ଓବୁର୍ଜେନ୍,୨୩ା୬: ସୁଇଜରଲାଣ୍ଡରେ ଆମେରିକା ଏବଂ ଇରାନର ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସୋମବାର ଶେଷ ହୋଇଥିବା ମଧ୍ୟସ୍ଥମାନେ କହିଛନ୍ତି। ୧୦୦ ଦିନରୁ ଊର୍ଦ୍ଧ୍ୱ ଚାଲିଥିବା ଯୁଦ୍ଧକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚିବା ନିମନ୍ତେ ଏକ କାର୍ଯ୍ୟଯୋଜନାରେ ଉଭୟ ପକ୍ଷ ସହମତ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍କୁ ଖୋଲା ରଖିବା ଏବଂ ଲେବାନନ୍ରେ ଯୁଦ୍ଧ ବନ୍ଦ ପାଇଁ ଇରାନ ଓ ଆମରିକା ମଧ୍ୟରେ ଏକ ସିଧାସଳଖ ଯୋଗାଯୋଗ ବ୍ୟବସ୍ଥା କରିବାକୁ ସହମତ ହୋଇଛି। ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ଇରାନ ପାର୍ଲାମେଣ୍ଟ ସ୍ପିକର ମହମ୍ମଦ ବଘେର ଘଲିବାଫ୍ଙ୍କ ନେତୃତ୍ୱରେ ୨ ଟିମ୍ ରବିବାରଠାରୁ ଆଲୋଚନା ଆରମ୍ଭ କରିଥିଲେ। ଗତ ସପ୍ତାହରେ ୨ ଦେଶ ମଧ୍ୟରେ ଅନ୍ତରୀଣ ଚୁକ୍ତିନାମା ସ୍ବାକ୍ଷର ହୋଇଥିବାବେଳେ ୬୦ ଦିନ ମଧ୍ୟରେ ଚୂଡ଼ାନ୍ତ ଚୁକ୍ତିନାମାରେ ବା ପାଇଁ ସୁଇଜଲାଣ୍ଡରେ ଆଲୋଚନା ଆରମ୍ଭ ହୋଇଥିଲା। ଏହି ଚୁକ୍ତିନାମାରେ ପହଞ୍ଚିବା ପାଇଁ ହୋଇଥିବା ରୋଡ୍ମ୍ୟାପ୍ରେ ଆମେରିକା ଓ ଇରାନ ରାଜି ଥିବା ମଧ୍ୟସ୍ଥ ପାକିସ୍ତାନ ଓ କାତାର ପକ୍ଷରୁ କୁହାଯାଇଛି। ବୁର୍ଗେନଷ୍ଟକ୍ସ୍ଥିତ ସୁଇସ୍ ରିସର୍ଟରେ ବୈଷୟିକ ଆଲୋଚନା ଚଳିତ ସପ୍ତାହରେ ଜାରି ରହିବ। ଇରାନ ସହ ଶାନ୍ତି ଆଲୋଚନାରେ ଏକ ସଫଳ ଚୂଡ଼ାନ୍ତ ଚୁକ୍ତିନାମା ଲାଗି ଭଲ ମୂଳଦୁଆ ପଡ଼ିଲା ବୋଲି ଭାନ୍ସ କହିଛନ୍ତି। ଚୂଡ଼ାନ୍ତ ଡିଲ୍ ହେଉଛି ଘର। ଆମେ ଘର କରିନାହୁଁ, କେବଳ ଏକ ସଫଳ ମୂଳଦୁଆ ପକାଇଛୁ ବୋଲି ଭାନ୍ସ କହିଛନ୍ତି। ଆମେରିକାରୁ ବିଭିନ୍ନ ସୋୟାବିନ୍, ଗହମ ଏବଂ ମକା କିଣିବା ସର୍ତ୍ତରେ ଇରାନକୁ ବିଭିନ୍ନ ବ୍ୟାଙ୍କରେ ଅଟକି ରହିଥିବା ପାଣ୍ଠି ବ୍ୟବହାର ପାଇଁ ଅନୁମତି ମିଳିପାରେ ବୋଲି ଭାନ୍ସ ସୂଚନା ଦେଇଛନ୍ତି।