ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଷଷ୍ଠ ସେମିଷ୍ଟର ପରୀକ୍ଷାଫଳ ପ୍ରକାଶିତ: ବିଜ୍ଞାନରେ ସାଗରିକା, ବାଣିଜ୍ୟରେ ଇପ୍ସା ଟପ୍ପର

ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ): ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ଯୁକ୍ତ୩ (ସ୍ନାତକ) କଲେଜର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ୬ଷ୍ଠ ସେମିଷ୍ଟର ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିସହ ବିଜ୍ଞାନ, ବାଣିଜ୍ୟ ବିଭାଗର ଦ୍ବିତୀୟ ଓ ଚତୁର୍ଥ ସେମିଷ୍ଟର ବ୍ୟାକ୍‌ ପେପର୍‌ ପରୀକ୍ଷା ଫଳ ମଧ୍ୟ ପ୍ରକାଶ କରାଯାଇଛି। ବିଶ୍ବବିଦ୍ୟାଳୟର ୟୁୟୁଇଏମ୍‌ଏସ୍‌ ପୋର୍ଟାଲ୍‌ରୁ ଛାତ୍ରୀଛାତ୍ର ସେମାନଙ୍କ ଫଳାଫଳ ଜାଣିପାରିବେ। ଛାତ୍ରୀଛାତ୍ରଙ୍କ ପ୍ରୋଭିଜନାଲ ଓ ମାର୍କଶିଟ୍‌ ସାର୍ଟିଫିକେଟ୍‌ ସମସ୍ତ ମହାବିଦ୍ୟାଳୟକୁ ଅନ୍‌ଲାଇନ୍‌ ମାଧ୍ୟମରେ ପଠାଇ ଦିଆଯାଇଛି। ଛାତ୍ରୀଛାତ୍ର ନିଜ କଲେଜରୁ ସାର୍ଟିଫିକେଟ୍‌ ଗ୍ରହଣ କରିପାରିବେ।
+୩ ୬ଷ୍ଠ ସେମିଷ୍ଟର ବାଣିଜ୍ୟ ବିଭାଗରେ ୪୯୦୫ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୪,୭୪୪ ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୯୬.୭୧% ହୋଇଛି। ବିଜ୍ଞାନ ବିଭାଗରେ ୧୩,୬୮୪ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୩,୫୧୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ ହାର ୯୮.୭୫% ହୋଇଛି। ବିଜ୍ଞାନ ବିଭାଗରେ କଟକସ୍ଥିତ ଷ୍ଟୁଆର୍ଟ ସାଇନ୍ସ କଲେଜର ଭୂତତ୍ତ୍ବ ବିଜ୍ଞାନ ଛାତ୍ରୀ ସାଗରିକା ଦାସ ସିଜିପିଏ ୯.୬୬ ନମ୍ବର ରଖି ଟପ୍ପର୍‌ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ଭୁବନେଶ୍ବରସ୍ଥିତ ଡିଏଭି ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟର ଛାତ୍ରୀ ଇପ୍ସା ବଳିୟାରସିଂ ସିଜିପିଏ ୯.୫୫ ନମ୍ବର ରଖି ଟପ୍ପର୍‌ ହୋଇଥିବା ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝି ସୂଚନା ଦେଇଛନ୍ତି।
ଯୁକ୍ତ ୩ ଚତୁର୍ଥ ସେମିଷ୍ଟର ବ୍ୟାକ୍‌ (୨୦୧୭ ନାମଲେଖା ବ୍ୟାଚ୍‌) ପରୀକ୍ଷାରେ ବିଜ୍ଞାନ (ଅନର୍ସ)ରେ ୭୫୩ ଜଣ ପରୀକ୍ଷା ଦେଇଥିବା ବେଳେ ୬୮୬ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୧.୧୦% ରହିଛି। ବିଜ୍ଞାନ (ଜେନେରାଲ୍‌)ରେ ପରୀକ୍ଷା ଦେଇଥିବା ୬୮ ଜଣଙ୍କ ମଧ୍ୟରୁ ୬୩ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୯୨.୬୫% ହୋଇଛି। ବାଣିଜ୍ୟ (ଅନର୍ସ)ରେ ପରୀକ୍ଷା ଦେଇଥିବା ୩୬୨ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩୧୪ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୮୬.୭୪% ହୋଇଛି। ବାଣିଜ୍ୟ (ଜେନେରାଲ)ରେ ୩୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୨ ଜଣ ପାସ୍‌ କରିଛନ୍ତି। ଦ୍ବିତୀୟ ସେମିଷ୍ଟର ବ୍ୟାକ୍‌ (୨୦୧୭ ନାମଲେଖା ବ୍ୟାଚ୍‌) ପରୀକ୍ଷାରେ ବିଜ୍ଞାନରେ ମୋଟ ୩୫୪ ଜଣ ପରୀକ୍ଷା ଦେଇଥିବାବେଳେ ୩୧୬ ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୮୯.୨୭% ହୋଇଛି। ବାଣିଜ୍ୟରେ ପରୀକ୍ଷା ଦେଇଥିବା ୨୧୫ ଛାତ୍ରୀଛାତ୍ରୀଙ୍କ ମଧ୍ୟରୁ ୧୯୦ ଜଣ ପାସ୍‌ କରିଛନ୍ତି। ପାସ୍‌ ହାର ୮୮.୩୭% ହୋଇଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପରୀକ୍ଷା ନିୟନ୍ତ୍ରକ ମାଝି କହିଛନ୍ତି।