦିବସ ବ୍ୟାପୀ କାର୍ଯ୍ୟକ୍ରମର ସାମାଜିକ ପର୍ବ। ସନ୍ଧ୍ୟାକୁ ବିଭିନ୍ନ ସ୍ଥାନରେ ସାହିତ୍ୟ ଚର୍ଚ୍ଚା, କବିତା ପାଠୋତ୍ସବ, ସଙ୍ଗୀତ ଆସର ଏବଂ ନୃତ୍ୟଗୀତ ଇତ୍ୟାଦିର ଆୟୋଜନ ହୋଇଥାଏ।
ପଦ୍ମପୁରାଣ, ସ୍କନ୍ଦପୁରାଣ, ମତ୍ସ୍ୟପୁରାଣ, ଭବିଷ୍ୟପୁରାଣ, ବ୍ରହ୍ମାଣ୍ଡପୁରାଣ, ଜ୍ୟୋତି ଏବଂ ଆୟୁର୍ବେଦ ଶାସ୍ତ୍ରଗୁଡ଼ିକରେ ମଧ୍ୟ ମହାବିଷୁବ ସଂକ୍ରାନ୍ତିର ପ୍ରଶସ୍ତି ଗାନ କରାଯାଇଛି। ଆୟୁର୍ବେଦ ଶାସ୍ତ୍ରରେ ଚିକିତ୍ସା ସମ୍ପର୍କରେ ଲେଖାଅଛି :
”ମସୁରଂ ନିମ୍ବପତଂ ଚ ଯୋଽଭି ମେଷଗତେରବୌ
ଅତି ରୋଷାନ୍ବିତସ୍ତସ୍ୟ ତକ୍ଷକଃ କିଂ କରିଷ୍ୟତି।“ଅର୍ଥାତ୍‌ ମେଷ ସଂକ୍ରାନ୍ତି (ମହାବିଷୁବ) ଦିନ ସମପରିମାଣ ମସୁର ଓ ନିମ୍ବପତ୍ର ଚୋବାଇ ଖାଇଲେ ବର୍ଷେଯାଏ ବିଷାକ୍ତ ସର୍ପର ଦଂଶନକୁ ରୋକିବାର ଶକ୍ତି ଲାଭ ହୁଏ।
ମହାବିଷୁବ (ବାସନ୍ତିକା) ସଂକ୍ରାନ୍ତିକୁ ଓଡ଼ିଶାରେ ପଣାସଂକ୍ରାନ୍ତି କୁହନ୍ତି। ଏହି ପର୍ବ କେବଳ ଓଡ଼ିଶାର ଗର୍ବ ନୁହେଁ; ଏହା ଏକ ଜାତୀୟ ଅନ୍ତର୍ଜାତୀୟ ପର୍ବ। ଓଡ଼ିଶା ପରି ପଞ୍ଜାବ, ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡ଼ୁ ପ୍ରଭୃତି ରାଜ୍ୟରେ ଏହି ଦିବସଟିକୁ ନୂଆବର୍ଷ ରୂପେ ପାଳନ କରାଯାଏ। ବୌଦ୍ଧ ଧର୍ମାବଲମ୍ବୀମାନେ ମଧ୍ୟ ଏହି ଦିବସଟିକୁ ନୂଆବର୍ଷ ରୂପେ ପାଳନ କରନ୍ତି। ବୌଦ୍ଧଧର୍ମ ଭାରତରୁ ଏସିଆର ବିଭିନ୍ନ ଦେଶକୁ ପ୍ରସାରିତ ହୋଇଥିଲା। ତେଣୁ ଶ୍ରୀଲଙ୍କା, ନେପାଳ, ମ୍ୟାନ୍‌ମାର, କାମ୍ବୋଡିଆ, ଥାଇଲାଣ୍ଡ ଇତ୍ୟାଦି ରାଷ୍ଟ୍ରରେ ମହାବିଷୁବ ସଂକ୍ରାନ୍ତିକୁ ନବବର୍ଷ ଭାବେ ପାଳନ କରାଯାଏ। ସ୍ଥାନ ଭେଦରେ ଏହାର ନାମ ଭିନ୍ନ ଭିନ୍ନ। ପଶ୍ଚିମବଙ୍ଗ ଓ ପଡ଼ୋଶୀ ବାଂଲାଦେଶରେ ଏହା ପହେଲା ବୈଶାଖ, କେରଳରେ ‘ବିଶୁ’, ଆସାମରେ ‘ରଙ୍ଗାଲି