ନ୍ୟୁୟର୍କ/ଓ୍ବାଶିଂଟନ,୨୨ା୧୧: ଇରାନର ପେଟ୍ରୋଲିୟମ୍ ଏବଂ ପେଟ୍ରୋଲିୟମ୍ ଉତ୍ପାଦ ବିକ୍ରି ସହ ସମ୍ପୃକ୍ତ ଭାରତୀୟ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ଉପରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ କଟକଣା ଲଗାଇଛି। ଉକ୍ତ ବ୍ୟବସାୟରୁ ଉପାର୍ଜିତ ଅର୍ଥ ଇରାନ ସହ ଜଡ଼ିତ ଆଞ୍ଚଳିକ ଆତଙ୍କବାଦୀମାନଙ୍କ ପାଇଁ ବ୍ୟୟହେବା ସହ ଅସ୍ତ୍ରଶସ୍ତ୍ର କିଣାଯାଉଛି, ଯାହା ଆମେରିକା ପ୍ରତି ପ୍ରତ୍ୟକ୍ଷ ବିପଦ ବୋଲି ଓ୍ବାଶିଂଟନ ପକ୍ଷରୁ କୁହାଯାଇଛି। ବେଆଇନ ତୈଳ ବିକ୍ରିକରି ଇରାନୀୟ ଶାସକଙ୍କ ଅନିଷ୍ଟକାରୀ କାର୍ଯ୍ୟକଳାପରେ ପାଣ୍ଠି ବିନିଯୋଗ ପାଇଁ ଦାୟୀ ଶିପିଙ୍ଗ୍ ନେଟ୍ଓ୍ବର୍କ ଉପରେ ଆମେରିକା ପରରାଷ୍ଟ୍ର ଏବଂ ଟେଜେରି ବିଭାଗ କଟକଣା ଲଗାଇଛି। ସେହିପରି ଇରାନ ସମର୍ଥତ୍ତ ଆତଙ୍କବାଦୀ ସଂଗଠନକୁ ଅସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଉଥିବା ଏକ ଏୟାରଲାଇନ୍ ଓ ଏହାର ସହଯୋଗୀ ସଂସ୍ଥା ଉପରେ କଟକଣା ଲାଗିଛି।
ଟେଜେରି ବିଭାଗର ବିଦେଶୀ ସମ୍ପତ୍ତି ନିୟନ୍ତ୍ରଣ ସ୍ବତନ୍ତ୍ର ଜାତୀୟ ତାଲିକାରେ ଭାରତୀୟ ନାଗରିକ ଜୈର ହୁସେନ୍ ଇକ୍ବାଲ ହୁସେନ୍ ସୟେଦ, ଜୁଲ୍ଫଇକର ହୁସେନ ରିଜଭି ସୟେଦ, ମହାରାଷ୍ଟ୍ରର ଅର୍ଏନ୍ ଶିପ୍ ମ୍ୟାନେଜ୍ମେଣ୍ଟ ପ୍ରା. ଲିଃ ଏବଂ ପୁଣେର ଟିଆର୍୬ ପେଟ୍ରୋ ଇଣ୍ଡିଆ ଏଲ୍ଏଲ୍ପି ରହିଛି। ସେହିପରି ପରରାଷ୍ଟ୍ର ବିଭାଗର କଟକଣା ତାଲିକାରେ ଭାରତ, ପାନାମା, ସିଚେଲ୍ସ ସମେତ ବିଭିନ୍ନ ଦେଶର ୧୭ଟି ସଂସ୍ଥା , ବ୍ୟକ୍ତିବିଶେଷ ଓ ଜାହାଜ ରହିଛି। ଇରାନରୁ ପେଟ୍ରୋଲିୟମ୍ ଓ ପେଟ୍ରୋକେମିକାଲ ରପ୍ତାନିରେ ସମ୍ପୃକ୍ତ ତଥା ଇରାନକୁ କ୍ଷତିକାରକ କାର୍ଯ୍ୟକଳାପ ଲାଗି ସହାୟତା ଯୋଗାଇବା ନିମନ୍ତେ ଆର୍ଥତ୍କ ଓ ବ୍ୟବସାୟିକ କାର୍ଯ୍ୟରେ ସମ୍ପୃକ୍ତ ୪୧ ସଂସ୍ଥା, ବ୍ୟକ୍ତିବିଶେଷ, ଜାହାଜ, ବିମାନକୁ ଟେଜେରି ବିଭାଗ ତାଲିକାଭୁକ୍ତ କରିଛି। ଇରାନୀୟ ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ୍ ସାମଗ୍ରୀ ପରିବହନରେ ସମ୍ପୃକ୍ତ ସାମୁଦ୍ରିକ ସେବ ପ୍ରଦାନକାରୀ, ପ୍ରତିବନ୍ଧକ ଲାଗିଥିବା ସାମଗ୍ରୀ ପରିବହନ କରୁଥିବା ଜାହାଜ ଏବଂ ପେଟ୍ରୋଲିୟମ୍ ଉତ୍ପାଦ ଟ୍ରେଡର ନେଟ୍ଓ୍ବର୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଆମେରିକା କହିଛି।


