ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ନ୍ୟାସନାଲ୍‌ ପେମେଣ୍ଟ୍‌ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (NPCI) ପକ୍ଷରୁ ଏନେଇ ଅକ୍ଟୋବର ୧୩ରେ ଏକ ପ୍ରେସ୍‌ ନୋଟ୍‌ ଜାରି ସୂଚନା ଦିଆଯାଇଛି ।

ରିପୋର୍ଟ ଅନୁସାରେ, ୨,୦୦୦ରୁ ଅଧିକ ମୂଲ୍ୟର କେତେକ ବ୍ୟବସାୟିକ UPI ଟ୍ରାଞ୍ଜାକ୍ସନ୍‌ ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ୍‌ ରେଟ୍‌ (MDR) ଲାଗୁ କରିବା ଯୋଜନା ଥିଲା। ଏହା ଚଳିତ ସପ୍ତାହର ଗୁରୁବାରଠାରୁ ଲାଗୁ ହେବାର ଥିଲା। କିନ୍ତୁ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏହାକୁ ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ନୂଆ ତାରିଖ ପରବର୍ତ୍ତି ସମୟରେ ଘୋଷଣା କରାଯିବ ବୋଲି କୁହାଯାଇଛି ।

ଏହି ଚାର୍ଜକୁ ନେଇ ବ୍ୟବସାୟୀ ସଂଗଠନ ଓ ଫିନ୍‌ଟେକ୍‌ କମ୍ପାନୀଗୁଡ଼ିକ ଆପତ୍ତି ଉଠାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ପାର୍ବଣ ସମୟରେ ଅତିରିକ୍ତ ଖର୍ଚ୍ଚ ବଢ଼ିଲେ ବ୍ୟବସାୟୀଙ୍କ ଲାଭ କମିବା ସହ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ମଧ୍ୟ ପଡ଼ିପାରେ। ଏହି କାରଣରୁ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ସାମୟିକ ଭାବେ ଟାଳିବାକୁ ବିଚାର କରାଯାଇଥିବା କୁହାଯାଉଛି । ଯଦି ୦.୪ ପ୍ରତିଶତ MDR ଲାଗୁ ହୁଏ, ତେବେ ୧୦,୦୦୦ର ବ୍ୟବସାୟିକ ଟ୍ରାଞ୍ଜାକ୍ସନ୍‌ ଉପରେ ୪୦ ଚାର୍ଜ ହିସାବ ହେବ। ଏହି ଫି’ ସାଧାରଣତଃ ପେମେଣ୍ଟ୍‌ ପ୍ରକ୍ରିୟାକରଣ ପାଇଁ ବ୍ୟବସାୟୀଙ୍କଠାରୁ ନିଆଯାଏ ।

ନୂଆ ଚାର୍ଜ କେବେଠାରୁ ଲାଗୁ ହେବ, ସେନେଇ ଚୂଡ଼ାନ୍ତ ତାରିଖ ଘୋଷଣା ହୋଇନଥିବା ରିପୋର୍ଟରେ କୁହାଯାଇଛି। ତେଣୁ ବ୍ୟବସାୟୀ ଓ ଡିଜିଟାଲ୍‌ ପେମେଣ୍ଟ୍‌ କ୍ଷେତ୍ରରେ ଏହି ନିଷ୍ପତ୍ତିକୁ ନେଇ ଆଗାମୀ ଘୋଷଣା ଉପରେ ନଜର ରହିଛି ।

 

Dharitri – Odisha’s No.1 Odia Daily

Share