ବାଳାଶ୍ରମରେ ପୋଲିସର ନିଆରା ଶିଶୁ ଦିବସ: ଶିକ୍ଷା, ଶୃଙ୍ଖଳା-ଆତ୍ମବିଶ୍ୱାସର ମନ୍ତ୍ର ଦେଲେପୋଲିସ ଅଧିକାରୀ

ହାଟଡିହୀ, ୧୪।୧୧(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): ଶିଶୁଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲା ନନ୍ଦିପଦା ଏବଂ ସୋସୋ ଥାନା ପୋଲିସ ପକ୍ଷରୁ ଛେନାପଦୀସ୍ଥିତ ବିଷ୍ଣୁପ୍ରିୟା ବାଳାଶ୍ରମରେ ଶିଶୁ ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପୋଲିସ ପ୍ରଶାସନ ତରଫରୁ ପ୍ରଥମ ଥର ପାଇଁ ଏଭଳି ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଥିବା ବେଳେ ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି ଓ ସୋସୋ ଥାନାଧିକାରିଣୀ କାନନ ସାହୁ ଉପସ୍ଥିତ ରହି ବାଳାଶ୍ରମର ଅନ୍ତେବାସୀ ଶିଶୁମାନଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇଥିଲେ। ନିଜକୁ ଜଣେ ସଫଳ ଏବଂ ପ୍ରତିଷ୍ଠିତ ମଣିଷ ଭାବେ ଗଢ଼ି ତୋଳିବା ପାଇଁ ଉଭୟ ଥାନାଧିକାରୀ କୁନିକୁନି ପିଲାମାନଙ୍କୁ ଶିକ୍ଷା, ଶୃଙ୍ଖଳା ଏବଂ ଆତ୍ମବିଶ୍ୱାସର ମହତ୍ତ୍ୱ ସମ୍ପର୍କରେ ବୁଝାଇଥିଲେ। ଏଥିସହ ପିଲାମାନଙ୍କୁ ଚକୋଲେଟ, ପେନସିଲ, କଲମ ଓ ମିଷ୍ଟାନ୍ନ ବଣ୍ଟନ କରି ଶିଶୁ ଦିବସର ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ ପୋଲିସ ଅଧିକାରୀମାନେ ଶିଶୁମାନଙ୍କୁ ଉଦ୍‌ବୋଧନ ଦେଇ ଆଜିର ଶିଶୁ ହିଁ ଆସନ୍ତାକାଲିର ଭବିଷ୍ୟତ ବୋଲି କହିବା ସହ ସେମାନଙ୍କ ଶିକ୍ଷା, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ, ଶିଶୁ ଅଧିକାର ଏବଂ ସାମାଜିକ ସଚେତନତା ସମ୍ପର୍କରେ ପିଲାମାନଙ୍କୁ ସରଳ ଭାଷାରେ ବୁଝାଇଥିଲେ। ପୋଲିସ ଓ ଶିଶୁମାନଙ୍କ ମଧ୍ୟରେ ଏଭଳି ସ୍ନେହପୂର୍ଣ୍ଣ ମିଳନ ଅନ୍ତେବାସୀଙ୍କ ମନରେ ଅପାର ଆନନ୍ଦ ଭରିଦେବା ସହ ସେମାନଙ୍କ ଭିତରେ ସୁରକ୍ଷା ଓ ନିର୍ଭୀକତାର ଭାବନା ସୃଷ୍ଟି କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ ନନ୍ଦିପଦା ଥାନାର ଏସ୍‌ଆଇ ଟି. ପ୍ରିୟଦର୍ଶନୀ, ସୋସୋ ଥାନାର ଏଏସ୍‌ଆଇ ମହିମାନି ଟୁଡୁ, ଜିତେନ୍ଦ୍ର ଜେନାଙ୍କ ସମେତ ବାଳାଶ୍ରମର ସମସ୍ତ କର୍ମକର୍ତ୍ତା ଓ ଅନ୍ତେବାସୀ ସାମିଲ ହୋଇଥିଲେ। କେନ୍ଦୁଝର ପୋଲିସ ତରଫରୁ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ବାଳାଶ୍ରମରେ ପୋଲିସର ଏଭଳି ମାନବିକତାପୂର୍ଣ୍ଣ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଭୂୟସୀ ପ୍ରଶଂସା କରାଯାଇଛି।

Dharitri – Odisha’s No.1 Odia Daily

Share