ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଚୌହ୍ବାନ, କାଲି ବାଣ୍ଟିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଭୁବନେଶ୍ୱର, ୧୩।୧୧(ସୁନିତ୍‌ ମିଶ୍ର): କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବଲାଙ୍ଗୀର ଜିଲାରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଚୌହ୍ବାନଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋକଙ୍କୁ ବଣ୍ଟାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହାସହ ଭୁବନେଶ୍ୱରଠାରେ କ୍ଷେତ ବଞ୍ଚାଓ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗଦେବେ। ଶନିବାର ସନ୍ଧ୍ୟାରେ ସେ ଓଡ଼ିଶାରୁ ଫେରିଯିବା କାର୍ଯ୍ୟକ୍ରମ ରହିଛି। ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିବା ପରେ ଚୌହ୍ବାନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବହୁ ନେତା ତାଙ୍କୁ ସ୍ବାଗତ କରିଛନ୍ତି। ଏହି ଅବସରରେ ଚୌହ୍ବାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ଦ୍ରୁତଗତିରେ ବିକାଶ କରୁଛି। କଚ୍ଚାଘରରେ ରହୁଥିବା ସବୁ ଗରିବ ଲୋକଙ୍କୁ ପକ୍କାଘର ଦେବାକୁ ଭାଜପା ସରକାର ନିଷ୍ପତ୍ତି କରିଛନ୍ତି। ଶନିବାର କାର୍ଯ୍ୟକ୍ରମରେ ବଲାଙ୍ଗୀରଠାରେ ୪ ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପକ୍କାଘର ଲୋକଙ୍କୁ ବଣ୍ଟାଯିବ। ମୁଖ୍ୟମନ୍ତ୍ରୀ ଏହାର ସ୍ବୀକୃତିପତ୍ର ପ୍ରଦାନ କରିବେ। ରାଜ୍ୟର ସବୁ ମହିଳାଙ୍କୁ ଏସ୍‌ଏସ୍‌ଜି ସହ ଯୋଡ଼ିବା କାର୍ଯ୍ୟକ୍ରମ କରାଯିବ। ଏହାସହ ଭାଜପାର ଲୋକତନ୍ତ୍ର ବଞ୍ଚାଓ ଏବଂ ଅରାଜକତା ହଟାଅ ପଦଯାତ୍ରା କାର୍ଯ୍ୟକ୍ରମରେ ସେ ସାମିଲ ହେବେ। ଦେଶରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ଭୁଲ୍‌ ନ୍ୟାରେଟିଭ ସରକାର ବିରୋଧରେ କରୁଛନ୍ତି, ତାକୁ ବିରୋଧକରି ଏହି କାର୍ଯ୍ୟକ୍ରମ ହେବ।

Dharitri – Odisha’s No.1 Odia Daily

Share