ଓ୍ବାଶିଂଟନ୍,୩୧ା୧: ଯୌନ କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍ଷ୍ଟେଇନ୍ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। କମ୍ ବୟସ୍କା ଯୁବତୀମାନଙ୍କୁ ଯୌନ ଶୋଷଣ ଏବଂ ଧନୀ ତଥା ପ୍ରଭାବଶାଳୀ ଲୋକମାନଙ୍କ ସହ ଏପ୍ଷ୍ଟେଇନ୍ଙ୍କ ଯୋଗାଯୋଗ ରହିଥିଲା। ଏପ୍ଷ୍ଟେଇନ୍ଙ୍କ ସଦ୍ୟ ପ୍ରକାଶିତ ଫାଇଲ୍ରେ ୩ ନିୟୁତରୁ ଊର୍ଦ୍ଧ୍ୱ ପୃଷ୍ଠା ରହିଥିବା ଡେପୁଟି ଆଟର୍ନି ଜେନେରାଲ ଟୋଡ୍ ବ୍ଲାଞ୍ଚେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଫାଇଲଗୁଡ଼ିକୁ ନ୍ୟାୟ ବିଭାଗ ଓ୍ବେବ୍ସାଇଟ୍ରେ ପୋଷ୍ଟ କରାଯାଇଛି। ଗତ ଡିସେମ୍ବରରେ କେତେକ ରେକର୍ଡ ପ୍ରକାଶ ପାଇଥିବାବେଳେ ଉକ୍ତ ରେକର୍ଡ ପ୍ରକାଶନକୁ ସ୍ଥଗିତ ରଖାଯାଇଥିଲା। ବ୍ଲାଞ୍ଚେ କହିଛନ୍ତି, ସମସ୍ତ ମହିଳାଙ୍କ ଫଟୋକୁ ଲୁଚାଯାଉଥିଲା କିନ୍ତୁ ଏପ୍ଷ୍ଟେଇନ୍ଙ୍କ ସାଥୀ ଘିସ୍ଲେନ୍ ମାକ୍ସଓ୍ବେଲଙ୍କ ଛବିକୁ ସେଥିରୁ ବାଦ୍ ଦିଆଯାଇଥିଲା। ନୂତନ ପର୍ଯ୍ୟାୟରେ ସ୍ପଷ୍ଟ ଫଟୋ ପ୍ରକାଶ କରାଯାଇଥିବାରୁ ସେମାନଙ୍କ ବୟସ ଯାଞ୍ଚ୍ କରିବାରେ ନ୍ୟାୟ ବିଭାଗ ପ୍ରତିବନ୍ଧକର ସମ୍ମୁଖୀନ ହେବ। ଏପ୍ଷ୍ଟେଇନ୍ ଓ ତାଙ୍କ ଘନିଷ୍ଠ ତଥା ଏକଦା ବାନ୍ଧବୀ ଥିବା ମାକ୍ସଓ୍ବେଲଙ୍କ ଉପରେ ଥିବା ଦସ୍ତାବିଜଗୁଡ଼ିକୁ ପ୍ରକାଶ କରିବା ନେଇ ବହୁମାସ ହେଲା ଜନସାଧାରଣ ଏବଂ ରାଜନୈତିକ ଦଳ ପକ୍ଷରୁ ଚାପ ପକାଯାଇଆସୁଥିଲା।

