ଊର୍ମିଳା ମିଶ୍ର ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା

ଭୁବନେଶ୍ୱର, ୧୬।୯:  ଡକ୍ଟର ଉର୍ମିଳା ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ) ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ ନିଯୁକ୍ତି ଦିଆଯାଇଛି। ସେ ବର୍ତ୍ତମାନ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ ଥିବାବେଳେ ଏହି ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ। ଏହା ପୂର୍ବରୁ ମଧ୍ୟ ସେ ରାଜ୍ୟ ରକ୍ତ ସଞ୍ଚାରଣ ପରିଷଦର ନିର୍ଦ୍ଦେଶିକା ଥିଲେ। ବୁଧବାର ସେ ନୂଆ ଦାୟିତ୍ୱ ଗ୍ରହଣ କରିବା ଅବସରରେ ଓସାକ୍ସର କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ଡକ୍ଟର ମିଶ୍ରଙ୍କୁ ସ୍ବାଗତ କରିଥିଲେ। ଏଚ.ଆଇ.ଭି./ଏଡସ୍‌ ଦୂରୀକରଣ ଦିଗରେ ଓସାକ୍ସର କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ବିତ କରିବା ପାଇଁ ପ୍ରକଳ୍ପ ନିର୍ଦ୍ଦେଶିକା ମିଶ୍ର ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ୨୦୩୦ ସୁଦ୍ଧା ଏଡସ୍‌ର ମୂଳୋତ୍ପାଟନ ପାଇଁ ମିଳିତ ଜାତିସଂଘର ଲକ୍ଷ୍ୟ ହାସଲ କ୍ଷେତ୍ରରେ ଓଡ଼ିଶାର ବଡ଼ ଯୋଗଦାନ ପାଇଁ ସେ ସମସ୍ତଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପ୍ରକାଶଥାଉ କି, ତାଙ୍କ ପୂର୍ବରୁ ଡକ୍ଟର ସଂଯୁକ୍ତା ସାହୁ ଓସାକ୍ସ ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ କାର୍ଯ୍ୟଭାର ତୁଲାଉଥିଲେ।