ବିହୁ’, ଉତ୍ତର ଭାରତରେ ‘ଛତୁଆ ସଂକ୍ରାନ୍ତି’, ପଞ୍ଜାବରେ ‘ବୈଶାଖୀ’, ମଣିପୁରରେ ‘ଚୈରୋବା’, ତାମିଲନାଡୁରେ ‘ମୋସାତି ବା ବୃଷାପରିଚ୍ଛୁ’, ନେପାଳରେ ‘ବିକ୍ରମ ସମ୍ବତ୍‌’, ଶ୍ରୀଲଙ୍କାରେ ‘ଅଲୁଥଅଭୁରୁଥ’, ଥାଇଲାଣ୍ଡରେ ‘ସଙ୍ଗକାନ୍‌’, କାମ୍ବୋଡ଼ିଆରେ ‘ଚୋଲଚନମ’ ଓ ମ୍ୟାନ୍‌ମାରରେ ‘ଥିଜ୍ଞାନ’ ନାମରେ ନାମିତ।
ଏହି ଦିବସର ଅନ୍ୟ ଏକ ବିଶେଷତ୍ୱ ହେଉଛି ଯେ, ଏହି ଦିବସଟି ହନୁମାନଙ୍କ ଜୟନ୍ତୀ। ହନୁମାନ ଜ୍ଞାନର ସାଗର। ସେ ରାମଦୂତ, କାଳଜୟୀ। ତାଙ୍କ ନାମ ନେଲେ ଭୂତ କି ପିଶାଚ ନିକଟ ମାଡ଼ନ୍ତି ନାହିଁ। ସେ ଅଞ୍ଜନା ଓ କେଶରୀଙ୍କ ସୁତ, ପବନ ସୁତ। ସେ ମଧ୍ୟ ଶିବ ସ୍ବରୂପ। ସେ ବିଦ୍ୟାବାନ୍‌ ଓ ଗୁଣୀ। ସେ ସଙ୍କଟମୋଚନ। ସେ ନିଜେ ଭକ୍ତ ଓ ଭକ୍ତବତ୍ସଳ। ସେ ମଙ୍ଗଳମୟ। ତାଙ୍କର ନାମ ଜପ କଲେ ସକଳ ବ୍ୟାଧି ନାଶ ହୁଏ। ଏଣୁ ପଣା ସଂକ୍ରାନ୍ତି ଅବସରରେ ହନୁମାନ ଜୟନ୍ତୀ ମହାଡ଼ମ୍ବରରେ ପାଳିତ ହୁଏ।
ଓଡ଼ିଶା ନବବର୍ଷ ଏହି ସଂକ୍ରାନ୍ତିଠାରୁ ଆରମ୍ଭ ହୁଏ। ଏହି ଦିନଠାରୁ ବାର୍ଷିକ ପାଞ୍ଜିର ଆରମ୍ଭ। ଗାଁ ଗହଳିରେ ପାଞ୍ଜିପାଠ ହୁଏ। ସୂର୍ଯ୍ୟ ଓ ଅଗ୍ନିଙ୍କର ସମ୍ପର୍କ ଏକାକାର ହେତୁ ଓଡ଼ିଶାରେ ନିଆଁରେ ଚାଲିବା ଝାମୁଯାତ୍ରା, ଦଣ୍ଡନୃତ୍ୟ, ଘଣ୍ଟପାଟୁଆ ଏବଂ ଆଦିବାସୀ ପରମ୍ପରାରେ ‘କେଡ଼’ ଓ ଝଙ୍ଗଡ଼ି ପର୍ବ, ସାନ୍ତାଳମାନଙ୍କର ପାଟ ପର୍ବ ଓ ଶିକାର ପର୍ବ ଇତ୍ୟାଦି ସୂର୍ଯ୍ୟଙ୍କ ସମର୍ପିତ ପର୍ବ। ଏହା ଓଡ଼ିଶାର ପରମ୍ପରା , ସଂସ୍କୃତିର ଏକ ଆନନ୍ଦ ଓ ଉଲ୍ଲାସର ଦିନ ତଥା ହିନ୍ଦୁମାନଙ୍କର ଏକ ମହାନ୍‌ ପର୍ବ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର, ଜଟଣୀ
ମୋ : ୯୯୩୮୩୪୪୧୩୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri