ବୀରଗୋବିନ୍ଦପୁର ନିକଟରେ ଅଜଣା କାର୍ ଧକ୍କା ଯୁବକଙ୍କ ମୃତ୍ୟୁ; ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ

ବଞ୍ଚୋ, ୧୮।୭(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରମେଶ ନାଏକ (୨୫)। ସୂଚନା ଅନୁସାରେ, ଏକ ଅଜଣା କାର୍ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହି ଦୁର୍ଘଟଣାରେ ରମେଶଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ନ୍ୟାୟ ଦାବିରେ ପ୍ରାୟ ୩ ଘଣ୍ଟା ଧରି ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ଏବଂ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ଶାନ୍ତ କରିଥିଲେ। ପୋଲିସର ବୁଝାସୁଝା ପରେ ଅବରୋଧ ହଟିଥିଲା ଏବଂ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।

ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଶୀଘ୍ର ଜବତ କରିବା ସହ ଦୋଷୀ ଚାଳକଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଘଷିପୁରା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily

Share