ବରଗଡ଼,୧୯।୪(ପ୍ରେମାନନ୍ଦ ଖମାରୀ): ତାତି ବଢୁଛି। ଗୁଳୁଗୁଳି ବି ହେଉଛି। ସକାଳ ୯ଟାରୁ ତାତିର ପ୍ରକୋପ ବଢ଼ିବାରେ ଲାଗିଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲାଗି ରହିଛି। ଏହା ଅସହ୍ୟ ହୋଇ ପଡୁଥିବାରୁ ଜୀବନ ଦହଗଞ୍ଜ ହୋଇ ପଡ଼ିଛି। ବରଗଡ଼ ଜିଲାରେ ବର୍ତ୍ତମାନ ଏଭଳି ସ୍ଥିତି ପରିଲକ୍ଷିତ ହୋଇଛି। ଅନ୍ୟପଟେ ଆଗଭଳି ପଥପାର୍ଶ୍ୱରେ ପର୍ଯ୍ୟାପ୍ତ ଜଳଛତ୍ର ନ ଥିବାବେଳେ ରାସ୍ତାକଡ଼ରେ ଆଉ ସେଭଳି ବୃକ୍ଷରାଜି ନାହିଁ। ଫଳରେ ସହର ସମେତ ବିଭିନ୍ନ ସ୍ଥାନରେ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ତାତିର ପ୍ରକୋପ ଯୋଗୁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି। ଯଦିଓ କେହି ବାହାରିଲେ ଛତା କିମ୍ବା ମୁଣ୍ଡରେ ଗାମୁଛା, ଓଢ଼ଣିର ଆଶ୍ରୟ ନେଇଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥଳେ ଥଣ୍ଡା ପାନୀୟ ଲସି, ସରବତ୍ ସମେତ ତରଭୁଜ, କାକୁଡ଼ି, ପଇଡ଼ର ଚାହିଦା ବଢ଼ିଛି। ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ତାତିକୁ ବେଖାତିର୍ କରି ଲୋକେ ଫୁଟ୍ପାଥ୍ରେ ତାହା ବିକ୍ରି କରୁଥିବା ପରିଲକ୍ଷିତ ହୋଇଛି। ତାତିରୁ ମୁକ୍ତି ପାଇଁ ପଥଚାରୀମାନେ ତାହା କିଣୁଥିବା ଦେଖିବାକୁ ମିଳୁଛି।
ତାତି ଏଭଳି ବଢ଼ି ଚାଲିଛି ଯେ, ତାହା ଜନଜୀବନକୁ କଲବଲ କରି ପକାଉଛି। ବେଳେବେଳେ ବିଦ୍ୟୁତ୍ କାଟ୍ ଆହୁରି ଦହଗଞ୍ଜ କରି ପକାଉଛି। ଏଭଳି ସ୍ଥିତିରେ ଅଂଶୁଘାତ ଆଶଙ୍କା ମଧ୍ୟ ରହିଛି। ସ୍କୁଲ, କଲେଜ ଛାତ୍ରୀଛାତ୍ରଙ୍କୁ ମଧ୍ୟ ତାତିରୁ ନିସ୍ତାର ମିଳୁ ନାହିଁ। ସକାଳୁଆ ପାଠପଢ଼ା ହୋଇଛି ସତ, କିନ୍ତୁ ପୂର୍ବାହ୍ନ ୧୦ଟା ୩୦ ମିନିଟ୍ରେ ଛୁଟି ହେଉଛି। ସେତେବେଳେ ତାତିର ପ୍ରକୋପ ଅଧିକ ରହିଥିବାରୁ ସ୍କୁଲରୁ ଘରକୁ ପହଞ୍ଚିବା ଛାତ୍ରୀଛାତ୍ରଙ୍କ ପାଇଁ କାଠିକର ପାଠ ହୋଇପଡୁଛି।
ଏଭଳି ସ୍ଥିତିରେ ପଡ଼ୋଶୀ ଜିଲାରେ ଆସନ୍ତା କିଛିଦିନ ପାଇଁ ଜିଲାପାଳମାନେ ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି। କିନ୍ତୁ ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇ ନାହିଁ। ଏହାକୁ ନେଇ କେତେକ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରି କି ତାତି ସତ୍ତ୍ୱେ ଛୁଟି ଘୋଷଣା କରାଯାଇ ନ ଥିବାରୁ ସୋସିଆଲ ମିଡ଼ିଆରେ ପ୍ରଶାସନକୁ ସମାଲୋଚନା କରାଯାଉଥିବା ଦେଖିବାକୁ ମିଳିଛି।