ଛତାର କଥା

ଛତା! ସେ ରୋକି ନ ପାରେ ବର୍ଷା, କିନ୍ତୁ ଭିଜିବାକୁ ବି ଦିଏନା। ସେ କମ୍‌ ନ କରି ପାରେ ସୂର୍ଯ୍ୟର ଉତ୍ତାପ ହେଲେ ପ୍ରଦାନ କରେ ଛାୟା ଓ ଦିଏ କିଛିଟା ଶୀତଳତା। ସେଇଥିପାଇଁ ତ କାହିଁ କେଉଁ କାଳରୁ ଛତା ସାଜିଛି ମଣିଷର ଖରାବର୍ଷାର ସାଥୀ। ଖାଲି ସେତିକି ନୁହେଁ ଏଇ ଛତା କେବେ ସାଜିଛି ପ୍ରତିପତି ଓ ପ୍ରେମର ପ୍ରତୀକ ତ ଆଉ କେବେ ପୁଣି ହତିଆର। ଏଇ ଛତାର ଅନେକ କଥାକୁ ନେଇ ଏଥରର ପ୍ରଚ୍ଛଦ…

ଛତା, ଛତ୍ରୀ ବା ପାରାସୋଲ। ଇଂଲିଶରେ ଏହାକୁ ଅମ୍ବ୍ରେଲା କୁହାଯାଏ। ଏହି ଅମ୍ବ୍ରେଲା ଶବ୍ଦଟି ଲାଟିନ୍‌ ଶବ୍ଦ ‘ଅମ୍ବ୍ରା’ରୁ ଆନୀତ। ଯାହାର ଅର୍ଥ ହେଉଛି ଛାୟା ପ୍ରଦାନ କରିବା। ଛତାର ଉଦ୍ଭାବନ କେବେ, କେଉଁଠି ହୋଇଥିଲା ତା’ର ସଠିକ୍‌ ତଥ୍ୟ ନାହିଁ। ହେଲେ ବୈଜ୍ଞାନିକମାନେ କହନ୍ତି ଯେ, ମାନବ ସମାଜ ସୃଷ୍ଟି ହେବାପରଠାରୁ ଏହାର ବ୍ୟବହାର ହୋଇଆସୁଛି। ପ୍ରଥମେ ପ୍ରାକୃତିକ ଉପାଦାନ ଯେମିତିକି ବଡ଼ବଡ଼ ପତ୍ରକୁ ଛତାଭାବେ ବ୍ୟବହାର କରାଯାଉଥିଲା। ତେବେ ପ୍ରଥମ ଛତା ୩୦୦୦ ବର୍ଷ ପୂର୍ବେ ଇଜିପ୍ଟ ଓ ଅସିରିୟାରେ ବ୍ୟବହାର ହୋଇଥିବାର ପ୍ରମାଣ ମିଳିଛି। ଇଜିପ୍ଟର ଛତାକୁ କାଠର ଢାଞ୍ଚାରେ ତିଆରି କରାଯାଉଥିବାବେଳେ ଖରା ବର୍ଷାରୁ ସୁରକ୍ଷା ଦେଉଥିବା ବକ୍ରାକାର ବା ଅର୍ଦ୍ଧ ଗୋଲାକାର ଅଂଶ ତାଳପତ୍ରରେ ତିଆରି କରାଯାଉଥିଲା। ପ୍ରଥମେ ଏହାକୁ ରାଜା, ମହାରାଜା, ରାଣୀ, ଧର୍ମଯାଜକ ବ୍ୟବହାର କରୁଥିଲେ। ଏହାକୁ ସମ୍ପତ୍ତି ଓ ପ୍ରତିପତିର ପ୍ରତୀକଭାବେ ଗଣନା କରାଯାଉଥିଲା। ସେତେବେଳେ ଛତାକୁ କେବଳ ମହିଳାମାନେ ବ୍ୟବହାର କରୁଥିଲେ। ଯେଉଁ ମହିଳାଙ୍କ ଚର୍ମ ଛତାର ଛାଇ ତଳେ ରହି ଶେତା ପଡ଼ିଯାଉଥିଲା ତାଙ୍କୁ ଧନିକ ଓ ସମ୍ଭ୍ରାନ୍ତଭାବେ ଗଣନା କରାଯାଉଥିଲା। ଆଉ ଯଦି କୌଣସି ସେବକ ମାଲିକାଣୀଙ୍କ ପାଇଁ ଛତା ମୁଣ୍ଡାଇ ଧରୁଥିଲେ ତେବେ ତାହା ଅତି ସମ୍ମାନଜନକ ବୋଲି ବିବେଚନା କରାଯାଉଥିଲା। ତେବେ ଛତାକୁ ଏକ ଚାପ(ଆର୍କ) ଆକାରରେ ନିର୍ମାଣ କରିବା ପଛରେ ଏକ କିମ୍ବଦନ୍ତୀ ଅଛି। ଇଜିପ୍ଟବାସୀଙ୍କ ବିଶ୍ୱାସ ଅନୁସାରେ ନଟ୍‌ ହେଉଛନ୍ତି ସେମାନଙ୍କର ‘ଗଡେସ୍‌ ଅଫ୍‌ ଦ ସ୍କାଏ’ ବା ‘ଆକାଶ ଦେବୀ’। ନଟ୍‌ ଦେବୀଙ୍କ ଦିବ୍ୟ ଶରୀର ହେଉଛି ଆକାଶ। ସେ ପୃଥିବୀ ଦେବତା ଗେବ୍‌ଙ୍କୁ ନିଜ ଶରୀରକୁ ଧନୁ ପରି ବକ୍ରାକାର କରି ଘୋଡାଇ ରଖିଛନ୍ତି। ଆଉ ତାଙ୍କର କେବଳ ପାଦର ଅଙ୍ଗୁଳି ଏବଂ ହାତର ଅଙ୍ଗୁଳି ପୃଥିବୀକୁ ସ୍ପର୍ଶ କରୁଛି, ଯଦ୍ଦ୍ବାରା ତାଙ୍କ ଶରୀରକୁ ବହୁତ କଷ୍ଟ ହୁଏ। ଇଜିପ୍ଟବାସୀଙ୍କ ବିଶ୍ୱାସ ଥିଲା ଯେ, ଦେବୀଙ୍କ ଶରୀରର କଷ୍ଟ ଲାଘବ କରିବା ପାଇଁ ଛତାକୁ ଚାପାକୃତିରେ କରାଯାଇଛି। ଯେପରିକି ଦେବୀଙ୍କ ଶରୀର ଭଲ ଭାବରେ ଏହା ଉପରେ ଆଶ୍ରୟ ନେଇପାରିବ। ତେବେ ଇଜିପ୍ଟରେ ପ୍ରଥମେ ଛତାର ବ୍ୟବହାର ହୋଇଥିଲେ ହେଁ ଚାଇନାକୁ ଆଧୁନିକ ଛତାର ଜନକ ବୋଲି ସ୍ବୀକାର କରାଯାଏ। ଅନେକ ଥାକ ଥିବା ଛତା ବା ମଲ୍ଟି ଟାୟର୍‌ଡ ଛତା ପ୍ରଭାବଶାଳୀ ଲୋକ ବ୍ୟବହାର କରୁଥିଲେ। ଚାଇନା ସମ୍ରାଟଙ୍କ ପାଇଁ ୪ ଥାକ ବିଶିଷ୍ଟ ବଡ଼ ଛତା ବ୍ୟବହାର କରାଯାଉଥିଲା। ଏହି ପ୍ରଥା ପ୍ରସାରିତ ହୋଇ ସିଆମ ଓ ବର୍ମାରେ ବି ଛତା ୮ରୁ ୨୪ ଥାକ ବିଶିଷ୍ଟ ବ୍ୟବହାର ହେଉଥିଲା।
ଭାରତୀୟ ପୌରାଣିକ କଥାରେ ଛତା: ମହାଭାରତରେ ଛତାକୁ ନେଇ ଏକ ରୋଚକ କଥା ରହିଛି। ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ବାପା ଜମଦଗ୍ନି ସପ୍ତଋଷୀ ମଧ୍ୟରେ ଜଣେ ଥିଲେ। ତା’ସହ ସେ ଜଣେ ମହାନ୍‌ ଧନୁର୍ଦ୍ଧର ବି ଥିଲେ। ସେ ଯେବେବି ଧନୁରୁ ତୀର ନିକ୍ଷେପ କରୁଥିଲେ ତାଙ୍କ ପତ୍ନୀ ରେଣୁକା ତାକୁ ସଙ୍ଗେ ସଙ୍ଗେ ସେହି ସ୍ଥାନରୁ ଆଣି ସ୍ବାମୀଙ୍କୁ ପ୍ରଦାନ କରୁଥିଲେ। କିନ୍ତୁ ଦିନକର