ସୁଦାନରୁ ଭାରତୀୟଙ୍କୁ ସୁରକ୍ଷିତ ଫେରାଉଛନ୍ତି କେନ୍ଦ୍ର ସରକାର: ଧର୍ମେନ୍ଦ୍ର

ଭୁବନେଶ୍ବର, ୬ା୫(ବ୍ୟୁରୋ): ସୁଦାନରେ ହିଂସା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଆଙ୍କ ସମେତ ଭାରତୀୟଙ୍କୁ ସୁରକ୍ଷିତ ଭାବେ କେନ୍ଦ୍ର ସରକାର ଉଦ୍ଧାର କରୁଛନ୍ତି। ଆକସନ୍‌ ମୋଡ୍‌ରେ କେନ୍ଦ୍ର ସରକାର ଏହି କାର୍ଯ୍ୟ ଚଳାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିଲେ ଏସବୁ ସମ୍ଭବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି କହିଛନ୍ତି।
ଧର୍ମେନ୍ଦ୍ର ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରି କହିଛନ୍ତି, ବିଦେଶରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷା ଓ ନିରାପତ୍ତା କେନ୍ଦ୍ର ସରକାରରେ ପ୍ରାଥମିକତାରେ ରହିଛି। ଭାରତ ସରକାର ଅପରେସନ କାବେରି ମାଧ୍ୟମରେ ସୁଦାନରେ ବସବାସ କରୁଥିବା ଓଡ଼ିଆଙ୍କ ସମେତ ଅନେକ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରାଇବାରେ ସଫଳ ହୋଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଧର୍ମେନ୍ଦ୍ର ଧନ୍ୟବାଦ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସୁଦାନରେ ରହୁଥିବା ଜଣେ ଓଡ଼ିଆ ଉଦ୍ଧାର ହୋଇ ମୁମ୍ବାଇରେ ପହଞ୍ଚିବା ପରେ କହିଛନ୍ତି, ସୁଦାନରେ ଭାରତର ବହୁତ ସମ୍ମାନ ଅଛି। ସେଠାରେ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଭାରତର ଖ୍ୟାତି ରହିଛି। ଆମେରିକା ଭଳି ରାଷ୍ଟ୍ର ମଧ୍ୟ ନିଜ ଲୋକଙ୍କୁ ସେଠାରୁ ଉଦ୍ଧାର କରିବାରେ ସକ୍ଷମ ହେଉନାହିଁ। କିନ୍ତୁ ଭାରତ ସରକାର ନିଜ ଲୋକଙ୍କୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରୁଛନ୍ତି। ଏଥିପାଇଁ ସରକାର ଏବଂ ଉଦ୍ଧାରକାରୀ ଟିମ୍‌କୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି।