Categories: ବାଣିଜ୍ୟ

ମହଙ୍ଗା ହୋଇପାରେ ୟୁପିଆଇ କାରବାର

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ନଗଦ ଟଙ୍କା କାରବାରକୁ ବନ୍ଦ କରିବା ସହ ଡିଜିଟାଲ ପଦ୍ଧତିରେ ଅର୍ଥ ନେଣଦେଣ କରିବା ପାଇଁ ୟୁନିଫାଏଡ୍‌ ପେମେଣ୍ଟ୍‌ସ ଇଣ୍ଟରଫେସ୍‌ (ୟୁପିଆଇ) ସେବାର ଶୁଭାରମ୍ଭ କରିଥିଲେ। ଏହା କମ ଦିନରେ ଲୋକଙ୍କ ଭରସା ସହ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚତ୍ ପାରିଛି। ହେଲେ ବର୍ତ୍ତମାନ ଏହାର କାରବାର ଉପରେ ସରକାର ଆବଶ୍ୟକ ଶୁଳ୍କ ବା ଚାର୍ଜ ନେବାକୁ ଯୋଜନା କରୁଛନ୍ତି।

ଏପରିକି ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଏ ସମ୍ପର୍କରେ ବିସ୍ତୃତ ବିଚାରବିମର୍ଶ କରୁଥିବା କୁହାଯାଉଛି। ବିଶେଷକରି ୟୁପିଆଇ ଜରିଆରେ ହିତାଧିକାରୀମାନେ ସହଜରେ ପେମେଣ୍ଟ କରିପାରୁଥିଲେ। ହେଲେ ଏବେ ଉକ୍ତ ସେବା ବା କାରବାର ପାଇଁ ଅର୍ଥ ପୈଠ କରିବାକୁ ପଡ଼ିବ ବୋଲି କୁହାଯାଇଛି। ପୂର୍ବରୁ ଏହା ଉପରେ ହିତାଧିକାରୀଙ୍କୁ କୌଣସି ଚାର୍ଜ ବା ଦେୟ ଦେବାକୁ ପଡୁନଥିଲା। ଫଳରେ ଉଭୟ ଖର୍ଚ୍ଚ କାଟ ଓ ସମୟ ରକ୍ଷା ହୋଇପାରୁଥିବାରୁ ଏହାର ଚାହିଦା ମଧ୍ୟ ଅଳ୍ପ ଦିନରେ ସାରା ଦେଶର କୋଣ ଅନୁକୋଣରେ ପହଞ୍ଚତ୍ ପାରିଥିଲା।

ତେବେ ଆଗାମୀ ଦିନରେ ଏହାର ବ୍ୟବହାର ଓ କାରବାର ଉପରେ ବ୍ୟାପକ ପରିବର୍ତ୍ତନ ହୋଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏଥିଲାଗି ଡିସ୍କସନ ପେପର ଅନ୍‌ ଚାର୍ଜେସ୍‌ ଇନ ପେମେଣ୍ଟ ସିଷ୍ଟମ (ଡିପିସିପିଏସ୍‌) ମଧ୍ୟ ଜାରି କରିଛନ୍ତି।

ଏଥିପାଇଁ ଆରବିଆଇ ସର୍ବସାଧାରଣଙ୍କ ପରାମର୍ଶ ଲୋଡିଛନ୍ତି। ଉଲ୍ଲେଖଯୋଗ୍ୟ, ୟୁପିଆଇରୁ ଶୁଳ୍କ ଅସୁଲି ଲାଗି ଆରବିଆଇ ଏବେ ବିକଳ୍ପ ସନ୍ଧାନ ଖୋଜୁଛନ୍ତି। ଏପରିକି ଆରବିଆଇ ପକ୍ଷରୁ ଜାରି ପେପରରେ ୟୁପିଆଇ ମଧ୍ୟ ଇମିଡିଏଟ୍‌ ପେମେଣ୍ଟ ସର୍ଭିସ (ଆଇଏମ୍‌ପିଏସ୍‌) ଭଳି ଏକ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ ଓ ଏହା ଉପରେ ଟ୍ରାନ୍ସଫର ଟ୍ରାଞ୍ଜାକ୍ସନରେ ଚାର୍ଜେସ୍‌ ଲାଗିବା ଦରକାର ବୋଲି ମତ ବାଢିଛି। ଆରବିଆଇ କହିବା ଅନୁଯାୟୀ, ପୃଥକ୍‌ ପୃଥକ୍‌ ଆମାଉଣ୍ଟ ଲାଗି ଅଲଗା ଅଲଗା ଚାର୍ଜ ନିର୍ଦ୍ଧାରଣ କରାଯାଇପାରେ।

Share