ଚାପରେ ନିର୍ଦ୍ଦେଶ ବଦଳିଲା

ଢେଙ୍କାନାଳ ଅଫିସ୍‌, ୧୨ା୭:ବିଦ୍ୟାଳୟ ପରିସରକୁ ଗଣମାଧ୍ୟମ ପ୍ରତିନିଧିମାନେ କ୍ୟାମେରା ନେଇ ଯାଇପାରିବେ ନାହିଁ। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ ଏଭଳି ଏକ ବିବାଦୀୟ ନିର୍ଦ୍ଦେଶନାମାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ଉଠିବା ପରେ ନିଷ୍ପତ୍ତି ବଦଳିଛି। କଙ୍କଡ଼ାହାଡ଼ ବ୍ଲକ କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ ମିଳିତ ଜନଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନିଆଯାଇଛି। ଏ ନେଇ ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ ଏକ ଚିଠି (ନଂ. ୧୦୯୬/ ୧୧.୭.୨୦୨୨) ପ୍ରକାଶିତ ହୋଇଛି। ବିନା ଅନୁମତିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବ୍ଲକର କୌଣସି ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଗତ ଜୁନ୍‌ ୮ରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଚିଠି (ନଂ. ୧୦୬୬)ରେ ଯେଉଁ ନିର୍ଦ୍ଦେଶ ଦିଆଯାଇଥିଲା, ତାହାକୁ ପ୍ରତ୍ୟାହାର କରି ନିଆଯାଇଥିବା ଏଥିରେ ଦର୍ଶାଯାଇଛି।
ରାଜ୍ୟର କେତେକ ଜିଲାର ବ୍ଲକ ଶିକ୍ଷାଧିକାରୀମାନେ ଅନୁରୂପ ନିର୍ଦ୍ଦେଶନାମା ଜାରି କରିବା ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଥିବାବେଳେ ଅଭିଭାବକ ସଂଘ ସ୍କୁଲରେ ତାଲା ପକାଇବ ବୋଲି ଚେତାବନୀ ଦେଇଥିଲା। ଏପରି କି ଗଣମାଧ୍ୟମ ସମ୍ମୁଖକୁ ଆସି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଥିଲା। ଏଭଳି ବିବାଦୀୟ ନିର୍ଦ୍ଦେଶକୁ ନେଇ ସମାଲୋଚନାର ଶିକାର ହେବା ପରେ ଚାପରେ ପଡ଼ି ବ୍ଲକ ଶିକ୍ଷା ବିଭାଗ ନିଷ୍ପତ୍ତି ବଦଳାଇଥିବା ଆଲୋଚନା ହେଉଛି। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ନେବା ପାଇଁ ବିଇଓ ହରିହର ଦେହୁରୀଙ୍କ ମୋବାଇଲ (ନଂ. ୯୪୩୮୬୨୯୯୫୫, ୯୬୬୮୩୪୪୮୪୯) ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା।
ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ ଦୁଇଦିନ ତଳେ ଏକ ଚିଠି କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା, କିଛି ଲୋକ କ୍ୟାମେରା ଧରି ସ୍କୁଲ ଭିତରେ ପଶି ପିଲା ଓ ଶିକ୍ଷକଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଏହାକୁ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରଣ କରୁଛନ୍ତି, ଯାହା ଗ୍ରହଣଯୋଗ୍ୟ ନୁହେଁ। ଏଣିକି ସ୍କୁଲରେ ପ୍ରବେଶ ପୂର୍ବରୁ ସମ୍ପୃକ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ପଡ଼ିବ। ଏହାକୁ ଅବମାନନା କଲେ ସେହି ସ୍କୁଲର ପ୍ରଧାନ ଶିକ୍ଷକ ସମ୍ପୃକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ ଥାନାରେ ଏତଲା ଦେବେ। କେବଳ ଏତିକି ନୁହେଁ, ଢେଙ୍କାନାଳ ଜିଲା ସମଗ୍ର ଶିକ୍ଷା ଅଭିଯାନ ପ୍ରକଳ୍ପ କାର୍ଯ୍ୟାଳୟରୁ ମଧ୍ୟ ଅନୁରୂପ ଚିଠି କରାଯାଇ ନିର୍ଦ୍ଦେଶ କଡ଼ାକଡ଼ି ପାଳନ କରାଯିବାକୁ କୁହାଯାଇଥିଲା।

ଯାଇପାରିବେ, କିନ୍ତୁ ପାଠପଢ଼ା ସମୟରେ ନୁହେଁ: ଜିଲାପାଳ
ବିଦ୍ୟାଳୟ ପରିସରକୁ ଗଣମାଧ୍ୟମର ପ୍ରବେଶ ଉପରେ କଟକଣା ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ସରଗରମ କରିଥିବାବେଳେ ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ ମତ ରଖିଛନ୍ତି। ସେ କହିଛନ୍ତି, ସ୍କୁଲ ପରିସରକୁ ଗଣମାଧ୍ୟମ ପ୍ରତିନିଧି ଯାଇପାରିବେ, କିନ୍ତୁ ପାଠପଢ଼ା ସମୟରେ ନୁହେଁ। କାରଣ କ୍ୟାମେରା ଧରି ସ୍କୁଲ ହତାକୁ ପ୍ରବେଶ କରିବା ଫଳରେ ଶିକ୍ଷାଦାନ ପ୍ରଭାବିତ ହେଉଛି। ତେଣୁ ଗଣମାଧ୍ୟମ ପ୍ରତିନିଧି ଚାହିଁଲେ ପାଠପଢ଼ା ସରିବା ପରେ ସ୍କୁଲ ପରିଚାଳନା କମିଟି, ପୁରାତନ ଛାତ୍ର ସଂଘ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିପାରିବେ।