ସ୍ବାମୀଙ୍କ ମୃତ୍ୟୁକୁ ସହି ନ ପାରି ଆତ୍ମହତ୍ୟା କଲେ ସ୍ତ୍ରୀ

ଜଗତ୍‌ସିଂହପୁର ଅଫିସ,୨ା୭: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଆଇସୋଲେଶନ୍‌ରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀଙ୍କ ମୃତ୍ୟୁ ଘଟିବା ପରେ ଏହାକୁ ସହି ନ ପାରି ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଏରସମା ଥାନା ପଲିକଣ୍ଟା ପଞ୍ଚାୟତ ଅନ୍ତର୍ଗତ କଟିଜଙ୍ଗାର ନିର୍ଲିପ୍ତ ଭୋଳ(୩୦)।
ସୂଚନା ମୁତାବକ, ନିର୍ଲିପ୍ତ ଓ ଶୁଭଦ୍ରାଙ୍କ ସହ ୪ ଦିନ ପୂର୍ବେ ତେଲେଙ୍ଗାନାରୁ ଫେରି ଏରସମା ପଞ୍ଚାୟତ କ୍ବାରାଣ୍ଟାଇନ୍‌ରେ ରହିଥିଲେ। ତେବେ ତେଲେଙ୍ଗାନାରୁ ଫେରିଲା ବେଳେ ନିର୍ଲିପ୍ତଙ୍କୁ ଥଣ୍ଡା, ଜ୍ୱର ହୋଇଥିଲା। ତେଣୁ ତାଙ୍କ ସ୍ବାବ୍‌ ପରୀକ୍ଷା କରାଯିବା ପରେ ରିପୋର୍ଟ ନେଗେଟିଭ୍‌ ଆସିଛି। ତେବେ ଶୁଭଦ୍ରାଙ୍କ ରିପୋର୍ଟ ଆସି ନାହିଁ। ହଠାତ୍‌ ଜୁନ୍‌ ୩୦ରେ ନିର୍ଲିପ୍ତ ଅଧିକ ଅସୁସ୍ଥ ହୋଇପଡିବାରୁ ଦମ୍ପତିଙ୍କୁ ଜଗତ୍‌ସିଂହପୁର ଅଣାଯାଇ ଚିକିତ୍ସା ପରେ ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ସ୍ମାରକୀ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସର କ୍ବାରାଣ୍ଟାଇନ୍‌ରେ ରଖାଯାଇଥିଲା। ୧ ତାରିଖ ରାତି ପ୍ରାୟ ୨ଟାରେ ନିର୍ଲିପ୍ତଙ୍କ ସ୍ବାସ୍ଥ୍ୟବସ୍ଥା ପୁଣି ବିଗିଡିଯିବାରୁ ତାଙ୍କ ସହ ଶୁଭଦ୍ରାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇ ଆଇସୋଲେଶନ୍‌ରେ ଚିକିତ୍ସା କରାଯାଇଥିଲା। ଗୁରୁବାର ଅପରାହ୍ନ ପ୍ରାୟ ୨ଟାରେ ନିର୍ଲିପ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ସହି ନ ପାରି ଶୁଭଦ୍ରା ମାନସିକ ଭାରସାମ୍ୟ ହରାଇ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ସହରର ଶତାଧିକ ଲୋକ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ରୁଣ୍ଡହୋଇ ତୀବ୍ର ପ୍ରତିକ୍ରିୟା କରିଛନ୍ତି। ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ଏସ୍‌ଡିପିଓ ପ୍ରିୟରଞ୍ଜନ ଶତପଥୀ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୁଖ ପହଞ୍ଚତ୍ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। ତେବେ ଛାତିରେ ଯନ୍ତ୍ରଣା କାରଣରୁ ନିର୍ଲିପ୍ତଙ୍କ ମୃତ୍ୟୁ ଘଟିଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି।