ଲଜ୍‌, ହୋଟେଲରେ ଚାଲିଛି ଅସାମାଜିକ କାମ

ନୟାଗଡ଼ ଅଫିସ,୨୦।୧:ନୟାଗଡ଼ ଜିଲା ସଦର ମହକୁମାର କେତେକ ଲଜ୍‌ ଓ ହୋଟେଲରେ ଅସାମାଜିକ କାର୍ଯ୍ୟ ଚାଲିଛି । ଗତ ଡିସେମ୍ବରରେ ନୟାଗଡ଼ ସଦର ମହକୁମାରୁ ଦୁଇ ଜଣ ଗିରଫ ହୋଇ ଜେଲ ଯିବା ପରେ ଏପରି ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି ା ଲଜ୍‌ ଗୁଡିକ ପ୍ରତ୍ୟହ ଗ୍ରାହକଙ୍କ ରହିବା ଓ ଯିବା ସମ୍ପର୍କରେ ଷ୍ଟେଟମେଣ୍ଟ ଦେବାର ନିୟମ ରହିଛି । ହେଲେ ବିଭିନ୍ନ ଲଜ୍‌ ଓ ହୋଟେଲ ଏହି ବ୍ୟବସ୍ଥାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରୁନାହାନ୍ତି ା ପୋଲିସ ଚଢ଼ାଉ ନ ଥିବାରୁ ସେ ଭୟ ଲଜ୍‌ ଓ ହୋଟେଲ ମାଲିକଙ୍କ ନାହିଁ ା ଖଣ୍ଡପଡ଼ା ରୋଡ ଅଞ୍ଚଳରେ ଏପରି ଅସାମାଜିକ କାମ ବେଶୀ ଚାଲୁଛି ା ଏଥିରେ ପୋଲିସର ଅନୁକମ୍ପା ରହିଥିବା ଅଭିଯୋଗ ହୋଇଛି ା
ନୟାଗଡ ଜିଲା ସଦର ମହକୁମାରେ ୧୨ରୁ ଊର୍ଦ୍ଧ୍ୱ ଲଜ୍‌ ଓ ହୋଟେଲ ରହିଛି। ସେହିପରି ଜିଲାର ବିଭିନ୍ନ ସ୍ଥାନରେ ୨୦ରୁ ଊର୍ଦ୍ଧ୍ୱ ଲଜ୍‌ ରହିଛି । ଏକାଧିକ ଲଜ୍‌ ବେଆଇନ ଭାବେ ଗଢ଼ି ଉଠିଛି । ଏଭଳିସ୍ଥଳେ ଲଜ୍‌ ଓ ହୋଟେଲରେ ଯେଉଁ ଗ୍ରାହକମାନେ ରହିବେ ସେମାନେ ନିଜର ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟର ନକଲ ଦେବାର ନିୟମ ରହିଛି । ଝିଅକୁ ୧୮ ଓ ପୁଅକୁ ୨୧ ବର୍ଷ ବୟସ ହୋଇ ନ ଥିଲେ ଲଜ୍‌ରେ ରହିପାରିବେନି । ତେବେ ଅଧିକାଂଶ ଲଜ୍‌ରେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର ପରି ପ୍ରମାଣ ପତ୍ର ଦେବାର ଆବଶ୍ୟକତା ପଡୁନାହିଁ । ଗତ ୬ ତାରିଖ ରାତି ସାଢ଼େ ୧୧ଟାରେ ୩ ଜଣ ନାବାଳିକା ପୁରୁଷ ବନ୍ଧୁଙ୍କ ସହ ଲଜ୍‌ରେ ରହିବାକୁ ନୟାଗଡ଼ର ଏକ ଲଜ୍‌କୁ ଆସିଥିଲେ । ସେମାନେ ପୂର୍ବରୁ ୩ଟି ବେଡ୍‌ ବୁକିଂ କରିଥିଲେ । ପରିଚୟ ପତ୍ରର ନକଲ ମାଗିବାରୁ ନାହିଁ କହିଥିଲେ। ପ୍ରତି ବଦଳରେ ଅଧିକ ଟଙ୍କା ଯାଚିଥିଲେ। ପ୍ରମାଣ ପତ୍ର ନ ଥିବାରୁ ଲଜ୍‌ ମାଲିକ ସେମାନଙ୍କୁ ଫେରାଇ ଦେଇଥିଲେ । ହେଲେ ସେମାନେ ଖଣ୍ଡପଡ଼ା ରୋଡରେ ଥିବା ଏକ ଲଜ୍‌ରେ ବିନା ପ୍ରମାଣପତ୍ର ନକଲରେ ରହିଥିଲେ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ପୋଲିସକୁ ସେଦିନ ରାତିରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ବୋଲି ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖି କହିଛନ୍ତି ା ଏହି ଘଟଣାର ତଦନ୍ତ ଓ ସିସିଟିଭି ଯାଞ୍ଚ କଲେ ଅନେକ ଗୁମର ଫିଟିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା
ଏ ସମ୍ପର୍କରେ ନୟାଗଡ଼ ଏସ୍‌ପି ଅଲେଖ ଚନ୍ଦ୍ର ପହି କୁହନ୍ତି, ଆଧାର କାର୍ଡ, ଭୋଟ ପରିଚୟ ପତ୍ର ନ ଦେଇ ଲଜ୍‌, ହୋଟେଲରେ ରହିଲେ କିଛି ଅସୁବିଧା ନାହିଁ । ପୁରୀରେ ଅନେକ ଲଜ୍‌ରେ ବିନା ପ୍ରମାଣ ପତ୍ର ଦେଇ ଗ୍ରାହକ ରହୁଛନ୍ତି । ନୂଆ ନିୟମ ପରେ ଦେହ ବ୍ୟବସାୟ ଚାଲିବା ନେଇ ପ୍ରମାଣ ମିଳିବା ବହୁ କଷ୍ଟକର ବ୍ୟାପାର ବୋଲି ସେ କହିଛନ୍ତି। ଜଣେ ଯୁବକ କୁହନ୍ତି, କେତେଜଣ ନାବାଳିକା ଏକାଧିକ ଲଜ୍‌ରେ ରହୁଛନ୍ତି । ଲଜ୍‌ କର୍ତ୍ତୃପକ୍ଷ ସେମାନଙ୍କ ପୁରୁଷ ବନ୍ଧୁଙ୍କ ପ୍ରମାଣପତ୍ର ରଖିବାବେଳେ ନାବଳିକାଙ୍କ ପ୍ରମାଣପତ୍ର ରଖୁ ନାହାନ୍ତି । କେତେବେଳେ କେବଳ ଯୁବତୀଙ୍କମାନଙ୍କ ପ୍ରମାଣ ପତ୍ର ରଖୁଛନ୍ତି । ତାଙ୍କ ପୁରୁଷ ବନ୍ଧୁଙ୍କ କୌଣସି ତଥ୍ୟ ରଖୁ ନାହାନ୍ତି । ଲଜ୍‌ ଓ ହୋଟେଲର ମ୍ୟାନେଜର ସ୍ଥାନୀୟ କେତେଜଣ ଦଲାଲଙ୍କ ସହାୟତାରେ ଏପରି କାମ କରାଉଛନ୍ତି ବୋଲି ଅଭିଯୋଗ ହୋଇଛି ା