ଋଣ ବୋଝ ଅସହ୍ୟ: ଚାଷୀଙ୍କ ଆତ୍ମହତ୍ୟା

ଛେଣ୍ଡିପଦା,୩ା୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସାପୋଇସାହିର ଯୁବ ଚାଷୀ ତ୍ରିନାଥ ପ୍ରଧାନ(୪୧) ଋଣ ଶୁଝି ନ ପାରି ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ବଡ଼ ବାପା ବୃନ୍ଦାବନ ପ୍ରଧାନ ଏ ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ସାପୋଇସାହିର ସ୍ବର୍ଗତ ବୈକୁଣ୍ଠ ପ୍ରଧାନଙ୍କ ପୁଅ ତ୍ରିନାଥ ଚାଷ ପାଇଁ ଲୋନ୍‌ରେ ପାଓ୍ବାରଟିଲର ଆଣିଥିଲେ। କୃଷି ଋଣ ଆଣି ଚାଷ କାର୍ଯ୍ୟରେ ଖର୍ଚ୍ଚ କରିଥିଲେ। କିନ୍ତୁ ଚାଷରେ ତାଙ୍କୁ ବହୁ କ୍ଷତି ସହିବାକୁ ପଡ଼ିଥିଲା।

ଫଳରେ ଋଣ କିପରି ଶୁଝିବେ ସେ ନେଇ ସେ ଚିନ୍ତିତ ହୋଇପଡ଼ିଥିଲେ। ଋଣ ଟଙ୍କା ପରିଶୋଧ କରିବା ପାଇଁ ମଧ୍ୟ ତାଙ୍କ ଉପରେ ଚାପ ପଡୁଥିଲା। ଏହାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହୁଥିଲା। ତେଣୁ ଋଣ ଭାର ସାହି ନ ପାରି ତ୍ରିନାଥ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। କିଛି ସମୟ ପରେ ପରିବାର ଲୋକ ଏହା ଦେଖି ତାଙ୍କୁ ତୁରନ୍ତ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତୁରନ୍ତ ମୃତ ଚାଷୀଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।