ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବତନ ସରପଞ୍ଚ ପୀତାମ୍ବର ଗୌଡ଼ଙ୍କ ନେତୃତ୍ୱରେ ଏକ ବିଶାଳ ପ୍ରତିନିଧି ମଣ୍ଡଳୀ ପୋଡ଼ାମାରିସ୍ଥିତ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି କନିଷ୍ଠ ଯନ୍ତ୍ରୀ ଇଂ. ସୁକୁମାର ରାୟଙ୍କ ସହ ଆଲୋଚନା କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଭୀଷ୍ମଗିରି ଗ୍ରାମରେ ଉଚ୍ଚ କ୍ଷମତାସମ୍ପନ୍ନ ସବ୍‌ଷ୍ଟେଶନ୍‌ ପ୍ରତିଷ୍ଠା କରାଯାଇଥିଲେ ହେଁ, ଗ୍ରାମ ପାଇଁ ସ୍ୱତନ୍ତ୍ର ଫିଡର୍‌ ବ୍ୟବସ୍ଥା ନାହିଁ। ଫଳରେ ଅନ୍ୟ ଅଞ୍ଚଳରେ କୌଣସି ଯାନ୍ତ୍ରିକ ତ୍ରୁଟି (ଫଲ୍ଟ) ଦେଖାଦେଲେ ଭୀଷ୍ମଗିରି ଗ୍ରାମର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଉଛି। ଏଥିସହ ପ୍ରତିଦିନ ସକାଳୁ ରାତି ପର୍ଯ୍ୟନ୍ତ ବାରମ୍ବାର ବିଦ୍ୟୁତ୍ କାଟ, ଲୋ-ଭୋଲ୍ଟେଜ୍‌, ତ୍ରୁଟିପୂର୍ଣ୍ଣ ମିଟର ଏବଂ ଭୁଲ୍ ବିଲ୍ ଆସୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମରାମତି ଓ ରକ୍ଷଣାବେକ୍ଷଣ ଆଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ କରାଯାଉଛି।

ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ସ୍ଥାନୀୟ ଡାକ୍ତରଖାନା, ବ୍ୟାଙ୍କ, କଲେଜ, ହାଇସ୍କୁଲ, ସରକାରୀ-ବେସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟୀ ପ୍ରଭାବିତ ହେଉଛନ୍ତି। ବିଶେଷ କରି ରୋଗୀ, ନବଜାତ ଶିଶୁ ଓ ବୃଦ୍ଧବୃଦ୍ଧାମାନେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଉପଭୋକ୍ତାମାନେ ନିୟମିତ ବିଲ୍ ପରିଶୋଧ କରୁଥିଲେ ହେଁ ସେବା ନାଁରେ କେବଳ ହଇରାଣ ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

 ଭୀଷ୍ମଗିରି ଗ୍ରାମକୁ ତୁରନ୍ତ ସ୍ୱତନ୍ତ୍ର ଫିଡର୍‌ ବ୍ୟବସ୍ଥା ସହ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଦେବାକୁ ଦାବି କରାଯାଇଛି। ରାଜ୍ୟରେ ଦୀର୍ଘ ୨୭ ବର୍ଷ ଧରି ବିଦ୍ୟୁତ୍ ସଂସ୍କାର ଚାଲିଥିଲେ ବି ସାଧାରଣ ଉପଭୋକ୍ତା ସୁଫଳ ପାଉନାହାନ୍ତି। ଶିଳ୍ପପତିଙ୍କୁ କୋଟି କୋଟି ଟଙ୍କାର ଟିକସ ଛାଡ଼ କରାଯାଉଥିବା ବେଳେ ସାଧାରଣ ନାଗରିକଙ୍କୁ ସବ୍‌ସିଡି ମିଳୁନାହିଁ। ଦିଲ୍ଲୀ ସରକାରଙ୍କ ଭଳି ଓଡ଼ିଶାରେ ମଧ୍ୟ ପ୍ରତି ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌‌ ଯୋଗାଇଦେବାକୁ ଦାବି ହୋଇଛି। ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ପୂର୍ବତନ ସରପଞ୍ଚ ପୀତାମ୍ବର ଗୌଡ଼ ଚେତାବନୀ ଦେଇଛନ୍ତି।

ଏହି ପ୍ରତିନିଧି ମଣ୍ଡଳୀରେ ୱାର୍ଡ ସଭ୍ୟ ବେଣୁମାଧବ ବକ୍ସି, ଭଗବାନ ରାଉତ, ପୂର୍ବତନ ୱାର୍ଡ ସଭ୍ୟ ସୂର୍ଯ୍ୟ ସାହୁ, ନୀଳାଞ୍ଚଳ ଗୌଡ଼, ଏ. ବାବୁ, ମାନସ ରଞ୍ଜନ ପଟ୍ଟନାୟକ, ଦେବାଶିଷ ପାତ୍ର, ଦୀପକ ବାଡ଼ତ୍ୟା, ଏମ୍. ଶଙ୍କର, କାହ୍ନା ଗୌଡ଼, ପ୍ରଶାନ୍ତ ମହାନ୍ତି, କୃଷ୍ଣଚନ୍ଦ୍ର ରଥ, ନାରାୟଣ ମିଶ୍ର, ସତ୍ୟବାନ ଗୌଡ଼ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share