ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ିରେ ଅଣସ୍ବୀକୃତିପ୍ରାପ୍ତ କର୍ମଚାରୀ

ଭଦ୍ରକ, ୨୧ା୧୨(ସନାତନ ରାଉତ)ଭଦ୍ରକ ଜିଲାକୁ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ମିଳିଥିବା ଭ୍ରାମ୍ୟମାଣ ଗାଡ଼ିରେ ଚିକିତ୍ସା ପାଇଁ ଅଣସ୍ବୀକୃତିପ୍ରାପ୍ତ କର୍ମଚାରୀ ଯାଇଥିବା ବେଳେ ଘଟଣାସ୍ଥଳରେ ହଟହଟା ହେବାକୁ ପଡ଼ିଛି। ସୋମବାର ଭଦ୍ରକ ସହର ଜାନୁଗଞ୍ଜରେ ଏଭଳି ଘଟଣା ଘଟିଥିବା ବେଳେ ମଙ୍ଗଳବାର ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଛି।
ଅନୁଯାୟୀ, ଜାନୁଗଞ୍ଜରେ ଏକ କୁକୁର ମୁଣ୍ଡରେ ଗଭୀର କ୍ଷତ ହୋଇଥିବାରୁ ଚିକିତ୍ସା ପାଇଁ ସ୍ଥାନୀୟ ଯୁବକ ରୁଦ୍ରନାରାୟଣ ସାମଲ ହେଲ୍ପ ଲାଇନ ନମ୍ବର ୧୯୬୨କୁ ଫୋନ୍‌ କଲ୍‌ କରିଥିଲେ। ପରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ି ସେଠାରେ ପହଞ୍ଚତ୍ଥିଲା। ଉକ୍ତ ଗାଡ଼ିରେ ଡ୍ରାଇଭରଙ୍କ ସହ ଆସିଥିବା ଅନ୍ୟ ଜଣେ ଯୁବକ କୁକୁରର ପ୍ରାଥମିକ ଚିକିତ୍ସା କରିବା ପାଇଁ କିଛି ସରଞ୍ଜାମ କିଣିବାକୁ କହିଥିଲେ। ସରଞ୍ଜାମ ଆଣିବା ପରେ ଚିକିତ୍ସା ତ ଦୂରର କଥା କୁକୁରକୁ ଛୁଇଁବାକୁ ସକ୍ଷମ ହୋଇ ନ ଥିଲେ। ଏହା ଦେଖି ସେ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ନୁହେଁ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। ତାଙ୍କୁ ପଚାରିବାରୁ ସେ ମଧ୍ୟ ସତ ମାନିଥିଲେ। ଡାକ୍ତରମାନେ ମିଟିଂରେ ଥିବାରୁ ତାଙ୍କୁ ପଠାଇଛନ୍ତି ବୋଲି କହିଥିଲେ। ସ୍ଥାନୀୟ ଲୋକେ ଏଥିରେ ଉତ୍‌କ୍ଷିପ୍ତ ହୋଇ କିଛି ସମୟ ଅଟକ ରଖି ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ଦୀର୍ଘ ସମୟ ପରେ ଜିଲା ପ୍ରାଣୀ ଚିକିତ୍ସା କେନ୍ଦ୍ରର ସହ ନିର୍ଦ୍ଦେଶକ ଡା. ଗଙ୍ଗାଧର ରାଉଳ ପହଞ୍ଚତ୍ କୁକୁରର ଚିକତ୍ସା କରିଥିଲେ। ତେବେ ଏହାକୁ ନେଇ ଡ୍ରାଇଭର ଓ ଉକ୍ତ ଯୁବକଙ୍କ ସହ ଡାକ୍ତରଙ୍କୁ ମଧ୍ୟ ହଟହଟା ହେବାକୁ ପଡ଼ିଥିଲା। ଏ ସମ୍ପର୍କରେ ଡା. ରାଉଳ କହିଛନ୍ତି, ଡାକ୍ତରମାନେ ମିଟିଂରେ ଥିଲେ। ପ୍ରାଥମିକ ସ୍ତରରେ କ’ଣ ହୋଇଛି, ଦେଖିବା ପାଇଁ ଡ୍ରାଇଭରଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ଗୁରୁତର ହୋଇଥିଲେ ଡାକ୍ତରଙ୍କୁ ଜଣାଇବାକୁ କୁହାଯାଇଥିଲା।
ପ୍ରଶ୍ନ ଉଠୁଛି, ସରକାରୀ ଖର୍ଚ୍ଚରେ ଏହି ଗାଡ଼ିରେ ତେଲ ପଡ଼ୁଥିବା ବେଳେ ଏଥିରେ ବିଭାଗୀୟ ଡାକ୍ତର କିମ୍ବା କର୍ମଚାରୀଙ୍କ ବଦଳରେ ବେସରକାରୀ ଲୋକ ଚିକିତ୍ସା ପାଇଁ କେମିତି ଯାଉଛନ୍ତି। ଏନେଇ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ହୃଷିକେଶ ବେହେରାଙ୍କୁ ପଚାରିବାରୁ ସେ ଟ୍ରେନିଂରେ ଭୁବନେଶ୍ୱରରେ ଅଛନ୍ତି, ଘଟଣା ବିଷୟରେ ଜାଣିନାହାନ୍ତି। ଏ ବିଷୟରେ ତଦନ୍ତ କରାଯିବ ବୋଲି କହିଛନ୍ତି।