ନାଲ୍‌କୋକୁ ଉତ୍କଳ-ଇ କୋଇଲା ବ୍ଲକ ଲିଜ୍‌

ଭୁବନେଶ୍ୱର,୧୭।୪: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)କୁ ଓଡ଼ିଶା ସରକାର ଉତ୍କଳ-ଇ କୋଇଲା ଖଣି ପାଇଁ ଲିଜ୍‌ ମଞ୍ଜୁର କରିଛନ୍ତି। ଏ ସଂକ୍ରାନ୍ତରେ ଇସ୍ପାତ ଏବଂ ଖଣି ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲ ୧୨ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଉତ୍କଳ- ଇ କୋଇଲା ଖଣି ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ନନ୍ଦିଛୋଡ, ଗୋପୀନାଥପୁର ଜଙ୍ଗଲ, କୁଣ୍ଡାଝରି ଜଙ୍ଗଲ, କୋଶଳ ଏବଂ କୋରଡା ଗ୍ରାମର ୫୨୩.୭୩ ହେକ୍ଟର ଜମିରେ ଅବସ୍ଥିତ। ଏହି ବ୍ଲକରେ ୭୦ ମିଲିୟନ ଟନ ଖଣିଜ ସଂରକ୍ଷିତ ରହିଛି। ଏହି ଖଣିରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାର୍ଷିକ ୨ ନିୟୁତ ଟନ୍‌ କୋଇଲା ଉତ୍ପାଦନ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚରେ ନାଲ୍‌କୋର ଉତ୍କଳ-ଡି କୋଇଲା ବ୍ଲକ ପାଇଁ ଲିଜ୍‌ କାର୍ଯ୍ୟକାରୀ ହୋଇଛି। ଉତ୍କଳ-ଡି ଏବଂ ଉତ୍କଳ-ଇ କୋଇଲା ବ୍ଲକର ମୋଟ କ୍ଷମତା ୧୭୫ ନିୟୁତ ଟନ୍‌। ଅନୁଗୋଳସ୍ଥିତ କମ୍ପାନୀର ନିଜସ୍ବ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ କୋଇଲା ଯୋଗାଣରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର, କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ଖଣି ଲିଜ୍‌ ପ୍ରଦାନ ଲାଗି ଧନ୍ୟବାଦ ଦେଇଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ଉତ୍କଳ-ଡି ବ୍ଲକରୁ ଉତ୍ପାଦନ ଆରମ୍ଭ ନେଇ ଯୋଜନା ରଖାଯାଇଛି। ଉତ୍କଳ ଇ- ଖଣି ପାଇବା ପରେ ଯୋଜନାବଦ୍ଧ ସମ୍ପ୍ରସାରଣ ଏବଂ କମ୍ପାନୀର ଅଭିବୃଦ୍ଧିରେ ଏହା ସହାୟକ ହେବ ବୋଲି ସେ ଆଶାବାଦୀ ରହିଛନ୍ତି। ଏହି ୨ ବ୍ଲକ କାର୍ଯ୍ୟକ୍ଷମ ହେଲେ କମ୍ପାନୀ ପ୍ରାରମ୍ଭିକ ବର୍ଷଗୁଡିକରେ ୪ ନିୟୁତ ଟନ୍‌ ଉତ୍ପାଦନ କରିବାରେ ସକ୍ଷମ ହେବ। ଏହି ୨ ବ୍ଲକର ଲିଜ୍‌ ନାଲ୍‌କୋକୁ ୩୦ ବର୍ଷ ଅବଧି ଲାଗି ପ୍ରଦାନ କରାଯାଇଛି।