ଅକୁହା ବ୍ୟଥା

ଡ. ବୈଜୟନ୍ତୀ ମିଶ୍ର

ମାସ୍କ ପିନ୍ଧି ବ୍ୟାଗଟିଏ ଧରି ଚାଲିଚାଲି ଘରୁ ବାହାରିଗଲେ ଅନନ୍ତବାବୁ। ଯାହା ହେଉ ବି ହେଉ, ଆଜି ପରିବା ହାଟକୁ ଯିବାକୁ ପଡ଼ିବ। ଘର ପାଖ ଦୋକାନରେ ଯଦିଓ ପରିବାପତ୍ର ମିଳୁଛି, ତଥାପି ହାଟରୁ ଆଣିଲେ ଶସ୍ତା ପଡ଼ିବ। ଲକ୍‌ଡାଉନ୍‌ ପାଇଁ ସାଇକେଲରେ ବୋଝ ଲଦି ଆସୁଥିବା ପରିବା ବିକାଳି ଆସୁନାହାନ୍ତି। ସେମାନେ ଦୁଇ ତିନି ଟଙ୍କା ଅଧିକ ନିଅନ୍ତୁ ପଛେ ଏତେ ବାଟ ହାଟକୁ ଯିବାର କଷ୍ଟରୁ ତ ମୁକ୍ତି ମିଳେ। ତା’ଛଡ଼ା ସେମାନେ ଖରାତରାରେ ବୁଲି ବିକୁଛନ୍ତି ଯେତେବେଳେ, ଅଧିକ ଦି’ଟଙ୍କା ଦେବାକୁ ବାଧେ ନାହିଁ। ହେଲେ ଘର ପାଖ ଦୋକାନୀ ନରିଆ ଆଳୁ କିଲୋ କୋଡ଼ିଏ ହେଲେ ସେ ବିକେ ପଚିଶି ଟଙ୍କାରେ। ଥରେ ଟମାଟୋ ଗୋଟେ କିଲୋ ଆଣିଥିଲେ ଯେ ତିରିଶ ଟଙ୍କା ନେଇଗଲା। ଅଥଚ ସେଦିନ ବଜାର ଦର ଅନୁସାରେ ଟମାଟୋ ଦାମ୍‌ ଥିଲା କୋଡ଼ିଏ ଟଙ୍କା।
ନରିଆକୁ ଇନ୍ଦିରା ଆବାସ ଘର ଖଣ୍ଡେ ମିଳିଛି। ସେହି ଘରକୁ ଲାଗି ଚାଳିଆ ଖଣ୍ଡେ କରି ଦୋକାନ ମେଲିଛି ନରିଆ। ସ୍ତ୍ରୀ ସୁମି ଦୁଇଟା ଘରେ ରୋଷେଇ କାମ କରେ। ଗୋଟିଏ ବୋଲି ପୁଅ ତାଙ୍କର ରଙ୍ଗ କାମ କରେ। ଚଳଣିରେ ଆଦୌ ଅସୁବିଧା ନାହିଁ। ନରିଆ ମା’ ମଧ୍ୟ ପର ଘରେ ପାଇଟି କରେ। ନରିଆ ବାପା ଥିଲା ବେଳେ ସେ ପଦାକୁ ଗୋଡ଼ କାଢ଼ି ନ ଥିଲା। ଏଇ ଆଠ ଦଶ ବର୍ଷ ହେଲା କାମକୁ ଯାଉଛି।
ଆଗରୁ ନରିଆ ଖାଲି ପରିବା ବିକୁଥିଲା। ଆଜିକାଲି ଫଳ ରଖିଲାଣି। ଫଳ କହିଲେ, ଦୁଇଚାରି କିଲୋ ସେଓ, ତିନି ଚାରି ଡଜନ କଦଳୀ, ଦି’ ଚାରିଟା ଡାଳିମ୍ବ ଗୋଟାଏ ବଡ଼ ପାଛିଆରେ ଶୁଖିଲା ମୁହଁରେ ମୁରୁକି ହସା ଦେଇ ଗରାଖଙ୍କୁ ଅନେଇଥାନ୍ତି। ଅନନ୍ତବାବୁଙ୍କୁ ଦେଖି ନରିଆ ଡାକ ଛାଡ଼ିଲା। ହୋ ଅନନ୍ତବାବୁ, ଫଳ ନଉନାହାନ୍ତି। ଭଲ ବେଦନା ଆଣିଛି। ରସ କରି ପିଇ ଦେଲେ ଦିହରେ ରକତ ହେବ। ଆପଣଙ୍କର ବି ବଅସ ହେଲାଣି, ନିତି ଗୋଟାଏ ଲେଖାଁ ସେଓ ଖାଆନ୍ତୁ ଦେହ ଭଲ ରହିବ।
