ସମ୍ବଲପୁର,୭ା୩(ପ୍ରମୋଦ ବହିଦାର):ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସର ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପ୍ରତୀକ ମା’ ସମଲେଶ୍ୱରୀଙ୍କ ପବିତ୍ର ପୀଠ ପରିସରରେ ମଦ ଓ ମାଂସର ଆସର ଭଳି ଅପବିତ୍ର କାର୍ଯ୍ୟକୁ ନେଇ ବଢ଼ିଛି ଅସନ୍ତୋଷ। ମନ୍ଦିରର ଦୀପଘର ପଛପଟେ ଥିବା ଦହନା ବଗିଚା ସଂଲଗ୍ନ ସ୍ଥାନରୁ ଶହଶହ ମଦ ବୋତଲ, ଖଲି, ଦନା, ଆମିଷ ରୋଷେଇ ପାଇଁ ଆବଶ୍ୟକ ମସଲା ହଳଦୀ ଭଳି ସାମଗ୍ରୀର ଅବଶେଷ ଓ ପ୍ୟାକେଟ୍, ମାଂସ କାଟିବା କାଠଗଣ୍ଡି, ରୋଷେଇରେ ବ୍ୟବହୃତ ଚୁଲି ଦେଖିବାକୁ ମିଳିଛି। ଚୈତ୍ର ଓ ଦଶହରା ଭଳି ପର୍ବ ସମୟରେ ଯେଉଁଠି ଲୋକେ ନିଜର ମାନସିକ ଦୀପ ପ୍ରଜ୍ଜ୍ୱଳନ କରିଥାନ୍ତି, ସେହି ଦୀପଘର ପାଖରେ ଏଭଳି ଅଧର୍ମ କାର୍ଯ୍ୟକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି। ତେବେ ଆଶ୍ଚର୍ଯ୍ୟର କଥା ଯେଉଁ ଦହନା ବଗିଚାର ତୁଳସୀ ମା’ଙ୍କ ସେବା ପାଇଁ ବ୍ୟବହାର ହୁଏ, ସେହି ଅଞ୍ଚଳରେ ଉକ୍ତ ସାମଗ୍ରୀ ସବୁ ରହିଛି। ଯାହା ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମନ୍ଦିର ପରିସରରେ ଚାରିଆଡ଼େ ସୁରକ୍ଷା କର୍ମୀ ମୁତୟନ ଥିବା ସତ୍ତ୍ୱେ କିଭଳି ଦିନ ଦ୍ୱିପ୍ରହରରେ ଏଠାରେ ମଦ ମାଂସର ଆସର ଚାଲିଲା ତାହା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହ ସମଗ୍ର ସମ୍ବଲପୁରବାସୀଙ୍କ ଭାବନାକୁ ଗଭୀର ଆଘାତ ଦେଇଛି। ଲୋକେ ଏହି ଘଟଣାକୁ ତୀବ୍ର ସମୋଲୋଚନା କରିବା ସହିତ ମନ୍ଦିର ପ୍ରଶାସନ ଓ ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ସଂସ୍ଥାର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ କରିଛନ୍ତି। ଏହି ଘଟଣାର ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏହାକୁ ଗମ୍ଭିରତାର ସହିତ ନେଇ ସମ୍ବଲପୁର ମହାନଗର ନିଗମ(ଏସ୍ଏମ୍ସି) ଆୟୁକ୍ତ ରେହାନ ଖତ୍ରୀ ଘଟଣାର ତଦନ୍ତ ପୂର୍ବକ ସୁରକ୍ଷା ଦାୟିତ୍ୱରେ ଥିବା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଅନୁସନ୍ଧାନ କରୁଥିବା ଏସ୍ଏମ୍ସି ଉପାୟୁକ୍ତ ସୁଶାନ୍ତ କୁମାର ସାହୁ ଏନେଇ ସୂଚନା ଦେଇଛନ୍ତି। ଏହାସହ ସେ ପୋଲିସକୁ ମଧ୍ୟ ମନ୍ଦିର ପରିସରରେ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ନେଇ ଉଭୟ ମନ୍ଦିର ସେବାୟତ ଓ ସୁରକ୍ଷା ସଂସ୍ଥା ପକ୍ଷରୁ ପରସ୍ପର ଦୋଷାରୋପ ଯୋଗୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି।
Dharitri – Odisha’s No.1 Odia Daily

