ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି। ସୋମବାର ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି କମିଶନ ଅକାମୀ ହୋଇ ପଡ଼ିଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି।
ଗତ ୩ ଜାନୁଆରୀ ୨୦୨୪ରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏପର୍ଯ୍ୟନ୍ତ ନୂତନ ସଦସ୍ୟ ନିଯୁକ୍ତି ହୋଇନାହିଁ। ଫଳରେ କୌଣସି ସାମ୍ବିଧାନିକ ମାଧ୍ୟମ ନଥିବାରୁ ପଛୁଆ ବର୍ଗଙ୍କ ସମସ୍ୟାର ସମାଧାନ ହୋଇପାରୁ ନାହିଁ।
ଓଡ଼ିଶାରେ ସମୁଦାୟ ୨୧୬ଟି ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗ (SEBC) ସମ୍ପ୍ରଦାୟ ରହିଛନ୍ତି। କମିଶନ ଅଚଳ ଥିବାରୁ ଏହି ସମ୍ପ୍ରଦାୟର ଲୋକେ ଶିକ୍ଷା, ନିଯୁକ୍ତି ଏବଂ କଲ୍ୟାଣକାରୀ ଯୋଜନାରେ ସମାନ ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି।
କମିଶନ ପଛୁଆ ବର୍ଗଙ୍କ ତାଲିକାରେ ନୂତନ ଜାତିର ଅନ୍ତର୍ଭୁକ୍ତିକରଣ, ଅଭିଯୋଗ ଶୁଣାଣି ଏବଂ ସରକାରଙ୍କୁ ନୀତିଗତ ପରାମର୍ଶ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ତେଣୁ ଏହାର ଶୀଘ୍ର ପୁନର୍ଗଠନ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ପ୍ରଧାନ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ, ସମୟାନୁବର୍ତ୍ତୀ ପଦକ୍ଷେପ ଦ୍ୱାରା ରାଜ୍ୟର ପଛୁଆ ବର୍ଗଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ସୁନିଶ୍ଚିତ ହୋଇପାରିବ।


