କରଜଦାତାଙ୍କ ନିର୍ଯାତନା ସହି ନ ପାରି ମହିଳାଙ୍କ ଆତ୍ମହତ୍ୟା

ସୁନାବେଡ଼ା,୨୮ା୪: ଜଣେ ବ୍ୟକ୍ତି କରିଥିବା କରଜ ତାଙ୍କ ପରିବାର ପାଇଁ ଭାରି ପଡିଛି। ଏଥିପାଇଁ ତାଙ୍କ ସ୍ତ୍ରୀଙ୍କୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଡିଛି। ପୋଲିସ ପହଞ୍ଚତ୍ ତାଙ୍କ ମୃତଦେହ ଜବତ କରିଛି। କୋରାପୁଟ ଜିଲା ସୁନାବେଡା ଅଞ୍ଚଳରେ ମଙ୍ଗଳବାର ଏପରି ଦୁଃଖଦ ଘଟଣା ଘଟିଛି।
ଖବରରୁ ଜଣାପଡିଛି ସୁନାବେଡା ହାଲ ପରିସର ଏଚ୍‌ ଜୋନର ୬୧ ନମ୍ବର କ୍ୱାଟର୍ସରେ ରହୁଥିବା ଶ୍ରାବଣୀ ମଲ୍ଲିକ (୩୩) ଆତ୍ମହତ୍ୟା କରିଥିଲେ। ଏ ସମ୍ପର୍କରେ ସୁନାବେଡା ପୋଲିସ ଜାଣିବା ପରେ କ୍ୱାଟର୍ସରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଜବତ କରିଛି। ଏଥିସହ ତାଙ୍କ ନିକଟରୁ ପୋଲିସ ଏକ ସୁଇସାଇଡ ପାଇଛି। ଏଥିରେ ସେ କିଛି ବ୍ୟକ୍ତିଙ୍କ ନାମ ଉଲେଖ କରିଛନ୍ତି, ଯେଉଁମାନେ ତାଙ୍କୁ ଧାର ଟଙ୍କା ମାଗିବା ସହ ନିର୍ଯାତନା ଦେଉଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୨/୨୧) ରୁଜୁ କରି ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଶ୍ରାବଣୀଙ୍କ ସ୍ବାମୀ ୨ ମାସ ତଳେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ। ଶୁଣିବାକୁ ମିଳୁଛି ତାଙ୍କ ସ୍ବାମୀ କୁଆଡେ ବିଭିନ୍ନ ଲୋକଙ୍କଠାରୁ ଧାର ସୂତ୍ରରେ ଅର୍ଥ କରଜ କରିଥିଲେ। ସେ ଚାଲିଯିବା ପରେ କରଜଦାତାମାନେ ଶ୍ରାବଣୀଙ୍କୁ ଏହି ଅର୍ଥ ମାଗୁଥିଲେ। ଅର୍ଥାଭାବରୁ ସେ ଟଙ୍କା ଦେଇପାରୁ ନ ଥିଲେ।