କଥା ଜମଦାଗ୍ନିଙ୍କ ତୀରକୁ ଆଣିବା ପାଇଁ ରେଣୁକାଙ୍କୁ ପୂରା ଦିନ ଲାଗିଯାଇଥିଲା। ଆଉ ସେ ତୀର ଧରି ଆସିବା ପରେ ସ୍ବାମୀଙ୍କୁ ତାଙ୍କ ବିଳମ୍ବର କାରଣ ସୂର୍ଯ୍ୟଙ୍କ ପ୍ରଚଣ୍ଡ ରୌଦ୍ର ତାପ ବୋଲି କହିଥିଲେ। ଜମଦାଗ୍ନୀ ଏହା ଶୁଣି ରାଗିଯାଇ ଏକ ତୀର ସୂର୍ଯ୍ୟଙ୍କୁ ନିକ୍ଷେପ କରିଥିଲେ। ସୂର୍ଯ୍ୟ ଏଥିରେ ଭୟଭୀତ ହୋଇ ଭୁଲ ମାଗିବା ସହ ସୂର୍ଯ୍ୟ କିରଣରୁ ରକ୍ଷା ପାଇବା ପାଇଁ ତାଙ୍କୁ ଛତା ଓ ଚନ୍ଦନ ପ୍ରଦାନ କରିଥିଲେ ବୋଲି ପ୍ରବାଦ ରହିଛି।
ତେବେ ଐତିହାସିକ ତଥ୍ୟ କହେ, ଭାରତରେ ଖ୍ରୀ.ପୂ. ୧୧୦୦ରେ ଛତା ବ୍ୟବହାର ହେଉଥିବା ପ୍ରମାଣ ରହିଛି। ସେତେବେଳେ ବଡ଼ବଡ଼ ଛତା ରାଜା ଓ ମହାରାଜାଙ୍କ ପାଇଁ ବ୍ୟବହାର କରାଯାଉଥିଲା। ଛତାକୁ ମୁଣ୍ଡେଇ ଧରିବା ପାଇଁ ସ୍ବତନ୍ତ୍ର ସେବକଙ୍କୁ ନିଯୁକ୍ତି ବି ଦିଆଯାଉଥିଲା। ଗ୍ରୀକ୍‌, ରୋମ୍‌ ସଭ୍ୟତାରେ ଛତା: ଖ୍ରୀ.ପୂ. ୫୦୦ ବେଳକୁ ଗ୍ରୀସ୍‌ରେ ଛତା ବ୍ୟବହାର ହେଉଥିବା ବିଶ୍ୱାସ କରାଯାଏ। ପ୍ରଥମେ ଏହାକୁ କେବଳ ମହିଳାମାନେ ବ୍ୟବହାର କରୁଥିଲେ। ଛତା ଥିଲା ମହିଳାଙ୍କର ଦାମୀ ଫ୍ୟାଶନ୍‌ ସାମଗ୍ରୀ। ପୁରାତନ ଗ୍ରୀସ୍‌ ସଭ୍ୟତାରେ ବିଭିନ୍ନ ପର୍ବପର୍ବାଣି ଏବଂ ଉତ୍ସବମାନଙ୍କରେ ଏକ ଚିକ୍‌ମିକ୍‌ ରଙ୍ଗ ବହନ କରୁଥିବା ଛତା ବ୍ୟବହାର କରାଯାଉଥିଲା। ଏତଦ୍‌ବ୍ୟତୀତ ଫସଲ ଅମଳର ଦେବୀ ଡିମିଟର ଏବଂ ପରନସଫୋନଙ୍କୁ କୃତଜ୍ଞତା ବା ପ୍ରାର୍ଥନା କଲାବେଳେ ଗ୍ରୀସ୍‌ବାସୀ ଏକ ଧଳାରଙ୍ଗର ଛତା ବ୍ୟବହାର କରୁଥିଲେ ବୋଲି ଇତିହାସରୁ ଜଣାପଡେ। ରୋମ୍‌ରେ ବି ଛତାକୁ ପ୍ରାୟ ମହିଳାମାନେ ହିଁ ବ୍ୟବହାର କରୁଥିଲେ। ଆଧୁନିକ ଛତାର ଡିଜାଇନ୍‌ ସହ ପୁରାତନ ଗ୍ରୀସ୍‌ ଓ ରୋମ୍‌ରେ ବ୍ୟବହାର ହେଉଥିବା ଛତାର ରହିଛି ଅନେକ ସାମଞ୍ଜସ୍ୟ।
