ୟୁପିଆଇ ଆଇଡି ଟଙ୍କା କାରବାର ଉପରେ ରହିବ ନଜର

କଟକ,୧୨ା୪ (କାର୍ତ୍ତିକ ସାହୁ) ଆଗାମୀ ମେ’ ଓ ଜୁନ ମାସରେ ଚାରୋଟି ପର୍ଯ୍ୟାୟରେ ହେବାକୁ ଥିବା ସାଧାରଣ ନିର୍ବାଚନ ନିମନ୍ତେ ଓଡ଼ିଶା ପୋଲିସ ପକ୍ଷରୁ ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟର ପୋଲିସ ସହ ଏକ ଆନ୍ତଃରାଜ୍ୟ ସମନ୍ବୟ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ବୈଠକରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ପଶ୍ଚିମବଙ୍ଗ ପୋଲିସର ବରିଷ୍ଠ ଅଧିକାରୀମାନେ ଆଭାସି ଜରିଆରେ ଉକ୍ତ ବୈଠକରେ ଯୋଡ଼ି ହୋଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ, ରାଜ୍ୟର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ସୀମା ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ସହିତ ଲାଗିରହିଥିବାରୁ ଏହି ଦୁଇ ଜିଲାରେ ଶାନ୍ତିପୂର୍ଣ୍ଣ, ଅବାଧ, ଅପରାଧମୁକ୍ତ ଏବଂ ନିରପେକ୍ଷତାର ସହ ନିର୍ବାଚନ ପରିଚାଳନା କରାଯିବା ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ବ୍ରାଉନସୁଗାର ଭଳି ମାରାତ୍ମକ ନିଶାଦ୍ରବ୍ୟ ପଶ୍ଚିମବଙ୍ଗର ଲାଲଗୋଲା, ମୁର୍ଶିଦାବାଦ ଓ ବର୍ଦ୍ଧମାନ ଭଳି ସ୍ଥାନରୁ ବ୍ରାଉନସୁଗାର ଆସୁଥିବା ବେଳେ ଏଥିରେ ରୋକ ଲଗାଇବା ଉପରେ ଡିଜିପି ଷଡ଼ଙ୍ଗୀ ଗୁରୁତ୍ୱାରୋପ କରିଥିଲେ। ଏହି ନିଶା କାରବାରର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରାଯିବା ଉପରେ ସେ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହମତି ଲୋଡ଼ିଥିଲେ।
ସେହିପରି ସୀମାନ୍ତ ଜିଲାଗୁଡ଼ିକର ସୀମା ତନଖି ଫାଟକ ଓ ସଂବେଦନଶୀଳ ସ୍ଥାନଗୁଡ଼ିକରେ ମିଳିତ ଭାବେ ଯାନବାହନ ଯାଞ୍ଚ, ଅବକାରୀ ଧରପଗଡ଼, ବେଆଇନ ମାରଣାସ୍ତ୍ର, ବେଆଇନ ମଦ କାରବାର, ବେଆଇନ ନିଶା କାରବାର, ବେଆଇନ ଟଙ୍କା କାରବାର ଆଦିରେ ରୋକ ଲଗାଯିବା ଉପରେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ବିଶଦ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ଉଭୟ ରାଜ୍ୟର ଆନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ମାଦକ ଦ୍ରବ୍ୟ ଚୋରା ଚାଲାଣର ସମ୍ବେଦନଶୀଳ ସ୍ଥାନ ଚି଼ହ୍ନଟ ଓ ନିର୍ବାଚନ ସମ୍ପର୍କିତ ହିଂସା ରୋକିବାକୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ବୈଠକରେ ଉପସ୍ଥାପନ କରାଯାଇଥିଲା। ଏଥିସହ ଉଭୟ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ, ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପରିବେଷଣ, ୟୁପିଆଇ ଆଇଡି ମାଧ୍ୟମରେ ଟଙ୍କା କାରବାର, ଗଂଜେଇ ଚୋରାଚାଲାଣ, ସାପ୍ତାହିକ ବୈଠକ, ସାଇବର ଅପରାଧ ରୋକିବାକୁ ସ୍ବତନ୍ତ୍ର ଯୋଜନା, ସଂବେଦନଶୀଳ ସ୍ଥାନ ଓ ପୋଲିଂ ବୁଥଗୁଡିକର ଚିହ୍ନଟ, ୱାରେଣ୍ଟ ଥିବା ଅପରାଧୀ ଏବଂ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା।
ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଆର. କେ. ଶର୍ମା, (ଗୁଇନ୍ଦା) ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ) ଏସ. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଦୟାଲ ଗଙ୍ଗୱାର, ଆଇଜିପି (ପ୍ରୋଭିଜନିଙ୍ଗ) ଯତିନ୍ଦ୍ର କୋୟଲ, ଆଇଜିପି(କାର୍ମିକ) ଏସ୍‌. ପ୍ରବୀଣ କୁମାର, ଆଇଜିପି (ଗୁଇନ୍ଦା) ଅନୁପ ସାହୁଙ୍କ ସମେତ ଉତ୍ତରାଞ୍ଚଳ ରେଞ୍ଜ ଆଇଜି ଦୀପକ କୁମାର ଏବଂ ସୀମାନ୍ତ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଏସ.ପି ବୈଠକରେ ଉପସ୍ଥିତ ଥିଲେ। ସେହିପରି ପଶ୍ଚିମବଙ୍ଗ ଡିଜିପି ସଞ୍ଜୟ ମୁଖାର୍ଜୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଏବଂ ସୀମାନ୍ତ ଜିଲ୍ଲାଗୁଡ଼ିକର ଏସ୍‌ପିମାନେ ବୈଠକରେ ଉପସ୍ଥିତ ଥିଲେ।