ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ଯାଚିକା ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, RBI ଏବଂ NPCIକୁ ନୋଟିସ ଜାରି କରିଛନ୍ତି। ତେବେ ସୋମବାର (୨୮ ସେପ୍ଟେମ୍ବର) କୋର୍ଟ ଏହି ବ୍ୟବସ୍ଥା ଲାଗୁ କରିବା ଉପରେ ରୋକ ଲଗାଇବାକୁ ମନା କରିଛନ୍ତି। କେନ୍ଦ୍ର ସରକାର, ରିଜର୍ଭ ବ୍ୟାଙ୍କ ଏବଂ NPCIକୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କୋର୍ଟ କହିଛନ୍ତି।
ଯାଚିକାକର୍ତ୍ତାଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଉପଯୁକ୍ତ ଆଲୋଚନା ବିନା ଏହି ବ୍ୟବସ୍ଥା ଅଣାଯାଉଛି। ଏହା ଲାଗୁ କରିବା ସମୟରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ମଧ୍ୟ ପାଳନ କରାଯାଇନାହିଁ। ଏହା ଛୋଟ ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ବୋଝ ପକାଇବ ବୋଲି ଯାଚିକାରେ ଦର୍ଶାଯାଇଛି। UPI ଉପରେ ଅତିରିକ୍ତ ଶୁଳ୍କ ଏଡ଼ାଇବା ପାଇଁ ପୁଣି ଥରେ ନଗଦ ପେମେଣ୍ଟ ଦାବି ବଢ଼ିପାରେ। ଏହା ଡିଜିଟାଲ ଅର୍ଥନୀତି ଲାଗୁ କରିବାର ଲକ୍ଷ୍ୟକୁ ପ୍ରଭାବିତ କରିପାରେ ବୋଲି ଯାଚିକାକର୍ତ୍ତା କହିଛନ୍ତି।
ଶୁଣାଣି ସମୟରେ ଯାଚିକାକର୍ତ୍ତାଙ୍କ ଓକିଲ କହିଥିଲେ ଯେ, UPI ଆସିବା ପରଠାରୁ କଳାଧନ କାରବାରରେ ହ୍ରାସ ଘଟିଛି। ଏହା ଉପରେ ଅତିରିକ୍ତ ସଲିସିଟର ଜେନେରାଲ ଭେଙ୍କଟରମଣ କହିଥିଲେ ଯେ, ଏହା ଏପର୍ଯ୍ୟନ୍ତ ଲାଗୁ ହେବା ବାକି ଅଛି। ଅକ୍ଟୋବର ୧୫ ପ୍ରଥମ ପର୍ଯ୍ୟାୟ ହେବ। ଗେଟୱେ ବ୍ୟବହାର କରୁଥିବା ୯୬ ପ୍ରତିଶତ ଲୋକଙ୍କୁ ଏଥିରୁ ଛାଡ଼ ଦିଆଯାଇଛି ବୋଲି ସେ କହିଥିଲେ। ଏହାପରେ ଜଷ୍ଟିସ ଜୟମାଲ୍ୟ ବାଗଚୀ ପ୍ରଶ୍ନ କରିଥିଲେ ଯେ, ଏଭଳି ଆଦାୟ କରିବାର ଏକ୍ଜିକ୍ୟୁଟିଭ କ୍ଷମତା କ’ଣ? ଯଦି ଏହା ଏକ ଫି’ ହୋଇଥାନ୍ତା, ତେବେ ଆମେ ବୁଝିପାରିଥାନ୍ତୁ। ଏହା ଫି’ ନୁହେଁ, ତେବେ ଏହାର ସ୍ବରୂପ କ’ଣ ବୋଲି ସେ ପ୍ରଶ୍ନ କରିଥିଲେ।
ଅତିରିକ୍ତ ସଲିସିଟର ଜେନେରାଲ କହିଥିଲେ ଯେ, ଡେବିଟ କିମ୍ବା କ୍ରେଡିଟ କାର୍ଡ ଜରିଆରେ କାରବାର କରିବାରେ ଖର୍ଚ୍ଚ ହୋଇଥାଏ। UPI ମଧ୍ୟ ଏଥିରୁ ଅଲଗା ନୁହେଁ। ଦୁଇଟି ଅପରେଟର ଏହି ସେବା ପ୍ରଦାନ କରନ୍ତି। ସେଥିରୁ ଗୋଟିଏ ହେଉଛି ବ୍ୟାଙ୍କ। ଏହା ଭାରତ ସରକାରଙ୍କ ଦ୍ୱାରା କରାଯାଉଥିବା କୌଣସି ବୈଧାନିକ ଆଦାୟ ନୁହେଁ। ଏହା ଦୁଇ ପକ୍ଷ ମଧ୍ୟରେ ସେଟଲମେଣ୍ଟ ଫି’, ଯାହାକୁ NPCI ସୁବିଧାଜନକ କରିଥାଏ। ସରକାର ଏଥିରୁ ଗୋଟିଏ ଟଙ୍କା ମଧ୍ୟ ନେଉନାହିଁ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ରେ ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR ଲାଗୁ କରିବା ସମ୍ପର୍କିତ ଅଧିସୂଚନାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଅଞ୍ଜନ ଦତ୍ତ ନାମକ ଯାଚିକାକର୍ତ୍ତା ଦାଏର କରିଥିବା ଜନସ୍ବାର୍ଥ ଯାଚିକାରେ ଏହା ଆଇନ ଦୃଷ୍ଟିରେ ସମାନତା ଏବଂ ବ୍ୟବସାୟର ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଦର୍ଶାଯାଇଛି।