ବାଘ ଉପସ୍ଥିତି ନେଇ ଅନିଶ୍ଚିତତା: ସତର୍କ କରାଇଲା ବନ ବିଭାଗ, ଜଙ୍ଗଲରେ କ୍ୟାମେରା ଲଗାଇ…

ସମ୍ବଲପୁର,୨୭ା୧୧(ପ୍ରମୋଦ ବହିଦାର): ଦୁଇ-ତିନି ଦିନ ପୂର୍ବରୁ ହୀରାକୁଦ ଡ୍ୟାମ୍‌ ସାଇଟ୍‌ ନିକଟରେ କିଛି ପାଦଚିହ୍ନ (ପଗ ମାର୍କ) ମିଳିଥିବା ବେଳେ ଏନେଇ ବନ ବିଭାଗ ପକ୍ଷରୁ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରାଯାଇଛି। ତେବେ ଏଯାବତ୍‌ କୌଣସି ନିଶ୍ଚିତ ସୂଚନା ମିଳିପାରିନାହିଁ ବୋଲି ସମ୍ବଲପୁର ସଦର ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି। ଜଙ୍ଗଲ ଭିତରେ କ୍ୟାମେରା ଟ୍ରାପ୍‌ ଲଗାଯିବା ସହ ଅନ୍ୟ ସ୍ଥାନରୁ ମିଳୁଥିବା ସୂଚନା ଆଧାରରେ ବିଭିନ୍ନ ଅଞ୍ଚଳରେ କର୍ମଚାରୀ ମୁତୟନ କରାଯାଇ ଏହାର ପରିଚୟ ସ୍ପଷ୍ଟ କରିବାକୁ ଉଦ୍ୟମ ଚାଲିଛି।

ବୁର୍ଲା ନିକଟ ଚାନ୍ଦିଲି ଡୁଙ୍ଗୁରି ସମେତ ଆଖପାଖ ଅଞ୍ଚଳର ଚାଷୀ ଓ ସ୍ଥାନୀୟ ଲୋକଙ୍କ ପାଇଁ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲୋକମାନେ ଚାଷ ଜମି କିମ୍ବା କ୍ଷେତରେ କାମ କରିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସନ୍ଧ୍ୟା ସମୟରେ ଓ ରାତିରେ ଅନାବଶ୍ୟକ ଭାବେ ଉକ୍ତ ଅଞ୍ଚଳରେ ବୁଲାବୁଲି ନ କରିବା ଏବଂ ଭୋର ସମୟରେ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି।

ଅନ୍ୟପଟେ, ଜଣେ ବ୍ୟକ୍ତି ବାଘର ସମ୍ମୁଖୀନ ହୋଇଥିବା ନେଇ ପୂର୍ବଦିନ ଖବର ଆସିବା ପରେ ମାନେଶ୍ୱର ଅଞ୍ଚଳର ସୁରଡା ଅଞ୍ଚଳକୁ ପରିଦର୍ଶନ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଆଲୋଚନା କରାଯାଇଥିବା ଡିଏଫ୍‌ଓ କହିଛନ୍ତି। ତଥାପି ଏହା ରୟାଲ ବେଙ୍ଗଲ ଟାଇଗର ନା ଅନ୍ୟ କୌଣସି ବାଘ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଉକ୍ତ ଅଞ୍ଚଳରେ ଦୁଇଟି ଟିମ୍‌ ମୁତୟନ କରାଯାଇ ରାତି ଓ ଭୋର ସମୟରେ ଅନୁଧ୍ୟାନ କରାଯାଉଛି ଏବଂ ପୁଣିଥରେ କ୍ୟାମେରା ଟ୍ରାପ ଲଗାଯାଇଛି। ଚୂଡ଼ାନ୍ତ ନିଷ୍କର୍ଷ ନ ଆସିବା ପର୍ଯ୍ୟନ୍ତ କିଛି ସ୍ପଷ୍ଟ କୁହାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share