ୟୁରୋପରେ ଛତା: ବିଶ୍ୱାସ କରାଯାଏ ଯେ, ସପ୍ତାଦଶ ଶତାବ୍ଦୀରେ ଇଂଲଣ୍ଡର ବିଶିଷ୍ଟ ଲେଖକ, ଭ୍ରମଣକାରୀ ଏବଂ ଚାଇନାର ଧର୍ମଯାଜକ, ଉଚ୍ଚପଦସ୍ଥ ଅଧିକାରୀଙ୍କ ମଧ୍ୟରେ ଉପହାର ଆଦାନପ୍ରଦାନ ମାଧ୍ୟମରେ
ଛତାର କ୍ରମ ବିକାଶ: ପ୍ରଥମ ଷ୍ଟିଲ ରିବ୍‌ ଥିବା ଛତା ୧୮୫୨ରେ ସାମୁଏଲ୍‌ ଫକ୍ସ ଓ ପ୍ରଥମ ଓ୍ବାର୍କିଂ ଫୋଲ୍ଡିଂ ଛତା ୧୯୬୯ରେ ବ୍ରାଡଫର୍ଡ ଫିଲିପ୍ସ ତିଆରି କରିଥିଲେ। ଆଫ୍ରିକା, ଇଜିପ୍ଟ, ଆସିରିୟାରେ ଜଳବାୟୁ ମରୁଭୂମି ପରି ଥିବାରୁ ସେମାନେ କେବେ ଓ୍ବାଟରପ୍ରୁଫ୍‌ ଛତାର ଆବଶ୍ୟକତା ଅନୁଭବ କରି ନ ଥିଲେ। ଆଉ ପ୍ରଥମ ଓ୍ବାଟରପ୍ରୁଫ ଛତା ପୁରାତନ ଚାଇନାରେ ୩୦୦୦ ବର୍ଷ ପୂର୍ବେ ଖ୍ରୀ.ପୂ. ଏକାଦଶ ଶତାବ୍ଦୀରେ ତିଆରି ହୋଇଥିଲା।
ଠାକୁରଙ୍କ ଛତା, ‘ଛତ୍ରୀ’: କେବଳ ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ଯେ, ସାଧାରଣ ଲୋକ ଛତାକୁ ବ୍ୟବହାର କରନ୍ତି ତାହା ନୁହେଁ। ଦେବତାଙ୍କ ବିଗ୍ରହ ଉପରେ ଭକ୍ତଟିଏ ଛତାକୁ ସମର୍ପଣ କରିଥାଏ। ଏଠାରେ ଛତା ଶବ୍ଦଟି ଛତ୍ରୀର ରୂପ ଧାରଣ କରେ। ଦେଉଳ ବା ମନ୍ଦିରରେ ସ୍ଥାପିତ ବିଗ୍ରହଙ୍କ ଠିକ୍‌ ଉପରେ ଛତ୍ରୀ ଥାଏ। ଏଠାରେ ଖରା ନ ଥାଏ କି ବର୍ଷା ନ ଥାଏ। କେବଳ ଭକ୍ତର ଅହେତୁକ ଭାବୋତ୍ସ୍ବାସ ପ୍ରକଟିତ ହୋଇଥାଏ।
ବିବାହ, ବ୍ରତଘରେ ଛତା: ବ୍ରତରେ ବ୍ରହ୍ମଚାରୀ ସାଜିଥିବା ବ୍ରାହ୍ମଣ ବାଳକ ତାଳପତ୍ରରେ ତିଆରି ଛତା ଧରି ଭିକ୍ଷା ମାଗେ। ବ୍ରତଘର ଛଡା ବିବାହରେ ଜ୍ୱାଇଁ ବରଣ ସମୟରେ ବି ଛତାର ଆବଶ୍ୟକତା ହୋଇଥାଏ। କାରଣ ବରଟି ସେତେବେଳେ ଦେବ ପୁରୁଷ।
ରାଜା ମହାରାଜାଙ୍କ ଛତା: ରାଜା ମହାରାଜାଙ୍କ ରଥ ବା ହାତୀ ଉପରେ ସ୍ବତନ୍ତ୍ର ପ୍ରକାରର ଛତା ଥାଏ। ଏହାର ନାମ ହେଉଛି ପାଟଛତା। ଏହା ରାଜା ମହାରାଜା ପ୍ରତିପତିକୁ ଦର୍ଶାଉଥିଲା।
କୃଷକର ସାଥୀ: ଖରା ହେଉ କି ବର୍ଷା କୃଷକ ନିଜ ଜମିରେ ମାଟି ସହ ମାଟି ହୋଇ ଖଟି ସୁନାର ଫସଲ ଅମଳ କରିଥାଏ। ଖରାଦିନର ପ୍ରଚଣ୍ଡ ରୌଦ୍ର ଓ ବର୍ଷାଦିନର ପ୍ରବଳ ବର୍ଷାରୁ ସେମାନଙ୍କୁ ସୁରକ୍ଷା ଦେଇଥାଏ ତାଳପତ୍ରରେ ତିଆରି ଏକପ୍ରକାର ଛତା। ଯାହା ଝାମ୍ପି ନାମରେ ବେଶ୍‌ ପରିଚିତ। ଏହାକୁ ଏଭଳି ତିଆରି କରାଯାଇଥାଏ ଯେ, ତାକୁ ହାତରେ ଧରିବାର ଆବଶ୍ୟକତା ନ ଥାଏ। ମୁଣ୍ଡରେ ତାହା ବେଶ୍‌ ଆରାମରେ ରହିଯାଏ।
ବୌଦ୍ଧଧର୍ମ ଓ ମହିମା ଧର୍ମରେ ଛତା:ଇଏତ ଗଲା ଭକ୍ତି ଓ ଭାବନାରେ ଛତାର ଇତିବୃତ୍ତି। ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀ ସନ୍ନ୍ୟାସୀ କହନ୍ତି, ‘ପରମ୍ପରାରେ ବି ଛତାର ଏକ ସମୃଦ୍ଧି ସ୍ଥାନଟିଏ ଅଛି। ବୌଦ୍ଧଧର୍ମରେ ଯେଉଁ ଆଠୋଟି ଚିହ୍ନକୁ ପବିତ୍ର ବୋଲି ମନେ କରାଯାଏ ତନ୍ମଧ୍ୟରେ ଛତାକୁ ମଧ୍ୟ ସାମିଲ କରାଯାଇଛି। ଏଠାରେ ଏହି ସାଙ୍କେତିକ ଚିହ୍ନର ଅର୍ଥ ହେଉଛି ସମସ୍ତ ପ୍ରକାରର ଯନ୍ତ୍ରଣାରୁ ମଣିଷକୁ ସୁରକ୍ଷା ପ୍ରଦାନ କରିବା। ଗୌତମ ବୁଦ୍ଧଙ୍କ ଜନ୍ମ ସମୟକୁ ଅବଲୋକନ କଲେ ତାଙ୍କ ଜନ୍ମବେଳେ ସ୍ବୟଂ ପ୍ରଜାପତି ଏକ ଶୁଭ୍ର ଛତ୍ରୀ ଧରିଥିଲେ ବୋଲି ଲୋକକଥା ରହିଛି।’ ସେହିଭଳି ମହିମା ଧର୍ମାବଲମ୍ବୀ ସାଧୁ ସନ୍ନ୍ୟାସୀଙ୍କର ଅନ୍ୟ ଏକ ପ୍ରଧାନ ବ୍ୟବହାର୍ଯ୍ୟ ବସ୍ତୁ ହେଉଛି ତାଳପତ୍ର ଛତା। ଏହା ତାଙ୍କୁ ରୌଦ୍ରତାପରୁ ରକ୍ଷା କରେ।
ପ୍ରେମ, ବର୍ଷା ଓ ଛତା: ବର୍ଷା ଏକ ରୋମାଣ୍ଟିକ୍‌ ଋତୁ। ଏଇ ଋତୁରେ କେବେ ପ୍ରେମର ଜୁଆର ଉଠେ ତ ଆଉ କେବେ ବିରହର ନିଆଁ ଜଳେ। ଆଉ ଛତା ଏଇ ଋତୁକୁ କରିଦିଏ ଆହୁରି ପ୍ରେମମୟ। ରିମ୍‌ ଝିମ୍‌ ବର୍ଷାରେ ଦୁଇ ପ୍ରେମୀ ଏକାଠି ଗୋଟିଏ ଛତା ତଳେ ବର୍ଷାର ଛିଟାରେ ଅଧା ଅଧା ଭିଜି ଯିବା ବେଶ୍‌ ରୋମାଣ୍ଟିକ୍‌ ଲାଗେ। ସେଥିପାଇଁ ତ ଚଳଚ୍ଚିତ୍ରରେ ବି ଏଇ ରୋମାଣ୍ଟିକ୍‌ ମୁହୂର୍ତ୍ତକୁ ଗୁରୁତ୍ୱ ଦିଆଯାଇଥାଏ। ପ୍ୟାର୍‌ ହୁଆ ଇକରାର୍‌ ହୁଆ ହୈ….ଏକ ଏଭର୍‌ ଗ୍ରୀନ୍‌ ରