ଢେଙ୍କାନାଳରେ ଆମେରିକା ପ୍ରତିନିଧି ଦଳ

ଢେଙ୍କାନାଳ ଅଫିସ, ୧୬।୬ – ଆମେରିକାର ବିଲ୍‌ ଆଣ୍ଡ୍‌ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନ (ବିଏମ୍‌ଜିଏଫ୍‌)ର ଏକ ପ୍ରତିନିଧି ଦଳ ବୁଧବାର ଢେଙ୍କାନାଳ ଜିଲା ପରିଦର୍ଶନରେ ଆସିଛନ୍ତି। ବିଏମ୍‌ଜିଏଫ୍‌ର ବ୍ରିଆନ୍‌ ଆର୍‌ବୋଗାଷ୍ଟଙ୍କ ନେତୃତ୍ୱରେ ରୋଶନ ଶ୍ରୋଷ୍ଠା, ଅର୍ଚ୍ଚନା ବ୍ୟାସ, ସଫି ଗୁଡୱାନୀ ପ୍ରମୁଖ ପୌରାଞ୍ଚଳର ୮ନଂ. ୱାର୍ଡ ବାଞ୍ଛକୁସୁମସ୍ଥିତ ମଳପଙ୍କ ପରିଚାଳନା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏଥିସହ ସେଠାରେ ନିୟୋଜିତ ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସହିତ କେନ୍ଦ୍ରର ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ।
ପୌରାଞ୍ଚଳ ସମେତ ୫ ପଞ୍ଚାୟତକୁ ନେଇ ଉକ୍ତ ମଳପଙ୍କ ପରିଚାଳନା କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। ଉକ୍ତ ୫ ପଞ୍ଚାୟତର ସରପଞ୍ଚଙ୍କ ସହ ମଳପଙ୍କ ପରିଚାଳନା ସମ୍ପର୍କରେ ଭାବବିନିମୟ କରିଥିଲେ। ଜାଗା ମିଶନ କାର୍ଯ୍ୟ କରୁଥିବା ସ୍ଥାନରେ ଡ୍ରେନ୍‌ ପାଣିକୁ ଫିଲ୍ଟର କରାଯାଇ ଭୂତଳଗାମୀ କରାଯାଉଛି। ଉକ୍ତ ପ୍ରକଳ୍ପ ସ୍ଥଳ ବୁଲି ଜ୍ଞାନ ଆହରଣ କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରତିନିଧି ଦଳ ସମେତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ପିଡି ଡିଆର୍‌ଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ବିଡିଓ ସୁଧୀର କୁମାର ନାୟକ, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ପୌରଯନ୍ତ୍ରୀ ରଶ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ସ୍ଥାନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାର ୨ବର୍ଷ ପରେ ବନ୍ଦ ହୋଇଯାଉଛି। ତେବେ ଢେଙ୍କାନାଳରେ ୪ବର୍ଷ ହେବ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠିକ୍‌ ପରିଚାଳନା ଯୋଗୁ ଏହା କାର୍ଯ୍ୟକ୍ଷମ ରହିଛି। ଏହାକୁ ନେଇ ପ୍ରତିନିଧି ଦଳ ସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରାରମ୍ଭରେ ପ୍ରତିନିଧି ଦଳକୁ ପାରମ୍ପରିକ ଆଦିବାସୀ ନୃତ୍ୟ ମାଧ୍ୟମରେ ସ୍ବାଗତ କରାଯାଇଥିଲା। ପୌରସଂସ୍ଥା ଓ ପ୍ରଶାସନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପ୍ରତିନିଧି ଦଳ ସହିତ ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ ସଂସ୍ଥା, ଆର୍‌ନେଷ୍ଟ, ୟଙ୍ଗେଷ୍ଟ ସଂସ୍ଥାର କର୍ମକର୍ତ୍ତାମାନେ ମଧ୍ୟ ପ୍ରକଳ୍ପ ପରିଦର୍ଶନ କରିଥିଲେ।