ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର

ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ ଏହି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ । ଫୁଲବାଣୀ ଆଦର୍ଶ ଥାନା ପୋଲିସ ନାଁରେ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତେବେ ପୋଲିସ ପରିବାର ଲୋକଙ୍କୁ ଅଭିଯୋଗ ଦେବା ପରେ ସେମାନେ ଏସପିଙ୍କୁ ଭେଟି ଅଭିଯୋଗ ଆଣିଛନ୍ତି । ମୃତ ଯୁବକ ହେଲେ ପେଂଜି ସାହିର ହେରନ ନାୟକ ।

ମିଳିଥିବା ସୁଚନା ଅନୁସାରେ ଚୋରି ଅଭିଯୋଗରେ ଆଦର୍ଶ ଥାନା ପୋଲିସ ହେରନଙ୍କ ସମେତ ଅନ୍ୟ ଜଣେ ନାବାଳକଙ୍କୁ ଗତ ୧୩ ତାରିଖରେ ଘରୁ ଉଠାଇ ଆଣିଥିଲା । ଏହାପରେ ୧୪ ତାରିଖ ଦିନ ହେରନଙ୍କୁ କୋର୍ଟ ଚାଲାଣ କରିଥିଲା । ହେଲେ ସେଠାରେ ବେଲ୍ ନମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା । ବୁଧବାର ସକାଳେ ହେରନଙ୍କ ଦେହ ଖରାପ ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ପୂର୍ବାହ୍ନ ୧୦ଟାରେ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଖବର ପାଇ ମେଡିକାଲରେ ପହଁଚିବା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ମାରପିଟ କରିବା ଯୋଗୁ ପୁଅର ମୃତ୍ଯୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିବା ସହ ଏସପିଙ୍କ କାର୍ଯ୍ୟାଳୟ ପାଖରେ ରୁଣ୍ଡ ହୋଇଥିଲେ ।
ହେରେନ ଏବଂ ତାଙ୍କ ସହଯୋଗୀ(ନାବାଳକ) ଗତ ୧୨ ତାରିଖ ଦିନ ସାଧା ପୋଷାକରେ ଥିବା ଜଣେ ପୋଲିସ କର୍ମଚାରୀଙ୍କ ବ୍ୟାଗ ଝାମ୍ପି ନେଇଥିଲେ । ସେଥିରେ ୧୦ ହଜାର ଟଙ୍କା ସହିତ ଅନ୍ୟ ସାମଗ୍ରୀ ରହିଥିଲା । ଏନେଇ ପୋଲିସ ଅଧିକାରୀ ଏତଲା ଦେବା ପରେ ପୋଲିସ ସମ୍ପକ୍ତ ଯୁବକଙ୍କୁ ଥାନାରୁ ଉଠାଇ ନେଇଥିଲା ।

୧୪ତାରିଖରେ ଘର ଲୋକଙ୍କ ଉପସ୍ଥିତିରେ ପୋଲିସ ହେରନଙ୍କୁ କୋର୍ଟ ଚାଲାଣ କରିଥିଲା । ତାଙ୍କୁ ମାରପିଟ କରାଯାଇ ନାହିଁ । ଏହା ସମ୍ପୁର୍ଣ୍ଣ ମିଥ୍ୟା, ଘଟଣାର ତଦନ୍ତ ପରେ ଜଣାପଡିବ ବୋଲି ଫୁଲବାଣୀ ସଦର ଏସ୍‌ଡିପିଓ ଶୁଭ୍ରଜିତ ବିଶ୍ୱାଳ କହିଛନ୍ତି । ସେହିପରି ମେଡିକାଲରେ ଉତ୍ତେଜନା ଯୋଗୁ ଶବ ବ୍ୟବଚ୍ଛେଦ ବିଳମ୍ବରେ ହୋଇଥିଲା । ଏହପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତାଙ୍କ ନାମରେ ପୂର୍ବରୁ ବହୁ ଚୋରୀ, ଡକାୟତି ମାମଲା ରହିଛି । ଘଟଣାର ତଦନ୍ତ ଚାଲିଛି ବୋଲି ଥାନାଧିକାରୀ ପ୍ରଜ୍ଞା ରୀତାମ୍ଭରା ସୂଚନା ଦେଇଛନ୍ତି । ରିପୋର୍ଟ ଲେଖା ହେଲା ବେଳକୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଦାବି କରିଛନ୍ତ ।

 

Dharitri – Odisha’s No.1 Odia Daily