ଲଗାମବିହୀନ ସାଇବର ଅପରାଧ

ପ୍ରକାଶ ତ୍ରିପାଠୀ

ନୂଆ ଚାକିରି ଆଉ ପ୍ରଥମ ଦରମାର ଏକ ସତନ୍ତ୍ର ଆକର୍ଷଣ ରହିଥାଏ। ଏଥିରୁ ବାଦ୍‌ ପଡ଼ି ନ ଥିଲେ ଭୁବନେଶର ନିବାସୀ ଶୁଭମ୍‌। ପ୍ରଥମ ଚାକିରିର ପ୍ରଥମ ଦୁଇମାସର ଦରମା ସାଇତି ରଖିଥିଲେ ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ଥିବା ନିଜ ସେଭିଙ୍ଗ ଆକାଉଣ୍ଟରେ। ଅନ୍‌ଲାଇନରେ ଗୋଟିଏ ପୂମା ଜୋତା ପସନ୍ଦ ଆସିବାରୁ ପୂମା ୱେବ୍‌ସାଇଟରୁ ସେହି ଜୋତା ମଗାଇଥିଲେ ସେ। ଏହାର ଠିକ୍‌ ଆଠ ଦିନପରେ ଅର୍ଥାତ୍‌ ଗତ ଡିସେମ୍ବର ୬ରେ ଶୁଭମ୍‌ଙ୍କ ମୋବାଇଲ ଫୋନକୁ ଗୋଟିଏ କଲ୍‌ ଆସିଥିଲା ଓ ନିଜଳୁ ଡେଲିଭରି ବୟର ପରିଚୟ ଦେଇ ସେଇ ଯୁବକଟି ହିନ୍ଦୀରେ କହିଥିଲା ଯେ ପୂମା ୱେବ ସାଇଟରେ ଶୁଭମ୍‌ଙ୍କ ଡାଟା ଉପଲବ୍ଧ ହେଉନାହିଁ। ତେଣୁ ଜୋତା ଡେଲିଭରି ସମ୍ଭବ ହୋଇ ପାରୁନି। ଶୁଭମ୍‌ଙ୍କ ମୋବାଇଲକୁ ଏକ ମେସେଜ ପଠା ଯାଇଛି ଓ ତାହାକୁ ତୁରନ୍ତ ନିର୍ଦ୍ଦିଷ୍ଟ ଏକ ମୋବାଇଲ ଫୋନକୁ ଫରୱାର୍ଡ କରିଦେବାକୁ ଯୁବକ ଜଣକ ଶୁଭମ୍‌ଙ୍କୁ ଅନୁରୋଧ କଲେ। ନୂଆ ଜୋତାର ଆକର୍ଷଣରେ ଶୁଭମ୍‌ ସେହି ମେସେଜକୁ ତର୍ଜମା ନ କରି ତୁରନ୍ତ ଫରୱାର୍ଡ କରିଦେଲେ। ଠିକ୍‌ ଏହାର ଦଶ ମିନିଟ ପରେ ତାଙ୍କର ଏଚଡିଏଫସି ବ୍ୟାଙ୍କ ଆକାଉଣ୍ଟରୁ ଦଶ ହଜାର ଟଙ୍କା ଉଠାଣର ମେସେଜ ଆସିଲା। ତା’ ପଛକୁ ପଛ ମୋଟ ୭୫୦୦୦ ଟଙ୍କା ଉଠାଣ ହୋଇ ଯାଇ ମାତ୍ର ୨୨ ଟଙ୍କା ରହିଲା ନିଜ ଜମା ଖାତାରେ। ମାତ୍ର ୧୦ ମିନିଟରେ ନିଜ ବ୍ୟାଙ୍କରେ ପହଞ୍ଚି ଆକାଉଣ୍ଟକୁ ବ୍ଲକ କରିଥିଲେ ଶୁଭମ୍‌ ଓ ଲିଖିତ ଅଭିଯୋଗ ବି ଦାଖଲ କରିଥିଲେ। ସେହି ବ୍ୟାଙ୍କରେ ଥିବାବେଳେ ଶୁଭମ୍‌ଙ୍କର ୟୁକୋ ବ୍ୟାଙ୍କ ଆକାଉଣ୍ଟରୁ ବି ୧୨୦୦୦ ଟଙ୍କା ଉଠାଣ ହେବାର ମେସେଜ ଆସିଗଲା। ମାତ୍ର ୧୫ ମିନିଟ ଭିତରେ ତାଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ ୮୭୦୦୦ ଟଙ୍କା ଚାଲିଗଲା। ସଙ୍ଗେ ସଙ୍ଗେ ଶୁଭମ୍‌ ସାଇବର ଥାନାରେ ଅଭିଯୋଗ କଲେ। ବ୍ୟାଙ୍କ ତଥ୍ୟରୁ ଜଣାପଡିଥିଲା ଯେ, ଶୁଭମ୍‌ଙ୍କ ଟଙ୍କା ଆମାଜନ ଓ ଫ୍ଲିପକାର୍ଟରୁ ଜିନିଷ କିଣିବାରେ ବିନିଯୋଗ ହୋଇଛି। ସାଇବର ଥାନା ତତ୍‌କ୍ଷଣାତ ଫ୍ଲିପ କାର୍ଟ ଓ ଆମାଜନକୁ ଏହି ସାଇବର ଅପରାଧ ବିଷୟରେ ମେଲ ପଠାଇଥିଲେ ହେଁ କୌଣସି ଫଳ ମିଳି ନ ଥିଲା। ସାଇବର ଅପରାଧ ହେବାର ମାତ୍ର ଅଧଘଣ୍ଟା ଭିତରେ ସାଇବର ଥାନା ଓ ବ୍ୟାଙ୍କକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ନା ବ୍ୟାଙ୍କ ନା ସାଇବର ଥାନା, କେହି ବି ସହାୟତା ଦେଇପାରିଲେନି । ଅନ୍‌ଲାଇନରେ ଦାଖଲ ହୋଇଥିବା ପ୍ରଥମ ଚାକିରିର ପ୍ରଥମ ଦରମା ଚୋରି ହୋଇଗଲା ଅନ୍‌ଲାଇନରେ। ଅପରାଧୀର ମୋବାଇଲ ଫୋନ ନମ୍ବର ଅଛି, ଫ୍ଲିପକାର୍ଟ ଓ ଆମାଜନରୁ ଜିନିଷ ଅନ୍‌ଲାଇନରେ ବୁକ୍‌ କରିବାର ତଥ୍ୟ ବି ଅଛି। ଏସବୁ ଥାଇ ମଧ୍ୟ ପୋଲିସ ଅପରାଧୀକୁ ଧରି ନ ପାରିବା ତଥା ବ୍ୟାଙ୍କ ମଧ୍ୟ ଅସହାୟତା ପ୍ରକାଶ କରିବା ନିଶ୍ଚିତ ଚିନ୍ତାର ବିଷୟ। କେଉଁ ଭରସାରେ ଜନ ସାଧାରଣ କ୍ୟାଶ ଲେସ ବା ନଗଦବିହୀନକୁ ଗ୍ରହଣ କରିବେ ? କାହା ଭରସାରେ ବ୍ୟାଙ୍କରେ ଟଙ୍କା ସଞ୍ଚୟ କରିବେ?
ସାଇବର ଅପରାଧ ଜଗତରେ ଶୁଭମ୍‌ଙ୍କ ଘଟଣା ଏକ ଉଦାହରଣ। ପ୍ରତିଦିନ ଖବରକାଗଜରେ ଅନୁରୂପ ଘଟଣା ମାନ ପଢ଼ିବାକୁ ମିଳୁଛି। ଶୁଭମଙ୍କ ଭୁଲ୍‌ ଯୋଗୁ ତାଙ୍କର ଦୁଇଟି ଯାକ ବ୍ୟାଙ୍କ ଆକାଉଣ୍ଟ ଶୂନ ହୋଇଗଲା। ଡେଲିଭରି ବୟର ପରିଚୟ ଦେଇଥିବା ଲୋକଟିର ମେସେଜକୁ ଶୁଭମ୍‌ ଫରୱାର୍ଡ କରି ଭୁଲ୍‌ କରିଥିଲେ। ଏହି ଭଳି ଛୋଟ ମୋଟ ଭଲ୍‌ କରି ଅନେକ ଲୋକ ସାଇବର ଅପରାଧର ଶିକାର ହେଉଛନ୍ତି। ଏଭଳି ଖବର ପ୍ରତ୍ୟହ ଆମ ନଜରକୁ ଆସୁଛି। ଭାରତରେ କ୍ୟାଶଲେସ କାରବାର ବୃଦ୍ଧି ପାଉଛି ଓ ତା’ ସହ ବୃଦ୍ଧି ପାଉଛି ସାଇବର କ୍ରାଇମ। ଅନ୍‌ଲାଇନରେ କୋଟି କୋଟି ଟଙ୍କା ଠକେଇ ଚାଲିଛି ପ୍ରତ୍ୟହ। କେବଳ ସାଧାରଣ ଜନତା ନୁହେଁ, ଉଚ୍ଚ ଶିକ୍ଷିତ ଯୁବବର୍ଗ ମଧ୍ୟ ଏହାର ଶିକାର ହେଉଛନ୍ତି। ସରକାର କ୍ୟାଶଲେସ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଉଛନ୍ତି। ଜନସାଧାରଣ ଘରେ ବସି ଅନ୍‌ଲାଇନରେ କିଣା ବିକା କରୁଛନ୍ତି। ଅନ୍‌ଲାଇନରେ ଟଙ୍କା ଆଦାନ ପ୍ରଦାନ କରୁଛନ୍ତି। ଏହାର ସୁଯୋଗ ନେଉଛନ୍ତି ସାଇବର ଅପରାଧୀ। ସେମାନଙ୍କ ସୂକ୍ଷ୍ମ ଚକ୍ରବୂ୍ୟହରୁ ବାହାରି ପାରୁନାହାନ୍ତି ଓ ସର୍ବସାନ୍ତ ହେଉଛନ୍ତି ଜନସାଧାରଣ । ନଗଦ ଅପେକ୍ଷା ଡିଜିଟାଲ ମୋଡରେ ଟଙ୍କା ଦେଣନେଣକୁ ଜଣସାଧାରଣ ପସନ୍ଦ କରୁଥିଲାବେଳେ ଅପରାଧୀମାନେ ପକେଟ ମାର୍‌ରୁ ସାଇବର ଫ୍ରଡ୍‌କୁ ପସନ୍ଦ କଲେଣି। କେବଳ ଭାରତ ନୁହେଁ, ପ୍ରତ୍ୟେକ ରାଷ୍ଟ୍ର ଏହାର ଶିକାର ହେଉଛନ୍ତି। ତଥ୍ୟ କୁହେ ବାର୍ଷିକ ପ୍ରାୟ ୨୦୦ ବିଲିଅନ ଡଲାର ସାଇବର ଫ୍ରଡ୍‌ ବିଶ୍ୱବ୍ୟାପୀ ହେଉଛି ଓ ଏହାର ପ୍ରାୟ ୧୦ ଭାଗ ଅପରାଧ ଭାରତରେ ସଂଗଠିତ ହେଉଛି। ସାଇବର ଅପରାଧୀଙ୍କ ବ୍ରେନ ଆଗରେ ପୋଲିସ ନୂ୍ୟନ ହୋଇଯାଉଛି। ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୦ରେ ଆମ ଦେଶର ଡିଜିଟାଲ ବ୍ୟାଙ୍କିଙ୍ଗରେ ୨.୯ ଲକ୍ଷ ସାଇବର ନିରାପତ୍ତା ଦୁର୍ଘଟଣା ଘଟିଛି।
ଡିଜିଟାଲ ମୋଡ୍‌ରେ ଆର୍ଥିକ ଦେଣନେଣ ୨୦୧୮-୧୯ ବର୍ଷଠାରୁ ୪୬ ପ୍ରତିଶତ ବୃଦ୍ଧି ପାଇଛି ଓ ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି ପାଇବ। ୨୦୧୮-୧୯ବର୍ଷରେ ଡିଜିଟାଲ ମୋଡ୍‌ରେ ଆର୍ଥିକ ଦେଣନେଣ ୩୧୩୪ କୋଟି ଟଙ୍କା ଥିବା ବେଳେ ୨୦୧୯-୨୦ରେ ଏହା ୪୫୭୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୦ରେ ସାଇବର ଅପରାଧ ଯୋଗୁ ୯୮୪୯ଟି ୱେବ୍‌ସାଇଟ/ୱେବ୍‌ ପେଜ/ଆକାଉଣ୍ଟକୁ ବ୍ଲକ କରାଯାଇଛି। ଏହି ବର୍ଷ ୬୨୩୩ଟି ସାଇବର ଆର୍ଥିକ ଅପରାଧ ମାମଲା ରୁଜୁ ହୋଇଛି। ଯେଉଁ ହାରରେ କ୍ରେଡିଟ କାର୍ଡ, ଡେବିଟ କାର୍ଡ, ୟୁପିଆଇ ତଥା ଅନ୍ୟାନ୍ୟ ଡିଜିଟାଲ ମୋଡ୍‌ରେ ଆର୍ଥିକ ଦେଣନେଣ ହେଉଛି ସେଇ ପରିମାଣରେ ସାଇବର ଅପରାଧ ମଧ୍ୟ ବୃଦ୍ଧି ଘଟୁଛି। ମାତ୍ର ସେହି ଅନୁପାତରେ ଅପରାଧକୁ ଧରିବାରେ ସଫଳ ହେଉନାହିଁ ପୋଲିସ। ଯଦି ଉଚ୍ଚ ଶିକ୍ଷିତ ବ୍ୟକ୍ତିବିଶେଷ ସାଇବର ଅପରାଧର ଶିକାର ହୋଇଯାଉଛନ୍ତି, ତେବେ ସାଧାରଣ ଜନତା ଏଥିରେ ସହଜରେ ପଡ଼ିଯିବା କିଛି ଆଶ୍ଚର୍ଯ୍ୟ ନୁହେଁ।
ଏବେ ପ୍ରାୟ ସଭିଙ୍କ ହାତରେ ସ୍ମାର୍ଟ ଫୋନ। ସବୁ ସ୍ମାର୍ଟ ଫୋନରେ ଇଣ୍ଟରନେଟ ସେବା ଉପଲବ୍ଧ। ଘରେ ବସି ଅନ୍‌ଲାଇନ ଶପିଙ୍ଗଠାରୁ ଆରମ୍ଭକରି, ଇଲେକ୍ଟ୍ରି ବିଲ୍‌, ପାଣି ବିଲ୍‌, ପିଲାଙ୍କ ସ୍କୁଲ ଓ କଲେଜ ଫିସ, ଟଙ୍କା ଉଠାଣ ଓ ଜମା ଆଦି ସବୁ କିଛି ନେଣଦେଣ ଅନ୍‌ଲାଇନରେ ହେଉଛି। ଆପଣଙ୍କ ମନ ଜାଣି ଅନ୍‌ଲାଇନରେ ଥିବା ବ୍ୟବସାୟିକ ସାଇଟ୍‌ଗୁଡ଼ିକ ଆପଣଙ୍କ ପିଛା କରୁଛନ୍ତି। ଏବେ ଇଣ୍ଟରନେଟରେ ଅଗଣିତ ଫେକ୍‌ ବା ମିଥ୍ୟା ୱେବ୍‌ସାଇଟ। ଦିନରାତି ଆପଣଙ୍କୁ ମୋବାଇଲ ଫୋନରେ ଅନେକ ଲୋଭନୀୟ ମେସେଜ ଆସୁଛି। କେତେବେଳେ ଆପଣ କୋଟିଏ ଟଙ୍କା ଜିତି ଯାଉଛନ୍ତି ତ କେତେବେଳେ ଆପଣଙ୍କ ବ୍ୟାଙ୍କ ଲୋନ ମଞ୍ଜୁର ହୋଇଯାଇଛି ବୋଲି ମେସେଜ ଆସୁଛି। କିଏ ବ୍ୟାଙ୍କ ଆକାଉଣ୍ଟ ମାଗିଲାଣି ତ କିଏ ଆଧାର ନମ୍ବର। ମଣିଷ ଦିନରାତି ମେହନତ କରି ଟଙ୍କା ବ୍ୟାଙ୍କରେ ରଖୁଛି, ଦଳେ ଉଚ୍ଚ ଶିକ୍ଷିତ ଚୋର ଘରେ ବସି କମ୍ପୁଟର ଓ ଇଣ୍ଟରନେଟ ମାଧ୍ୟମରେ ତାକୁ ଚୋରି କରିବାକୁ ଉପାୟ ପାଞ୍ଚୁଛନ୍ତି। ସବୁ ବ୍ୟାଙ୍କ ଖାତାରେ ଆଧାର ନମ୍ବର ଓ ମୋବାଇଲ ନମ୍ବର ରହୁଛି ଏବଂ ଆପଣଙ୍କ ମୋବାଇଲରେ ସବୁ ଡାଟା ରହୁଛି। ଯଦି କୌଣସିମତେ ଆପଣଙ୍କ ଫୋନ ହ୍ୟାକ ହୋଇଗଲା, ତେବେ ଆପଣଙ୍କ ମୋବାଇଲ ଫୋନରେ ଥିବା ସବୁ ଡାଟା ହ୍ୟାକର ପାଖକୁ ଚାଲିଯିବ ଓ ତାରି ମାଧ୍ୟମରେ ଯେତେସବୁ ବ୍ୟାଙ୍କରେ ଆପଣଙ୍କ ଟଙ୍କା ଥିବ, ତାହା ହ୍ୟାକର ସହଜରେ ନେଇଯାଇ ପାରିବ ଯେମିତି ଶୁଭମ୍‌ଙ୍କର ହେଲା। ନା ପୋଲିସ ନା କେହି ବି ସାହାଯ୍ୟ କରିପାରିବେନି। ଅବଶ୍ୟ କିଛି କ୍ଷେତ୍ରରେ ପୋଲିସକୁ ସଫଳତା ମିଳୁଛି। ମାତ୍ର ସେ ଭରସାରେ ଜନସାଧାରଣ ରହିବା ଠିକ୍‌ ହେବନାହିଁ।
ସାଇବର ଅପରାଧୀମାନେ ଉଚ୍ଚ ଶିକ୍ଷିତ ତଥା ଉନ୍ନତ ଜ୍ଞାନ କୌଶଳଯୁକ୍ତ ହୋଇଥିବାରୁ ମୋବାଇଲ ସିମ୍‌କାର୍ଡ ଓ ଡେବିଟ କାର୍ଡ କ୍ଲୋନିଙ୍ଗ ସେମାନଙ୍କ ପାଇଁ ଅସାଧ୍ୟ ନୁହେଁ। ଆପଣଙ୍କ ପାଖରେ ଆପଣଙ୍କ ଡେବିଟ କାର୍ଡ ଥିବ, କିନ୍ତୁ ଆପଣ ମେସେଜ ପାଇବେ ଯେ ଆପଣଙ୍କ ଡେବିଟ କାର୍ଡରେ ଅମୁକ ଏଟିଏମ୍‌ରୁ ଏତିକି ଟଙ୍କା ଉଠାଣ ହୋଇଛି। ଏମିତି ଉଦାହରଣ ଏଇ ନିକଟରେ ଘଟିଛି ଓ ପୁରୀରେ। ବିଭିନ୍ନ ଉପାୟରେ ସାଇବର ଅପରାଧୀମାନେ ଲୁଟିଚାଲିଛନ୍ତି ଟଙ୍କା। ସାଇବର ଥାନା ଓ ବିଶେଷ କରି ବ୍ୟାଙ୍କ କର୍ତ୍ତୃପକ୍ଷ ସାଇବର ଠକେଇକୁ ରୋକିବା ପାଇଁ ଓ ଉପଭୋକ୍ତାଙ୍କ ଅର୍ଥର ସୁରକ୍ଷା ଲାଗି ଅଧିକ ଯତ୍ନବାନ ହେବା ଆବଶ୍ୟକ। ପ୍ରତି ବ୍ୟାଙ୍କରେ ସାଇବର ନିରୋଧକୁ ସକ୍ରିୟ ତଥା ଅଧିକ କ୍ରିୟାଶୀଳ କରାଯିବା ଜରୁରୀ ହେଲାଣି।
ଆଗାମୀ ଦିନରେ ନଗଦ ବିହୀନ କାର୍ଯ୍ୟକ୍ରମ ଆହୁରି ଅଧିକ ହେବ। ଅନ ଲାଇନରେ କାରବାର ବଢ଼ିବ। ସେଥିପାଇଁ ଉପଭୋକ୍ତାମାନଙ୍କୁ ଅଧିକ ସତର୍କ ହେବାକୁ ପଡ଼ିବ। ଅନାବଶ୍ୟକ ଲିଙ୍କ୍‌ଠାରୁ ଦୂରେଇ ରୁହନ୍ତୁ। ନିଜର ବ୍ୟକ୍ତିଗତ ତଥ୍ୟ ଗୋପନରଖନ୍ତୁ ଓ କାହା ସହ ଶେୟାର କରନ୍ତୁ ନାହିଁ । କୌଣସି ମେସେଜ ବା ଲିଙ୍କକୁ ଫରୱାର୍ଡ କରନ୍ତୁ ନାହିଁ। ଓଟିପି ଓ ଡେବିଟ କାର୍ଡ ସିଭିସିକୁ ଗୋପନ ରଖନ୍ତୁ। ଅନ୍‌ଲାଇନ କାରବାରରେ ଯଦି ଆପଣ ସିଦ୍ଧହସ୍ତ ନୁହନ୍ତି, ତେବେ ଏ ସମ୍ପର୍କିତ ଜ୍ଞାନ ଥିବା ଅତି ପରିଚିତ ଓ ବିଶ୍ୱସ୍ତ ବ୍ୟକ୍ତିବିଶେଷଙ୍କ ସହାୟତା ନିଅନ୍ତୁ କିମ୍ବା ଅଫ୍‌ ଲାଇନରେ କାରବାର କରନ୍ତୁ। କଷ୍ଟ ଅର୍ଜିତ ଧନକୁ ସୁରକ୍ଷିତ ରଖନ୍ତୁ।
ମୋ:୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri