ଉମରକୋଟ ଏସ୍‌ଏନ୍‌ସିୟୁ ରାଜ୍ୟରେ ଶ୍ରେଷ୍ଠ

ଉମରକୋଟ,୨୯।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତ ଶିଶୁଙ୍କ ସ୍ବତନ୍ତ୍ର ଯତ୍ନ ନିମନ୍ତେ ରହିଥିବା ସ୍ପେଶିଆଲ ନ୍ୟୁ ବର୍ନ କେୟାର ୟୁନିଟ୍‌ (ଏସ୍‌ଏନ୍‌ସିୟୁ) ସମଗ୍ର ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଛି। ୧୫ଟି ଦିଗରେ ଉନ୍ନତ ପ୍ରଦର୍ଶନକୁ ନେଇ ପ୍ରସ୍ତୁତ ତାଲିକାରେ ଉମରକୋଟ ଶୀର୍ଷରେ ରହିଥିବା ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡ଼ିଛି। ଏହି ସମୀକ୍ଷା ୩ ମାସରେ ଥରେ ହେଉଥିବାବେଳେ ଗତଥର ଉମରକୋଟ ଦ୍ୱିତୀୟ ସ୍ଥାନରେ ରହିଥିଲା। ୨୦୧୪ରେ ଉମରକୋଟଠାରେ ଆରମ୍ଭ ହେଇଥିଲା ଏହି ଏସ୍‌ଏନ୍‌ସିୟୁ। ଉମରକୋଟ, ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ବ୍ଲକର ଶିଶୁ ଚିକିତ୍ସା ଲାଗି ଏଠାକୁ ଆସିଥାଆନ୍ତି। ସ୍ପେଶିଆଲ ନ୍ୟୁ ବର୍ନ କେୟାର ୟୁନିଟ୍‌ରେ ୧୨ ଶଯ୍ୟା ରହିଥିଲେ ହେଁ ଦୈନିକ ୨୦ରୁ ଊର୍ଦ୍ଧ୍ୱ ଶିଶୁ ଭର୍ତ୍ତି ହେଉଛନ୍ତି। ଜଣ୍ଡିସ୍‌, ଅଳ୍ପ ଓଜନ, ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଯାଉଥିବା ନବଜାତକଙ୍କୁ ଏଠାରେ ରଖି ଚିକିତ୍ସା କରାଯାଇଥାଏ। ଏଠାରେ ଶିଶୁଙ୍କ ପାଇଁ ଅମ୍ଳଜାନ, ୱାର୍ମର, ଫଟୋଥେରାପି ଆଦି ସମସ୍ତ ସୁବିଧା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିଭାଗରେ କଙ୍ଗାରୁ ମଦର କେୟାର ୟୁନିଟ୍‌ ମଧ୍ୟ ରହିଛି, ଯେଉଁଠାରେ ଥରକେ ୭ ମହିଳା ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବେ। ଏବେ ଏହି ଏସ୍‌ଏନ୍‌ସିୟୁରେ ୩ କରୋନା ସଂକ୍ରମିତ ଶିଶୁ ଚିକିତ୍ସାଧୀନ ଅଛନ୍ତି। ସ୍ବତନ୍ତ୍ର ପ୍ରକୋଷ୍ଠରେ ରଖାଯାଇ ସେମାନଙ୍କ ଚିକିତ୍ସା ଚାଲିଥିବା ବିଭାଗୀୟ ମୁଖ୍ୟ ତଥା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. ସନ୍ତୋଷ କୁମାର ପଣ୍ଡା କହିଛନ୍ତି। ଡାକ୍ତର ପଣ୍ଡା ଏବଂ ୧୦ ଷ୍ଟାଫ୍‌ନର୍ସଙ୍କ ନିଷ୍ଠାପର ସେବା ଲାଗି ଉପାନ୍ତ ଅଞ୍ଚଳର ଏହି ୟୁନିଟ ରାଜ୍ୟରେ ଆଦର୍ଶ ପାଲଟିଥିବା ବୁଦ୍ଧିଜୀବୀମାନେ କହିଛନ୍ତି।