ନରିଆ କଥା ଶୁଣି ବି ନ ଶୁଣିଲା ଭଳି ଚାଲି ଯାଉଥିଲେ ଅନନ୍ତବାବୁ। ଶୁଖିଲା ସେଓ, ଡାଳିମ୍ବ ତରାଜୁରେ ଧରି ପାଖକୁ ମାଡ଼ି ଆସିଲା ନରିଆ। ‘ଫଳ ଘରେ ଅଛି’ କହିଲେ ଅନନ୍ତବାବୁ। ତଥାପି ଡାଳିମ୍ବଟିଏ ଦେଖେଇ ନରିଆ କହିଲା, ‘ନିଅନ୍ତୁ, ବଢିଆ ରସ ବାହାରିବ।’ ଏଇ ଗୋଟାକ ୩୦ ଟଙ୍କା ମାତ୍ର। ୪୦ରେ ବିକିଥିଲି, ଆପଣଙ୍କ ପାଇଁ ଶସ୍ତା କରିଦେଲି। ନରିଆ କଥା ନ ଶୁଣି ଆଗକୁ ପାଦ ପକେଇଲେ ଅନନ୍ତବାବୁ। ପଛରୁ ନରିଆ ପାଟି କରୁଥିଲା, ‘ପଇସାକୁ ଜଗିଲେ ହବ? ଦେହକୁ ଯାହା ହିତ ଖାଇବା କଥା ନା…। ତା’ କଥାଗୁଡ଼ାକ ତତଲା ବାଲି ଛିଟିକି ମୁହଁ ନାକରେ ପଶିଗଲା ଭଳି ଲାଗୁଥିଲା ଅନନ୍ତବାବୁଙ୍କୁ। କରୋନା ବେଳେ ମାସସାରା କେମିତି ହିସାବକିତାବ କରି ଚଳିବାକୁ ହଉଛି ସେ ନିଜେ ଜାଣନ୍ତି, ନରିଆ କାହୁଁ ବୁଝିବ?
ଅନନ୍ତବାବୁ ସାଧାରଣ ସରକାରୀ ଚାକିରି ଖଣ୍ଡେ କରିଥିଲେ, କେତେ ବା ପାଉଛନ୍ତି ପେନ୍‌ସନ? ଲୋନ୍‌ କରି ଘର ଖଣ୍ଡେ କରିଥିଲେ ଯେ ଚାକିରିରୁ ଅବସର ନେବାର ୪ବର୍ଷ ଆଗରୁ ଶୁଝା ସରିଲା। ବଡ଼ ଝିଅର ବାହାଘର ସାରି ଦେଇଛନ୍ତି, ସାନ ଝିଅ ପାଇଁ ଏପର୍ଯ୍ୟନ୍ତ ପାତ୍ରଟିଏ ମିଳୁ ନାହିଁ। ଝିଅଟି ଗୋଟିଏ ପ୍ରାଇଭେଟ୍‌ ସ୍କୁଲରେ ସ୍ବଳ୍ପ ଦରମାରେ ଚାକିରି କରିଛି। ଏହି ପେନ୍‌ସନ ଟଙ୍କାରେ ଘର ଖର୍ଚ୍ଚ, ପୁନିଅ ପର୍ବ ଭାର ବେଭାର ରୋଗିଣା ସ୍ତ୍ରୀର ଔଷଧ ଖର୍ଚ୍ଚ ସାଙ୍ଗକୁ ବୃଦ୍ଧ ବାପା ମା’ଙ୍କ ଦାୟିତ୍ୱ ସବୁ ତାଙ୍କରି ଉପରେ ହିଁ ନ୍ୟସ୍ତ। ପାଖ ପଡ଼ୋଣୀ ଖୁଣ୍ଟା ଦେଲା ଭଳି କହନ୍ତି; ‘ଆପଣ ତ ସରକାରୀ ପେନ୍‌ସନ ପାଉଛନ୍ତି, ଅସୁବିଧା କ’ଣ?’ କିଏ ବା ବୁଝେ ନିମ୍ନ ମଧ୍ୟବିତ୍ତର ଯନ୍ତ୍ରଣାକୁ?
ରାସ୍ତାରେ ଯାଉଯାଉ ଅନନ୍ତବାବୁଙ୍କର ଆଖି ପଡ଼ିଲା ଲମ୍ବା ଲାଇନରେ କରୋନାଜନିତ ବ୍ୟବଧାନ ରକ୍ଷା କରି ଗୁଡ଼ାଏ ଲୋକ ଠିଆ ହୋଇଛନ୍ତି। ସରକାରଙ୍କ ତରଫରୁ ଡାଲି, ଚାଉଳ, ତେଲ, ଆଳୁ ବଣ୍ଟା ହେଉଛି। ନରିଆ ମା’ ସେହି ଭିଡ଼ରେ ଠିଆ ହୋଇଚି ବ୍ୟାଗଟିଏ ଧରି। ନରିଆ ମା’କୁ ଦୂରରୁ ଚାହିଁଲେ ଅନନ୍ତବାବୁ। ସେ କ’ଣ ବୁଝିଲା କେଜାଣି ହାତରେ ଧରିଥିବା ପଡ଼ିକାର୍ଡଟାକୁ ଦେଖେଇ କହିଲା, ‘ଏସବୁ ଆମ ପାଇଁ… ଆପଣଙ୍କ ପାଇଁ ନୁହେଁ।’
ମୁହଁକୁ ବିକୃତ କରି ଆଗକୁ ଚାଲିଲେ ଅନନ୍ତବାବୁ। ବୁଢ଼ୀ ବୋଧେ ଭାବିଲା, ବ୍ୟାଗ୍‌ ଧରି ଅନନ୍ତବାବୁ ତାରି ଧାଡ଼ିରେ ଠିଆ ହେବାକୁ ଆସିଛନ୍ତି। ଏକଥା ମନକୁ ମନ କହି ହେଉଥିଲେ ଅନନ୍ତବାବୁ।
ଅବଶ୍ୟ ସେ ଭଲ କରି ଜାଣନ୍ତି ଏସବୁ ଗରିବଗୁରୁବାଙ୍କ ପାଇଁ ସରକାର ଦେଉଛନ୍ତି। ହେଲେ ନରିଆ ଘରର ରୋଜଗାର ତ ତାଙ୍କଠାରୁ ଯଥେଷ୍ଟ ଅଧିକ। କିଏ ବା ବୁଝିବ ସେ କଥା? ନା ସରକାର ନା ନରିଆ ଭଳିଆ ଲୋକମାନେ? ହଁ, ତାଙ୍କ ପାଖରେ ସିନା ଅର୍ଥର ଅଭାବ, ହେଲେ ସେ ତ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନା! ଯିଏ ଏହି ଶୂନ୍ୟ ବ୍ୟାଗଟି ଭିତରେ ଅଭାବୀ ବୋଝକୁ ବୋହିବୋହି, କିଛି ଟଙ୍କା ବଞ୍ଚେଇ, ମାପିଚୁପି ଚଳିବା ପାଇଁ ଚାଲିଚାଲି ହାଟକୁ ଯାଉଛନ୍ତି।
ବୁଢ଼ୀଚଣ୍ଡୀ ଲେନ୍‌, ତୁଳସୀପୁର, କଟକ
ମୋ-୯୯୩୭୦୮୭୧୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri