ଥୁଆମୂଳ ରାମପୁର, ୭।୭ (ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀର ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଓ ପ୍ରତିଶ୍ରୁତି ଖିଲାପ ପ୍ରତିବାଦରେ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟଠାରେ ଏକ ବିଶାଳ ଗଣଘେରାଉ ଅନୁଷ୍ଠିତ ହୋଇଯାଇଛି। ମାଳିଗାଁ, ଗୋପୀନାଥପୁର ଏବଂ ଓଡ୍ରି ଗ୍ରାମପଞ୍ଚାୟତର ଶତାଧିକ କ୍ଷତିଗ୍ରସ୍ତ ଜନସାଧାରଣ ଏକ ବିଶାଳ ରାଲି କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ।
ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ଲକ ପରିସରରେ ଏକ ଜନଶୁଣାଣି ବୈଠକ ଡକାଯାଇଥିଲା। ଏଥିରେ ଭବାନୀପାଟଣା ଉପ-ଜିଲ୍ଲାପାଳ ପ୍ରଭାତ ପରିଡ଼ା, ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ସତ୍ୟ ସନାତନ ପାଣିଗ୍ରାହୀ ଏବଂ ଅତିରିକ୍ତ ତହସିଲଦାର ତପନ କୁମାର ପତିଙ୍କ ସମେତ ବହୁ ଜିଲ୍ଲା ଅଧିକାରୀ ଉପସ୍ଥିତ ଥିଲେ। ଅପରପକ୍ଷରେ, ଉତ୍କଳ ଆଲୁମିନା କମ୍ପାନୀ ତରଫରୁ CSR ଏଜିଏମ ମନୋଜ କୁମାର ଦାସ, ଜନସମ୍ପର୍କ ଅଧିକାରୀ ସୁଶାନ୍ତ ଧଳ ଏବଂ ଫାଇନାନ୍ସ ମ୍ୟାନେଜମେଣ୍ଟ ଅଧିକାରୀ ବିନୋଦ ପୂଜାରୀ ଆଲୋଚନାରେ ଭାଗ ନେଇଥିଲେ। ଆଇନଶୃଙ୍ଖଳା ରକ୍ଷା ପାଇଁ ସଦର SDPO ଏବଂ ଥାନା ଅଧିକାରୀ କୈବଲ୍ୟ ସେଠଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ଆନ୍ଦୋଳନର ମୁଖ୍ୟ ପ୍ରସଙ୍ଗ ଥିଲା ପ୍ରଭାବିତ ପରିବାରକୁ ଚୁକ୍ତି ମୁତାବକ ମାସିକ ଭତ୍ତା ପ୍ରଦାନ ନକରିବା। ଉତ୍ତ୍ୟକ୍ତ ଅଞ୍ଚଳବାସୀ ଚେତାବନୀ ଦେଇ କହିଛନ୍ତି, “କମ୍ପାନୀ ସ୍ଥାନୀୟ ଅଞ୍ଚଳର ବିକାଶ କରୁନାହିଁ। ଆମକୁ ଆଉ କିଛି ଦରକାର ନାହିଁ, ପୂର୍ବ ଚୁକ୍ତି ଅନୁଯାୟୀ ପ୍ରତ୍ୟେକ ପ୍ରଭାବିତ ପରିବାରକୁ ମାସିକ ୩ ରୁ ୫ ହଜାର ଟଙ୍କା ଲେଖାଏ ଭତ୍ତା ମିଳୁ।”
ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ସ୍ମାରକପତ୍ର ଅନୁଯାୟୀ, କମ୍ପାନୀ ସୁରକ୍ଷା ନିୟମକୁ ଆଖିବୁଜି ମାସକୁ ମାତ୍ର ୪ ଥର ବଦଳରେ ୨”୫ ରୁ ୩୦ ଥର” ପର୍ଯ୍ୟନ୍ତ ବ୍ଲାଷ୍ଟିଙ୍ଗ୍ କରୁଛି, ଯାହାଫଳରେ ସ୍ଥାନୀୟ ଜଳ, ବାୟୁ ଓ ମୃତ୍ତିକା ପ୍ରଦୂଷିତ ହେଉଛି। କାଶୀପୁର ଅଞ୍ଚଳରେ ୫ ଲକ୍ଷରୁ ଅଧିକ ଟଙ୍କାର କାମ ହେଉଥିବା ବେଳେ ମୂଳ ଖଣି ପ୍ରଭାବିତ ଥୁଆମୂଳ ରାମପୁର ଅଞ୍ଚଳରେ ମାତ୍ର ୨ ଲକ୍ଷରୁ କମ୍ ବ୍ୟୟରେ ଅତି ନିମ୍ନମାନର କାର୍ଯ୍ୟ କରାଯାଉଥିବା ନେଇ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ଗ୍ରାମଗୁଡ଼ିକରେ ସ୍ୱଚ୍ଛ ପାନୀୟ ଜଳ, ପକ୍କା ରାସ୍ତା, ଉଚ୍ଚଶିକ୍ଷା ପାଇଁ ITI କଲେଜ ଏବଂ ଓଡ୍ରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାନ୍ତି। ଫଳରେ ଶିକ୍ଷିତ ଯୁବକଯୁବତୀମାନେ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାୟନ କରୁଛନ୍ତି।
ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଆଜି (ଜୁଲାଇ ୭) ସୁଦ୍ଧା ସମସ୍ୟାର ସମାଧାନ କରିବା ବଦଳରେ କମ୍ପାନୀ କର୍ତ୍ତୃପକ୍ଷ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା ବାହାନାରେ ଆହୁରି ମାସେ ସମୟ ମାଗିଥିଲେ। ମାତ୍ର ଆନ୍ଦୋଳନକାରୀମାନେ ଏହାକୁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ବୈଠକ ବିଫଳ ହେବା ପରେ କ୍ଷତିଗ୍ରସ୍ତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ଯେ, ଯେ ପର୍ଯ୍ୟନ୍ତ ମାସିକ ଭତ୍ତା ସମେତ ସମସ୍ତ ଦାବି ପୂରଣ ନହୋଇଛି, ଆଗାମୀ ଦିନରେ ବାଫ୍ଲାମାଳି ଖଣି କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯିବ ଏବଂ ସମସ୍ତ ପରିବହନ ଗାଡ଼ିକୁ ଅଟକ ରଖି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ।