କୌଶଳ ରଥର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର,୩୧।୧୨(ଭବାନୀ ଶଙ୍କର ଭୋଇ): ଓଡ଼ିଶାର ଯୁବପିଢ଼ିଙ୍କୁ ମାଗଣାରେ ଡିଜିଟାଲ ଶିକ୍ଷା ଏବଂ ସେମାନଙ୍କ ମଧ୍ୟରେ ଡିଜିଟାଲ କାରବାରକୁ ବୃଦ୍ଧି କରାଯିବ। ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଯୁବପିଢ଼ିଙ୍କ ସାମର୍ଥ୍ୟକୁ ବିକଶିତ କରିବା ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ରବିବାର ସମ୍ବଲପୁର ମହାନଗର ଅନ୍ତର୍ଗତ ଗୋଶାଳାଠାରେ କୌଶଳ ରଥର ଶୁଭାରମ୍ଭ କରି ସେ କହିଲେ, ଡିଜିଟାଲ କାରବାରକୁ ବୃଦ୍ଧି କରିବା ଦିଗରେ ଏହି କୌଶଳ ରଥ ସହାୟକ ହେବ। ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ପକ୍ଷରୁ ଏହି କୌଶଳ ରଥ ଜରିଆରେ ଓଡ଼ିଶାର ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ ଏବଂ ଦେବଗଡ଼ ଜିଲାର ଛାତ୍ର, ମହିଳା ଏବଂ ଗ୍ରାମୀଣ ଯୁବବର୍ଗ, ଆଶାୟୀ ପ୍ରାର୍ଥୀଙ୍କୁ ଦକ୍ଷତା ତାଲିମ ଏବଂ ପ୍ରମାଣପତ୍ର ପ୍ରଦାନ ପାଇଁ ଯୋଜନା କରାଯାଇଛି।

ଏହି କୌଶଳ ରଥରେ ଅତ୍ୟାଧୁନିକ ଉପକରଣ, ସୁବିଧା ସହ ପ୍ରଶିକ୍ଷକମାନଙ୍କ ଉପସ୍ଥିତିରେ ଡିଜିଟାଲ ସାକ୍ଷରତା, ଆର୍ଥିକ ସାକ୍ଷରତା, ଖୁଚୁରା ଏବଂ ଉଦ୍ୟୋଗୀ ଦକ୍ଷତା ଉପରେ ତାଲିମ ଦିଆଯାଇ ପ୍ରମାଣପତ୍ର ପ୍ରଦାନ କରାଯିବ। ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ ଡଲାରର ଅର୍ଥନୀତି ସହ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟ ରଖିଥିବାରୁ ଏହି କୌଶଳ ରଥ ଲୋକଙ୍କ ଭିତରେ ସାମର୍ଥ୍ୟ ବୃଦ୍ଧି କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ପ୍ରଧାନ କହିଛନ୍ତି।