ଭୁବନେଶ୍ୱର, ୨୫୬ା ୧୧(ସୌମ୍ୟରଞ୍ଜନ ରାଉତ): ଦୀର୍ଘଦିନର ଦାବି ପୂରଣ ହେଉ ନ ଥିବାରୁ ଓଡ଼ିଶା ବିଦ୍ୟୁତ୍ ଠିକା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଆନ୍ଦୋଳନ ଜାରି ରହିଛି। ବୁଧବାର ଆନ୍ଦୋଳନର ୫୬ ଦିନ ଓ ଆମରଣ ଅନଶନର ୨୪ ଦିନରେ ବିଦ୍ୟୁତ୍ ଠିକା କର୍ମଚାରୀମାନେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଦିନରେ ବିଭିନ୍ନ ସ୍ଥାନରେ ଟାୱାର ଉପରେ ଚଢ଼ି ଟାଟା ପାଓ୍ୱାର ବିରୋଧରେ ପ୍ରତିବାଦ କରିଥିବାବେଳେ ସାରେ ଲୋୟର ପିଏମ୍ଜି ଧାରଣାସ୍ଥଳରେ ମୋବାଇଲ ଲାଇଟ ଜଳାଇ ଅଭିନବ ଢଙ୍ଗରେ ଆନ୍ଦୋଳନ କରିଛନ୍ତି।
ପୁରୀ ଜିଲା ପିପିଲିର ସିଫା ନିକଟରେ ଦୁଇଜଣ ବିଦ୍ୟୁତ୍ ଠିକା କର୍ମଚାରୀ ଏକ ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ପ୍ରତିବାଦ କରିଥିଲେ। ପିପିଲି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଭୟଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିବା ପାଇଁ ଦୀର୍ଘ ସମୟ ଧରି ଉଦ୍ୟମ ଜାରି ରହିଥିଲା। ସେମାନଙ୍କ ମଧ୍ୟରୁ ଜଣେ ପିପିଲି ନିକଟସ୍ଥ ହଳଦୀବସନ୍ତ ଅଞ୍ଚଳର ବୋଲି ଜଣାପଡ଼ିଛି। ସେହିପରି ଭୁବନେଶ୍ୱରର ଆଚାର୍ଯ୍ୟବିହାର, ସତ୍ୟବିହାର, ହାଇଟେକ୍ ଅଞ୍ଚଳ, ତମାଣ୍ଡୋ, ରାଜଭବନ ନିକଟ ଓ ମଞ୍ଚେଶ୍ୱର ଅଞ୍ଚଳରେ ମଧ୍ୟ କିଛି କର୍ମଚାରୀ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ପ୍ରତିବାଦ କରିଥିଲେ। ଏହାସହ ଖୋର୍ଦ୍ଧାର ୧୬ ନମ୍ୱର ଜାତୀୟ ରାଜପଥ ନିକଟରେ ଚାରିଜଣ ଠିକା କର୍ମଚାରୀ ଏକ ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତ୍ ଟାୱାର ଉପରେ ରହି ଦାବି ପୂରଣ ପାଇଁ ପ୍ରତିବାଦ ଜଣାଇଥିଲେ। ଏହି ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ଟାୱାର ତଳେ ଲୋକଙ୍କ ଭିଡ଼ ଜମିଥିଲା। ପୋଲିସ, ଅଗ୍ନିଶମ ବାହିନୀ ଓ ଆମ୍ୱୁଲାନ୍ସ ଘଟଣାସ୍ଥଳରେ ପହଞ୍ଚତ୍ କର୍ମଚାରୀଙ୍କ ସୁରକ୍ଷା ଓ ଉଦ୍ଧାର ପାଇଁ ପଦକ୍ଷେପ ନେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ରୁ ଅଧିକ କର୍ମଚାରୀ ଏଭଳି ପ୍ରତିବାଦରେ ସାମିଲ ହୋଇଥିବା ଜଣାପଡ଼ିଛି। ଆନ୍ଦୋଳନକାରୀଙ୍କ ପ୍ରମୁଖ ଦାବି ମଧ୍ୟରେ ବହିଷ୍କୃତ କର୍ମଚାରୀଙ୍କୁ ପୁନଃନିଯୁକ୍ତି, ମୁଖ୍ୟମନ୍ତ୍ରୀଙ୍କ ପୂର୍ୱ ପ୍ରତିଶ୍ରୁତିର ତୁରନ୍ତ କାର୍ଯ୍ୟକାରିତା ଏବଂ ନୂତନ ଚୁକ୍ତିଭିତ୍ତିକ ନିଯୁକ୍ତିରେ ପୂର୍ୱରୁ କାର୍ଯ୍ୟରତ କର୍ମଚାରୀଙ୍କୁ ପ୍ରାଥମିକତା ଦେବା ଅନ୍ତର୍ଭୁକ୍ତ। ଏଥିସହ ମିଟର ରିଡର ଓ ବିଲ ସଂଗ୍ରହକାରୀଙ୍କୁ ସର୍ୱନିମ୍ନ ମଜୁରି ପ୍ରଦାନ, କର୍ମଚାରୀ ପ୍ରତିନିଧିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ଏବଂ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ଆଉଟସୋର୍ସିଂ ଓ ଘରୋଇକରଣ ନୀତିର ସମୀକ୍ଷା କରିବାକୁ ସେମାନେ ଦାବି କରିଛନ୍ତି। ଦୀର୍ଘ ୫୬ ଦିନ ଧରି ଆନ୍ଦୋଳନ ଓ ୨୪ ଦିନ ଧରି ଆମରଣ ଅନଶନ ଜାରି ରହିଥିବା ସତ୍ତ୍ୱେ ସମସ୍ୟାର ସମାଧାନ ହୋଇନଥିବାରୁ କର୍ମଚାରୀଙ୍କ ଅସନ୍ତୋଷ ବଢ଼ୁଛି। ଅନ୍ୟପକ୍ଷରେ ବିଦ୍ୟୁତ୍ ଟାୱାର ଉପରେ ଏଭଳି ପ୍ରତିବାଦ ଯୋଗୁ ଜୀବନ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ପରିସ୍ଥିତିର ସୁରକ୍ଷିତ ସମାଧାନ ସହ ଆନ୍ଦୋଳନକାରୀଙ୍କ ଦାବି ଉପରେ ସରକାର ଓ ସମ୍ପୃକ୍ତ କମ୍ପାନୀ ତୁରନ୍ତ ଆଲୋଚନା କରିବାକୁ ଦାବି ଜୋର୍ ଧରିଛି।