ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ ପ୍ରତିଷ୍ଠାପିତ ହୋଇଛି। ତିରୁପତିସ୍ଥିତ ଶ୍ରୀଭେଙ୍କଟେଶ୍ୱର ବାଲାଜୀଙ୍କ ଦିବ୍ୟ କ୍ଷେତ୍ରରେ ଥିବା ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରତିଷ୍ଠାପିତ ଏହି ଉତ୍କଳ ପୀଠ ଆମ ରାଜ୍ୟର ଗୌରବଗାଥାର ଅନ୍ୟ ଏକ କିମ୍ବଦନ୍ତୀ। ୧୯୯୮ରେ ଓଡ଼ିଶାର ତତ୍କାଳୀନ ସରକାର ସଂକଳ୍ପ ନେଇଥିଲେ ଶ୍ରୀଜଗନ୍ନାଥଙ୍କର ସଂସ୍କୃତି ଏବଂ ସାହିତ୍ୟ ଦିଗନ୍ତବିସ୍ତାରୀ ହେଉ। ସରକାର ଏହି ଲକ୍ଷ୍ୟ ନେଇ ବିଦ୍ୱାନମାନଙ୍କ ପରାମର୍ଶରୁ ଜାଣିପାରିଲେ ତିରୁପତି ଶ୍ରୀଭେଙ୍କଟେଶ୍ୱର କ୍ଷେତ୍ରରେ ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠାପିତ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏକ ବିଶେଷ ଶାସ୍ତ୍ର ଅଧ୍ୟୟନ କେନ୍ଦ୍ରର ମାନ୍ୟତା ପାଇ ସମଗ୍ର ବିଶ୍ୱରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ୧୯୫୭ ଭାରତ ସରକାରଙ୍କ ଦ୍ୱାରା ନିୟୋଜିତ ପ୍ରଥମ ସଂସ୍କୃତ କଶିସନର ସୁପାରିସ କ୍ରମେ ୧୯୬୨ ଜାନୁଆରୀ ୪ରେ ଭାରତର ତତ୍କାଳୀନ ଉପ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର କରକମଳରେ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିବା ଏହି ବିଶ୍ୱବିଦ୍ୟାଳୟ ବର୍ତ୍ତମାନ ଏକ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ବିଶ୍ୱବିଦ୍ୟାଳୟର ମହତ୍ତ୍ୱକୁ ଜାଣିବାପରେ ଓଡ଼ିଶା ସରକାରଙ୍କ ଦ୍ୱାରା ୫୦ ଲକ୍ଷ ଟଙ୍କାର ଧନରାଶି ପ୍ରଦାନ କରି ତା’ପରିସରରେ ଶ୍ରୀଜଗନ୍ନାଥଙ୍କର ସଂସ୍କୃତି, କବି ଜୟଦେବ ପ୍ରଣୀତ ଶ୍ରୀଗୀତଗୋବିନ୍ଦର ସାହିତ୍ୟ ଏବଂ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଶ୍ରୀଚୈତନ୍ୟଙ୍କର ଦର୍ଶନ ଉପରେ ବିଶେଷ ଗବେଷଣା କରି ଓଡ଼ିଶାର ସଂସ୍କୃତିକୁ ବିଶ୍ୱସ୍ତରୀୟ କରିବା ପାଇଁ ପଦକ୍ଷେପ ନେଇଥିଲେ। ସରକାର ପ୍ରଦାନ କରିଥିବା ଧନରାଶି ମୂଳ ପାଣ୍ଠି ଭାବରେ ସୁରକ୍ଷିତ ଅଛି ଏବଂ ତାହାର ବ୍ୟାଙ୍କ ସୁଧ ଟଙ୍କାରେ ଗବେଷଣା କାର୍ଯ୍ୟ ସୁଚାରୁ ସମ୍ପାଦନ ହେଉଛି। ଉତ୍କଳ ପୀଠ ବା ଓଡ଼ିଶା ଚେୟାର ନାମରେ ପ୍ରତିଷ୍ଠାପିତ ଏହି ବିଶେଷ ଗବେଷଣା ଅନୁଷ୍ଠାନ ଆନୁଷ୍ଠାନିକ ଭାବରେ ୧୫ ଅକ୍ଟୋବର ୨୦୦୦ରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ତତ୍କାଳୀନ ପ୍ରଧାନ ବିଚାରପତି ରଙ୍ଗନାଥ ମିଶ୍ରଙ୍କ କରକମଳରେ ଉଦ୍‌ଘାଟିତ ହେଲା। ସୌଭାଗ୍ୟକୁ ଜଷ୍ଟିସ ମିଶ୍ର ସେତେବେଳେ ଭାରତ ସରକାରଙ୍କର କେନ୍ଦ୍ରୀୟ ସଂସ୍କୃତ ଅଧ୍ୟୟନ ବୋର୍ଡର ସଭାପତି ରହିଥିଲେ। ଏହାପରେ ଉତ୍କଳପୀଠ ଭବ୍ୟତାର ସହିତ ଗବେଷଣା, ଅଧ୍ୟୟନ ଏବଂ ଅଧ୍ୟାପନାରେ ଆଗେଇଚାଲିଛି ଆଜିପର୍ଯ୍ୟନ୍ତ। ଏହି ପୀଠ ଶ୍ରୀଜଗନ୍ନାଥ, ଶ୍ରୀଜୟଦେବ ଏବଂ ଶ୍ରୀଚୈତନ୍ୟଙ୍କର ବୈଭବକୁ ନେଇ ଅନେକ ଦୁର୍ଲଭ ତାଳପତ୍ର ପୋଥିର ପ୍ରକାଶନ କରିବା ସହିତ ପ୍ରତିବର୍ଷ ଜାତୀୟ ସ୍ତରରେ ସମ୍ପାନ ଏବଂ ବ୍ୟାଖ୍ୟାନମାଳା ଆୟୋଜନ କରି ବିବିଧ ଗବେଷଣା ସମ୍ବନ୍ଧ ପୁସ୍ତକ ପ୍ରକାଶନ କରିଆସୁଛି।
ଶ୍ରୀଜଗନ୍ନାଥଙ୍କର ପୌରାଣିକ ସାହିତ୍ୟ, ଶ୍ରୀଗୀତଗୋବିନ୍ଦର ସର୍ବାଙ୍ଗସୁନ୍ଦରୀ ଟୀକା, ଶ୍ରୀଚୈତନ୍ୟଙ୍କର ଜୀବନୀ, ଓଡ଼ିଶା ଏବଂ ଦକ୍ଷିଣ ଭାରତର ସମ୍ପର୍କ ଇତ୍ୟାଦି ଅତ୍ୟନ୍ତ ଦୁର୍ଲଭ ଗବେଷଣା କାର୍ଯ୍ୟକୁ ସଫଳତାର ସହିତ ସମ୍ପାଦନ କରି ଉତ୍କଳ ପୀଠ କେବଳ ଦକ୍ଷିଣ ଭାରତ ଏବଂ ଓଡ଼ିଶାର ବିଦ୍ୱାନଙ୍କ ପାଖରେ ପରିଚିତ ହୋଇନାହିଁ ସମଗ୍ର ବିଶ୍ୱରେ ଗବେଷଣା କ୍ଷେତ୍ରରେ ଏକ ପାଦ ଆଗକୁ ଯାଇପାରିଛି। ବିଶେଷତଃ ଓଡ଼ିଶାର ଶିକ୍ଷାବିତ୍‌ ପ୍ରଫେସର୍‌ ହରେକୃଷ୍ଣ ଶତପଥୀ ଯେତେବେଳେ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ନେଲେ ଉତ୍କଳପୀଠ ଏକ ସ୍ବର୍ଣ୍ଣିମ ସମୟ ଦେଇ ଗତିକଲା। ପ୍ରଫେସର୍‌ ଶତପଥୀ ଓଡ଼ିଶାର ସମ୍ମାନକୁ ରକ୍ଷା କରି ଏହି ପୀଠର ଉନ୍ନତି ପାଇଁ ଚେଷ୍ଟା କରିଛନ୍ତି। ଏହା ସହ ତିରୁପତିର ଭବ୍ୟ ଉତ୍କଳପୀଠର ବିକାଶ ପାଇଁ ବିଶ୍ୱବିଦ୍ୟାଳୟର ସମସ୍ତ କୁଳପତିମାନେ ମଧ୍ୟ ଚେଷ୍ଟା କରିଛନ୍ତି। ଏହି କ୍ରମରେ ଏକ ବିଶେଷ ବୈଶିଷ୍ଟ୍ୟ ହେଉଛି ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟ ଭାରତ ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହୋଇଥିବାରୁ ଜାତୀୟ ସ୍ତରର ପ୍ରବେଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦୀର୍ଘ ବର୍ଷ ଧରି ଅନେକ ଉତ୍କଳୀୟ ଛାତ୍ରୀଛାତ୍ର ପ୍ରତିବର୍ଷ ଏଠାରେ ଅଧ୍ୟୟନ କରିବାର ସୁଯୋଗ ପାଉଛନ୍ତି। ତତ୍‌ସହିତ ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ନିଯୁକ୍ତି ପାଇବାରେ ମଧ୍ୟ ଓଡ଼ିଶାର ବିଦ୍ୱାନମାନେ ସ୍ଥାନ ଗ୍ରହଣ କରିପାରିଛନ୍ତି। ଏହି ସମସ୍ତ ଉତ୍କଳୀୟମାନେ ଏକ ପରିବାର ସଦୃଶ ଉତ୍କଳପୀଠରେ ଏକତ୍ରିତ ହୋଇ ଉତ୍କଳ ଦିବସ, ନୂଆଁଖାଇ, ଦୋଳପୂର୍ଣ୍ଣିମା, ହୋଲି, ଦଶହରା ଇତ୍ୟାଦି ଓଡ଼ିଶାର ପର୍ବପର୍ବାଣିକୁ ପାଳନ କରନ୍ତି।
ଅନ୍ୟ ଏକ ସୁଖଦ ସମାଚାର ଆମ ରାଜ୍ୟର ଐତିହ୍ୟକୁ ବଳିଷ୍ଠ କରେ ତାହା ହେଲା, ବିଶ୍ୱବିଦ୍ୟାଳରେ ପ୍ରତିଷ୍ଠାପିତ ଶ୍ରୀଜଗନ୍ନାଥଙ୍କର ଭବ୍ୟ ମନ୍ଦିର। ଏହି ମନ୍ଦିର ସଂଲଗ୍ନ ଚାରିଗୋଟି ସର୍ବବିଧ ସୌବିଧ୍ୟ ଥିବା ପ୍ରକୋଷ୍ଠରେ ବର୍ତ୍ତମାନ ଉତ୍କଳପୀଠର କାର୍ଯ୍ୟାଳୟ ପ୍ରତିଷ୍ଠିତ। ଉତ୍କଳପୀଠର ନିର୍ଦ୍ଦେଶକ ଭାବରେ ଅନେକ ଦକ୍ଷିଣ ଭାରତୀୟ ବିଦ୍ୱାନ ଯଥା ପ୍ରଫେସର୍‌ ଆର୍‌ ଦେବନାଥନ, ପ୍ରଫେସର୍‌ ଜେ ରାମକୃଷ୍ଣ ପ୍ରଭୃତି କାର୍ଯ୍ୟକରି ଓଡ଼ିଶାର ସାହିତ୍ୟ ଏବଂ ସଂସ୍କୃତିକୁ ସମ୍ମାନ ଦେଇଛନ୍ତି। ପରବର୍ତ୍ତୀ କାଳରେ ପ୍ରଫେସର୍‌ ରାଧାଗୋବିନ୍ଦ ତ୍ରିପାଠୀ ନିର୍ଦ୍ଦେଶକ ଥିବା ସମୟରେ ଉତ୍କଳପୀଠକୁ ବ୍ୟବସ୍ଥିତ କରି ବିଦ୍ୱାନଙ୍କୁ ସମ୍ମାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତତଃପରଂ ପ୍ରଫେସର୍‌ ନିରଞ୍ଜନ ମିଶ୍ର ନିର୍ଦ୍ଦେଶକ ଦାୟିତ୍ୱରେ ଉତ୍କଳପୀଠର ଶୈକ୍ଷିକ ଗବେଷଣା କାର୍ଯ୍ୟର ଦ୍ରୁତ ଅଗ୍ରଗତି ହେବା ସହିତ ଶ୍ରୀଜଗନ୍ନାଥ ମନ୍ଦିରରେ ନିତ୍ୟ ବେଦପାରାୟଣ ଏବଂ ପୂଜା ବିଧାନରେ ଅନେକ ସଂସ୍କାର ଆଣିପାରିଥିଲେ। ସମ୍ପ୍ରତି ଉତ୍କଳ ପୀଠ ଅନେକ ନୂତନ ଗବେଷଣାକାର୍ଯ୍ୟକୁ ହାତକୁ ନେବା ସହିତ ଶ୍ରୀଜଗନ୍ନାଥ ତତ୍ତ୍ୱର ପ୍ରଚାର ପ୍ରସାର ଏବଂ ଶ୍ରୀମନ୍ଦିରର ସେବା ତଥା ଯାତ୍ରା ବୈଶିଷ୍ଟ୍ୟ, ଶ୍ରୀଚୈତନ୍ୟଙ୍କର ଜୀବନଦର୍ଶନ ଏବଂ ଶ୍ରୀଜୟଦେବଙ୍କର ଗୀତଗୋବିନ୍ଦର ଭକ୍ତିତତ୍ତ୍ୱ ଉପରେ ବିଶେଷ ଗବେଷଣା କରିବା ପାଇଁ ସଂକଳ୍ପ ନେଇଛି।
ପ୍ରାଧ୍ୟାପକ ସାହିତ୍ୟ ବିଭାଗ,ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି, ଆ.ପ୍ର.
ମୋ:୮୮୯୭୪୨୬୨୪୩

Dharitri – Odisha’s No.1 Odia Daily

Share