ଆଜି ପ୍ରତିଷ୍ଠା ଦିବସ ପାଳିବ ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ): ଦେଶର ଅନ୍ୟତମ ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ ରବିବାର ତା’ର ୮୦ତମ ପ୍ରତିଷ୍ଠା ଦିବସ ପାଳନ କରିବ। ଏଥିସହ ୮୧ବର୍ଷରେ ପାଦ ଦେବ। ଏହି ପରିପ୍ରେକ୍ଷୀରେ ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଶିକ୍ଷା, ଗବେଷଣା, ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟକୁ ନାକ୍‌ ଏ++ ମାନ୍ୟତା ପାଇଁ ପ୍ରୟାସ ଜାରି ରହିଛି। ଯେକୌଣସି ସମୟରେ ନାକ୍‌ କମିଟି ଉତ୍କଳ ବିଶ୍ବବିଦ୍ୟାଳୟ ପରିସରକୁ ପରିଦର୍ଶନରେ ଆସି ମୂଲ୍ୟାଙ୍କନ କରିବା ସମ୍ଭାବନା ରହିଛି। ଏଥିପାଇଁ ଆମେ ପ୍ରସ୍ତୁତ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି। ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ କୁଳପତି କହିଛନ୍ତି, ବିଶ୍ବବିଦ୍ୟାଳୟକୁ ଡିଜିଟାଲ କ୍ୟାମ୍ପସରେ ପରିଣତ କରିବା ପାଇଁ ଜାରି ରହିଥିବା ପ୍ରୟାସ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ନୂତନ ଜାତୀୟ ଶିକ୍ଷାନୀତି ୨୦୨୦କୁ ପ୍ରଣୟନ କରିବା ପାଇଁ ସମ୍ପୂର୍ଣ୍ଣ ବିଶ୍ବବିଦ୍ୟାଳୟ ପ୍ରସ୍ତୁତ ଥିବା ସେ କହିଛନ୍ତି।

ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କୁଳପତି ଆଚାର୍ଯ୍ୟ କହିଲେ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ଓ ସମ୍ମାନିତ ଅତିଥି ଭାବେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଶାସନ ସଚିବ ତଥା କମିଶନର ଭାସ୍କରଜ୍ୟୋତି ଶର୍ମା ଯୋଗଦେବେ ବୋଲି କୁଳପତି କହିଛନ୍ତି। ଖବରଦାତା ସମ୍ମିଳନୀରେ କୁଳସଚିବ ଡ. ଅଭୟ କୁମାର ନାୟକ, ପିଜି ହଷ୍ଟେଲ ୱାର୍ଡେନ ପ୍ରଫେସର ପ୍ରବୋଧ କୁମାର ହୋତା, ବିତ୍ତ ନିୟନ୍ତ୍ରକ ଗୌତମ ପ୍ରଧାନ, ଛାତ୍ର ମଙ୍ଗଳ ନିର୍ଦ୍ଦେଶକ ପ୍ରଫେସର ମିତାଲି ଚିନ୍ନାରା, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସଂଯୋଜିକା ଡ. ପ୍ରତିମା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।