Categories: ଖେଳ

ଚେପକ୍‌ ପିଚ୍‌କୁ ନେଇ ଅନିଶ୍ଚିତତା

ଚେନ୍ନାଇ,୨୩ା୫(ପି.ଟି.): ଆଇପିଏଲ୍‌ର କ୍ୱାଲିଫାୟର୍‌-୧ରେ ମଙ୍ଗଳବାର ପରସ୍ପରକୁ ଭେଟିବେ ୪ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ଓ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ। ଏହା ସହିତ ଆଇପିଏଲର ଶ୍ରେଷ୍ଠ ରଣନୀତିକାର ମହେନ୍ଦ୍ର ସିଂ ଧୋନୀଙ୍କ ଯୋଜନା ଓ ଭାରତୀୟ କ୍ରିକେଟ୍‌ର ଯୁବରାଜ ଶୁବମନ ଗିଲ୍‌ଙ୍କ ଜବରଦସ୍ତ ଫର୍ମ ମଧ୍ୟରେ ଲଢେଇ ଦେଖିବାକୁ ମିଳିପାରେ। ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ତେବେ ଚେପକ୍‌ର ପିଚ୍‌କୁ ନେଇ ଲାଗି ରହିଛି ଅନିଶ୍ଚିତତା।ଏହି ପିଚ୍‌ କେଉଁଭଳି ବ୍ୟବହାର କରୁଛି ତାହାକୁ ନେଇ ଚେନ୍ନାଇ ଅନିଶ୍ଚିତତାରେ ରହିଥିବା ବେଳେ ଗୁଜରାଟ ଏଠାରେ ଚଳିତ ବର୍ଷ ଗୋଟିଏ ବି ମ୍ୟାଚ୍‌ ଖେଳି ନାହିଁ। ଅନ୍ୟ ପକ୍ଷରେ ଶୁବମନ ଗିଲ୍‌ ବର୍ତ୍ତମାନ ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଛନ୍ତି। କ୍ରମାଗତ ଦୁଇଟି ଶତକ ସହିତ ସେ ପ୍ଲେ ଅଫ୍‌ ଖେଳିବାକୁ ଆସୁଥିବାରୁ ତାଙ୍କୁ ରୋକିବା ପାଇଁ ଧୋନୀଙ୍କ ରଣନୀତି କଣ ରହିବ ତା ଉପରେ ସଭିଙ୍କ ନଜର ରହିବ। ଏହା ସହିତ ଉଭୟ ଦଳ ମଧ୍ୟରେ ଆଉ ଏକ ସମାନତା ହେଉଛି ଏହାର ମ୍ୟାନେଜମେଣ୍ଟ। ଚେନ୍ନାଇର ମ୍ୟାନେଜମେଣ୍ଟ ଯେମିତି କ୍ରିକେଟ ପଡିଆର ନିଷ୍ପତ୍ତିରେ ମୁଣ୍ଡ ଖେଳାଏ ନାହିଁ ଗୁଜରାଟରେ ମଧ୍ୟ ପରସ୍ଥିତି ସମାନ। କ୍ରିକେଟ ପଡିଆ ମଧ୍ୟର ନିଷ୍ପତ୍ତି ସର୍ବଦା ଆଶଷ ନେହେରା, ଗ୍ୟାରୀ କର୍ଷ୍ଟେନ୍‌ ଓ ବିକ୍ରମ ସୋଲାଙ୍କିଙ୍କ ହାତରେ ରହିଥାଏ।
ଚେପକ୍‌ ପିଚ୍‌ ଧୀମା ରହୁଥିବା ବେଳେ ଏହା ଗୁଜରାଟ ପାଇଁ ଅଧିକ ସମସ୍ୟା ସୃଷ୍ଟି କରପାରେ। ଅନ୍ୟ ପକ୍ଷରେ ପାଓ୍ବାର ପ୍ଲେରେ ଦୀପକ ଚହର ଓ ଡେଥ୍‌ ଓଭରରେ ମଥୀଷା ପଥିରାନା ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରି ପାରନ୍ତି। ମଥୀଷା ପଥିରାନା ଓ ମହୀଷ ଥିକ୍‌ସାନା ଶ୍ରୀଲଙ୍କା ପାଇଁ ଖେଳିଥିବାରୁ ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ଅଧିନାୟକ ଦାସୁନ୍‌ ସନକାଙ୍କ ସହାୟତା ନେଇ ପାରନ୍ତି। ସନକାଙ୍କୁ ଏହି ମ୍ୟାଚ୍‌ରେ ଅଲରାଉଣ୍ଡର ଭାବରେ ଖେଳାଇ ପାରେ ଗୁଜରାଟ। ସେହିପରି ଘରୋଇ ପରିବେଶକୁ ଭଲରେ ଜାଣିଥିବା ଆର. ସାଇ କିଶୋର ମଧ୍ୟ ଏହି ମ୍ୟାଚ୍‌ ଖେଳିପାରନ୍ତି। ସନକାଙ୍କ ସ୍ଥାନରେ ଜୋଶୁଆ ଲିଟଲ ଓ ୟଶ ଦୟାଲଙ୍କ ସ୍ଥାନରେ ସାଇ କିଶୋର ଖେଳି ପାରନ୍ତି। ଚେନ୍ନାଇ ଏହାର ଓପନିଙ୍ଗ ଯୋଡି ଡେଭନ୍‌ କନ୍‌ଓ୍ବେ ଓ ଋତୁରାଜ ଗାଏକ୍ୱାଡଙ୍କ ଉପରେ ଅଧିକ ନିର୍ଭର କରିବ। ଅଜିଙ୍କ୍ୟ ରାହାନେ ଓ ଶିବମ ଦୁବେଙ୍କ ବ୍ୟାଟରୁ କିଛି ବଡ ଶଟ୍‌ ଓ ଇନିଂସ ଦେଖିବାକୁ ମିଳିପାରେ। ଗୁଜରାଟର ବୋଲିଂ ମହମ୍ମଦ ଶାମି ଓ ରାଶିଦ୍‌ ଖାନଙ୍କ ଉପରେ ନିର୍ଭର କରିବ।

Share