ଛତିଶଗଡ଼ରୁ ଅଭିଯୁକ୍ତ ଉମେଶ ସୁଧାକର ଗିରଫ

ଭୁବନେଶ୍ୱର,୩।୬(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରି ଥାନାଞ୍ଚଳରେ ଥିବା ଏକ ଘରୋଇ କଲେଜର ମହିଳା ଆସିଷ୍ଟାଣ୍ଟ୍‌ ପ୍ରଫେସରଙ୍କୁ ବଳାତ୍କାର ମାମଲାରେ ଫେରାର ଥିବା ଅଭିଯୁକ୍ତ ଉମେଶ ସୁଧାକର ଧରାପଡ଼ିଛନ୍ତି। ଖଣ୍ଡଗିରି ଥାନା ପୋଲିସର ଏକ ଟିମ୍‌ ବୁଧବାର ବିଳମ୍ବିତ ରାତିରେ ଛତିଶଗଡ଼ ରାୟପୁରରୁ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏହାପରେ ଉମେଶଙ୍କୁ ସ୍ଥାନୀୟ କୋର୍ଟରେ ଗୁରୁବାର ହାଜର କରାଯାଇଥିଲା। କୋର୍ଟଙ୍କ ଅନୁମତି ପରେ ପୋଲିସ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣୁଛି। ସେମାନେ ଶୁକ୍ରବାର କିମ୍ବା ଶନିବାର ଭୁବନେଶ୍ୱରରେ ପହଞ୍ଚତ୍ବେ ବୋଲି ଖଣ୍ଡଗିରି ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି।
ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଉମେଶ ଓ ପୀଡିତା ଆସିଷ୍ଟାଣ୍ଟ୍‌ ପ୍ରଫେସରଙ୍କ ଘର ଛତିଶଗଡ଼ରେ। ଉଭୟ ଗୋଟିଏ କଲେଜରେ ପଢୁଥିଲେ। ଯୁବତୀ ଜଣକ ଗତବର୍ଷ ମାର୍ଚ୍ଚରେ ଜାଗମରାସ୍ଥିତ ଏକ ଘରୋଇ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗଦେଇଥିଲେ। ଗତ ସେପ୍ଟେମ୍ବରରେ ଉମେଶ ଭୁବନେଶ୍ୱର ଆସି ଜାଗମରାସ୍ଥିତ ଏକ ହୋଟେଲକୁ ତାଙ୍କୁ ଡକାଇଥିଲେ। ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇ ତାଙ୍କୁ ବଳାତ୍କାର କରିବା ସହ ଭିଡିଓ ପ୍ରସ୍ତୁତ କରିଥିଲେ। ଏହାପରେ ଉକ୍ତ ଭିଡ଼ିଓକୁ ସୋସିଆଲ୍‌ ମିଡ଼ିଆରେ ଛାଡ଼ିଦେବାକୁ ଧମକ ଦେଇ ଯୁବତୀଙ୍କୁ ୩ରୁ ଅଧିକଥର ବଳାତ୍କାର କରିଥିଲେ। ଏଥିସହ ଉମେଶ ଏପରି ବ୍ଲାକ୍‌ମେଲ୍‌ କରି ତାଙ୍କଠାରୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନେଇଥିଲେ। ନିର୍ଯାତନା ଅସହ୍ୟ ହେବାରୁ ଆସିଷ୍ଟାଣ୍ଟ ପ୍ରଫେସର ଏନେଇ ଛତିଶଗଡ଼ କବୀରନଗର ଥାନାରେ ଅଭିଯୋଗ କରିଥିଲେ। ଅପରାଧର ଘଟଣାସ୍ଥଳ ଭୁବନେଶ୍ୱରରେ ହୋଇଥିବାରୁ ସେଠାକାର ପୋଲିସ ଜିରୋ ଏଫ୍‌ଆଇଆର୍‌ରେ ମାମଲା ରୁଜୁକରି କମିଶନରେଟ ପୋଲିସକୁ ଜଣାଇବା ସହ ମାମଲା ହସ୍ତାନ୍ତର କରି କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲା। ଖଣ୍ଡଗିରି ପୋଲିସ ମେ’ ୨୮ରେ ଆଇପିସିର ଦଫା ୩୭୬, ୩୮୪, ୫୦୬ରେ ଏକ ମାମଲା (ନଂ.୨୮୩/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତଙ୍କୁ ଧରିବାକୁ ଏକ ପୋଲିସ ଟିମ୍‌ ଛତିଶଗଡ଼ ଯାଇଥିଲା।