ସ୍ବାମୀଙ୍କ ମୃତ୍ୟୁ ଖବର ପାଇ ଚାଲିଗଲେ ସ୍ତ୍ରୀ: ଗୋଟିଏ ଜୁଇରେ ଜଳିଲେ ଦମ୍ପତି

ବରଗଡ଼ ଅଫିସ୍‌,୧୯।୫: ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଧୀନ ଚିଚିଣ୍ଡା ଗ୍ରାମରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ସ୍ବାମୀଙ୍କ ମୃତ୍ୟୁର ୫ମିନିଟ୍‌ ପରେ ହୃଦଘାତରେ ଚାଲିଯାଇଛି ସ୍ତ୍ରୀଙ୍କ ଜୀବନ। ମୃତକ ହେଲେ ଉକ୍ତ ଗ୍ରାମର ଗିରିଧାରୀ ମେହେର(୫୦) ଏବଂ ତାଙ୍କର ସ୍ତ୍ରୀ କ୍ଷୀରବତୀ(୪୮)। ଭେଡ଼େନ କୋଭିଡ୍‌ ସ୍ବର୍ଗଦ୍ୱାରର ଗୋଟିଏ ଜୁଇରେ ଦମ୍ପତିଙ୍କ ଅନ୍ତିମ ସତ୍କାର କରାଯାଇଛି । ଘଟଣାଟି ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଛି।

ଗିରିଧାରୀ ଦିନକ ପୂର୍ବରୁ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇ ସଙ୍ଗରୋଧରେ ରହିଥିଲେ। ବୁଧବାର ପୂର୍ବାହ୍ନ ୧୧ଟାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଭେଡ଼େନ ସ୍ବାସ୍ଥ୍ୟକେନ୍ଦ୍ର ନେଉଥିଲେ। ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ତାଙ୍କର ଜୀବନ ଚାଲିଯାଇଥିଲା। ଅନ୍ୟପକ୍ଷେ ସ୍ବାମୀଙ୍କ ମୃତ୍ୟୁ ଖବର ପାଇ ସ୍ତ୍ରୀ କ୍ଷୀରବତୀଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି। ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ଭରସା ପରିବାରର ଟୁକୁ ଦୁଆରି, ହୀରା ମହାକୁର, ତହସିଲଦାର ଅନୀଲ ହୋତା, ବିଡ଼ିଓ ରଘୁନାଥ ପାଣିଗ୍ରାହୀ, ସରପଞ୍ଚ ସୁଶାନ୍ତ ପ୍ରଧାନ, ସମିତିସଭ୍ୟ ମୁକେଶ ସାହୁ ପ୍ରମୁଖ ଅନ୍ତିମ ସତ୍କାର ସମୟରେ ଉପସ୍ଥିତ ଥିଲେ।