ଉତ୍କଳ ବିଶ୍ୱବିଦ୍ୟାଳୟ ବିଏଡ୍‌ ପରୀକ୍ଷା ଅନ୍‌ଲାଇନ୍‌ରେ ହେବ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଏଡ୍‌ ପରୀକ୍ଷା ଅନ୍‌ଲାଇନ୍‌ରେ ହେବ। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବ ନିର୍ଦ୍ଧାରିତ ଦିନରେ ହିଁ ପରୀକ୍ଷା ହେବ ବୋଲି ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର କହିଛନ୍ତି। ଅଫ୍‌ଲାଇନରେ ବିଏଡ୍‌ ପରୀକ୍ଷାକୁ ବିରୋଧ କରି ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନେ ବୁଧବାର ବିଶ୍ୱବିଦ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଅନ୍‌ଲାଇନ୍‌ରେ କରିବା ପାଇଁ ଦାବି କରିଥିଲେ। ଶେଷରେ ଛାତ୍ରୀଛାତ୍ରଙ୍କ ଦାବିକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାନି ନେଇଥିଲେ। ପରୀକ୍ଷାକୁ ଅନ୍‌ଲାଇନ୍‌ରେ କରାଯିବ ବୋଲି କହିବା ପରେ ଛାତ୍ରୀଛାତ୍ରମାନେ ଆନ୍ଦୋଳନରୁ ଓହରିଥିଲେ। ସୂଚନାଯୋଗ୍ୟ, ଏହି ପରୀକ୍ଷା ଜୁନ୍‌ରେ ହେବାର ଥିଲା। କିନ୍ତୁ କରୋନା ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ପରୀକ୍ଷାକୁ ଜାନୁୟାରୀ ୭ରେ ଅଫ୍‌ଲାଇନ୍‌ରେ କରିବା ପାଇଁ ନିଷତ୍ତି ନିଆଯିବାରୁ ଛାତ୍ରୀଛାତ୍ରମାନେ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ।