ସହରୀ ବନ୍ୟା

କର୍ନାଟକରେ ୧୮ ମେ’ରୁ ହୋଇଥିବା ପ୍ରବଳ ବର୍ଷାରେ ୫ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହାର ରାଜଧାନୀ ବେଙ୍ଗାଲୁରୁରେ ଜଣେ ନାବାଳକଙ୍କ ସମେତ ୩ ଜଣ ସହରୀ ବନ୍ୟାରେ ପ୍ରାଣ ହରାଇଲେଣି। ସହରୀ ବନ୍ୟା ନାମକରଣର ଯଥାର୍ଥତା ହେଲା ଯେ, ଅଚାନକ ହେଉଥିବା ବର୍ଷାର ଜଳ ଠିକ୍‌ ଭାବେ ନିଷ୍କାସନ ହୋଇପାରୁ ନ ଥିବାରୁ ତାହା ରାସ୍ତା ଉପରେ ବହିଚାଲିଛି। ଫଳରେ ଟ୍ରାଫିକ୍‌ ଜାମ୍‌ ହେବା, ଘର ଭିତରେ ପାଣି ପଶିଯିବା, ବିଦ୍ୟୁତ୍‌କାଟ ଯୋଗୁ ଦେଶର ଆଇଟି ହବ୍‌ ଭାବେ ପରିଚିତ ବେଙ୍ଗାଲୁରୁବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହର ଭିତରେ ଲୋକେ ଡଙ୍ଗାରେ ଯା’ଆସ କରିବା ଦେଖିବାକୁ ମିଳିଛି। ଭାରତ ପାଣିପାଗ ବିଭାଗ (ଆଇଏମ୍‌ଡି) ଆସନ୍ତା ୨୨ ତାରିଖ ଯାଏ ବେଙ୍ଗାଲୁରୁକୁ ମିଶାଇ କର୍ନାଟକର ୨୩ ଜିଲାରେ ପ୍ରବଳ ବର୍ଷା ହେବା ନେଇ ହାଇଆଲର୍ଟ ଜାରି କରିଛି।
ଦେଖିବାକୁ ଗଲେ ପ୍ରଥମ ଥର ବେଙ୍ଗାଲୁରୁ ଏଭଳି ସଙ୍କଟ ଦେଇ ଗତି କରି ନାହିଁ। ବିଗତ ବର୍ଷଗୁଡ଼ିକରେ ସମାନ ପ୍ରକାର ଅସୁବିଧା ଦେଖିବାକୁ ମିଳିଥିଲା। କିନ୍ତୁ ଏଥର ମୌସୁମୀ ଆସିବା ପୂର୍ବରୁ ସହରର ଅବସ୍ଥା ଯେଭଳି ହୋଇଛି, ତାହା ସେଠାକାର ନଗରବାସୀଙ୍କ ଚିନ୍ତାକୁ ଅଧିକ ବଢ଼ାଇ ଦେଇଛି। କେବଳ ବେଙ୍ଗାଲୁରୁ ନୁହେଁ, ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ବୃହତ୍‌ ନଗରାଞ୍ଚଳରେ ଗତ କିଛି ବର୍ଷ ହେବ ପ୍ରବଳ ବର୍ଷା ଯୋଗୁ ସମାନ ଧରଣର ସ୍ଥିତି ଉପୁଜୁଛି। ଏହାର ନିରାକରଣ ପାଇଁ ହେଉଥିବା ଯୋଜନା ଫଳପ୍ରସୂ ହେଉ ନ ଥିବାରୁ ଆଗକୁ ଜଳପ୍ଳାବନଜନିତ ସଙ୍କଟ ବଢ଼ିବାର ଆଶଙ୍କା ଉପୁଜିଲାଣି। ଉଚ୍ଚ କୋଠାବାଡ଼ି, ଚକଚକିଆ ସଡ଼କ, ଶକ୍ତିଶାଳୀ କେବୁଲ ବିଛେଇ ଭିତ୍ତିଭୂମି ଉନ୍ନତି କରିଦେଲେ ତାହା ବାସ୍ତବ ବିକାଶ ବୋଲି ଧରାଯିବ ନାହିଁ। ଏ କ୍ଷେତ୍ରରେ ସହରର ରୋଡ୍‌ ଇଞ୍ଜିନିୟରିଂକୁ ଆହୁରି ବ୍ୟବସ୍ଥିତ କରାଯିବା ଦରକାର। ଡ୍ରେନ୍‌ଗୁଡ଼ିକ ଜରିଆରେ ବନ୍ୟା ଜଳକୁ ନଦୀ କିମ୍ବା କେନାଲ ଯାଏ ବିନା ବାଧାରେ ପ୍ରବାହିତ ହେବାକୁ ଦିଆଗଲେ ସ୍ଥିତିରେ ପରିବର୍ତ୍ତନ ଆସିପାରନ୍ତା। କିନ୍ତୁ ଦେଖାଯାଉଛି ଅଧିକାଂଶ ଡ୍ରେନ୍‌ ଅଳିଆଆବର୍ଜନାରେ ପରିପୂର୍ଣ୍ଣ ରହୁଛି। ନର୍ଦ୍ଦମା ସହ ବର୍ଷାପାଣି ମିଶି ଯାଉଥିବାରୁ ଡ୍ରେନ୍‌ଗୁଡ଼ିକ ଜାମ୍‌ ହୋଇଯାଉଛି। ସହରୀ ବନ୍ୟାର ଏହା ବଡ଼ କାରଣ ପାଲଟିଛି। ବର୍ଷା ହେବା ନେଇ ସତର୍କତା ଜାରି ହେବା ପରେ ଡ୍ରେନ୍‌ଗୁଡ଼ିକୁ ହଠାତ୍‌ ସଫା କରିବା କଦାପି ସମ୍ଭବ ନୁହେଁ। ଏକ ନିୟମିତ ପ୍ରକ୍ରିୟା ଭାବେ ଏହାକୁ ପରିଷ୍କାର ରଖାଗଲେ ପ୍ରବଳ ବର୍ଷା ହେଲେ ମଧ୍ୟ ତତ୍‌କ୍ଷଣାତ୍‌ ସହରୀ ବନ୍ୟାକୁ ଏଡ଼ାଇ ଦିଆଯାଇପାରନ୍ତା। ଆଉ ଏକ ସମସ୍ୟା ହେଲା ସହରରେ ଥିବା ଜଳାଶୟକୁ ପୋତି ଦିଆଯାଇ ତା’ ଉପରେ କୋଠାବାଡ଼ି ନିର୍ମାଣ କରି ଦିଆଯାଉଛି। ବେଙ୍ଗାଲୁରୁ କଥା ଦେଖିଲେ ବୃହତ୍‌ ବେଙ୍ଗାଲୁରୁ ମହାନଗରପାଳ (ବିବିଏମ୍‌ପି) ସର୍ଭେରୁ ଜଣାପଡ଼ିଛି ଯେ, ନଗରର ପରିଧି ଅଞ୍ଚଳରେ ଥିବା ପାଖାପାଖି ୨୦୨ ହ୍ରଦ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଜବରଦଖଲରେ ରହିଛି। ଦିନେ ହଜାରେ ହ୍ରଦର ସହର ଭାବେ ପରିଚିତ ଥିବା ବେଙ୍ଗାଲୁରୁର ଏଭଳି ସ୍ଥିତି ଜଳଧାରଣ କରିବାରେ ଅସହାୟ ହୋଇପଡ଼ିଛି। ୨୦୨୨ ଅଗଷ୍ଟ ବେଳେ ହୋଇଥିବା ବର୍ଷା ଯୋଗୁ ବେଙ୍ଗାଲୁରୁବାସୀ ଘୋର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେଥିରୁ ବେଙ୍ଗାଲୁରୁ ନଗର କର୍ତ୍ତୃପକ୍ଷ ଶିକ୍ଷା ଗ୍ରହଣ କରିପାରି ନ ଥିବା ଏବର ସ୍ଥିତି ସୂଚାଇ ଦେଉଛି।
ଏଭଳି ପରିପ୍ରେକ୍ଷୀରେ ଭୁବନେଶ୍ୱରକୁ ଫେରିଲେ ସହରୀ ବନ୍ୟାକୁ କିଛି ବର୍ଷ ହେବ ଏଠାକାର ବାସିନ୍ଦା ପ୍ରତ୍ୟକ୍ଷ କରୁଛନ୍ତି। ମନେପଡ଼େ ୧୯ ସେପ୍ଟେମ୍ବର ୨୦୨୧ରେ ବରମୁଣ୍ଡା ପାଲାମଣ୍ଡପ ସାହିର ଜଣେ ୧୫ ବର୍ଷୀୟ ବାଳକ ଏବଂ ୧୮ ଜୁନ୍‌ ୨୦୨୪ରେ ୟୁନିଟ୍‌ ୩ ଅଞ୍ଚଳରେ ଥିବା ଏକ ଡ୍ରେନ୍‌ରେ ୧୦ ବର୍ଷର ବାଳକ ଭାସି ଯାଇ ପ୍ରାଣହରାଇଥିବା ଘଟଣା। ଡ୍ରେନ୍‌ ଠିକ୍‌ ଭାବେ ସଫା ନ ହେବା ଓ ଜବରଦଖଲ ଦିଗରୁ ଦେଖିଲେ ଭୁବନେଶ୍ୱର ସହରୀ ବନ୍ୟାରୁ ମୁକ୍ତ ହୋଇପାରୁ ନାହିଁ। ସହରର ଅଧିକାଂଶ ଅଞ୍ଚଳ କଂକ୍ରିଟମୟ ହୋଇଯାଇଥିବାରୁ ସାଧାରଣ ବର୍ଷା ଜଳ ଶୋଷିବା ଲାଗି ମାଟି ଦେଖାଯାଉ ନାହିଁ। ଅନ୍ୟ ଏକ ଦିଗକୁ ଦେଖିଲେ ଦେଶର ହାତଗଣତି ମହାନଗର କିମ୍ବା ବିକାଶଶୀଳ ସହରକୁ ରୋଜଗାର ପାଇଁ ଲୋକଙ୍କ ସୁଅ ଛୁଟୁଛି। ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯେତେ ଲୋକ ରହିବା କଥା, ତାହାଠାରୁ କାହିଁରେ କେତେ ବଢ଼ିଯାଉଥିବାରୁ ସହର ଉପରେ ଅତ୍ୟଧିକ ବୋଝ ପଡ଼ୁଛି। ସେହି ଅନୁଯାୟୀ ରାସ୍ତାଘାଟ, ଡ୍ରେନ୍‌ର ଉନ୍ନତୀକରଣ ସହିତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇପାରୁ ନ ଥିବାରୁ ସମସ୍ୟା ଉପୁଜୁଛି। ଯଦି ଛୋଟ ସହର କିମ୍ବା ଗ୍ରାମାଞ୍ଚଳରେ ରୋଜଗାରର ସୁବିଧା ବଢ଼ାଯାଇପାରନ୍ତା, ତାହା ହେଲେ ବଡ଼ ସହରଗୁଡ଼ିକ ଉପରେ ଅଧିକ ଚାପ ପଡ଼ନ୍ତା ନାହଁ।
ତେବେ ସହରୀ ବନ୍ୟା ପାଇଁ କର୍ତ୍ତୃପକ୍ଷଙ୍କ ଯେଭଳି ଦାୟିତ୍ୱ ରହିଛି ସାଧାରଣ ନାଗରିକ ମଧ୍ୟ ନିଜ ଆଡ଼ୁ ପଦକ୍ଷେପ ନେବାର ସମୟ ଆସିଲାଣି। ଘରମାଲିକମାନେ ବର୍ଷାଜଳ ଅମଳ କରିବା ନିତାନ୍ତ ଆବଶ୍ୟକ। ଉଲ୍ଲେଖଯୋଗ୍ୟ, ଛାତର ପ୍ରତି ବର୍ଗମିଟରରେ ୬୦ ଲିଟର ଏବଂ ଅନ୍ୟ ପକ୍କା ସ୍ଥାନରେ ଏକ ବର୍ଗ ମିଟରରେ ୩୦ ଲିଟର ବର୍ଷାଜଳ ଅମଳ କରିବା କିମ୍ବା ମାଟି ଭିତରକୁ ଛାଡ଼ିଦେବା ନିୟମ ବେଙ୍ଗାଲୁରୁରେ କରାଯାଇଛି। ତାହା ଠିକ୍‌ ଭାବେ ପାଳନ କରାଗଲେ ବନ୍ୟା ଆଶଙ୍କା ୩ ଗୁଣା କମିପାରନ୍ତା ବୋଲି ଆକଳନ କରାଯାଇଛି। କହିବାକୁ ଗଲେ ସହରୀ ବନ୍ୟା କେବଳ ଅତ୍ୟଧିକ ବର୍ଷା ଯୋଗୁ ହେଉଛି ବୋଲି କହିହେବ ନାହିଁ, ବରଂ ଦୁର୍ବଳ ନଗର ଯୋଜନା ଓ ଲୋକଙ୍କ ଅସଚେତନତା ଦୁଃଖ ବଢ଼ାଇ ଦେଉଛି। ପରିବର୍ତ୍ତିତ ସ୍ଥିତିରେ ବର୍ଷାକୁ ନିନ୍ଦା ନ କରି ନଗର କର୍ତ୍ତୃପକ୍ଷ ଓ ସହରାଞ୍ଚଳବାସୀ ସତର୍କତା ଅବଲମ୍ବନ ନ କଲେ ଆଗକୁ ସମସ୍ୟା ବଢ଼ିଯିବା ଥୟ।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri