ସୁନ୍ଦରଗଡରେ ଲଜ୍ଜା: ୭ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମାମୁ

ସୁନ୍ଦରଗଡ,୧୯ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଜଣେ ୭ବର୍ଷୀୟା ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ମା’ଙ୍କ ଏତଲା କ୍ରମେ ପୋଲିସ ଶୁକ୍ରବାର ଅଭିଯୁକ୍ତ ମନୋଜ ଲୁଗୁନ(୪୫)ଙ୍କୁ ଗିରଫ କରି ସୁନ୍ଦରଗଡ ପୋକ୍ସୋ କୋର୍ଟକୁ ଚାଲାଣ କରିଛି। ପୋଲିସ ଅଭିଯୁକ୍ତ ଓ ପୀଡିତାଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ କେସ୍‌(ନଂ. ୬୮/୨୬)ରେ ଏକ ନାବାଳିକା ବଳାତ୍କାର ମାମଲା ରୁଜୁ କରିଥିବା ନେଇ ସୁନ୍ଦରଗଡ ପୋକ୍ସୋ କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଭାତ ନନ୍ଦ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ପୀଡିତାଙ୍କ ମା’ ଗତ କିଛି ମାସ ହେବ ପିଲାଛୁଆଙ୍କୁ ଧରି ବାପଘରେ ରହୁଥିଲେ। ଘଟଣା ଦିନ ଅର୍ଥାତ୍‌ ବୁଧବାର ପୀଡିତାଙ୍କ ମା’ ବନ୍ଧୁ ଘର ଯାଇଥିଲେ। ମା’ଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅପରାହ୍ନରେ ଘରଭିତରକୁ ଅଭିଯୁକ୍ତ ମାମୁ ଆସି ତାଙ୍କୁ ବଳାତ୍କାର କରିଥିଲେ। ଘଟଣା ବିଷୟରେ କାହାକୁ ନ ଜଣାଇବାକୁ ସେ ତାଗିଦ କରିଥିଲେ। ଏହାପରେ ପୀଡିତା ଜଣକ ଘଟଣା ସମ୍ପର୍କରେ ନିଜ ଜେଜେ ମା’ଙ୍କୁ ଜଣାଇଥିଲେ। ଜେଜେ ମା’ ସଙ୍ଗେ ସଙ୍ଗେ ଫୋନ ଯୋଗେ ନିଜ ଝିଅଙ୍କୁ ଜଣାଇଥିଲେ। ଏହାପରେ ପୀଡିତାଙ୍କ ମା’ ପହଞ୍ଚିବାପରେ ଝିଅଠାରୁ ସମସ୍ତ କଥା ଶୁଣି ଗୁରୁବାର ଥାନାରେ ଅଭିଯୋଗ କରିଥିଲେ।

Dharitri – Odisha’s No.1 Odia Daily

Share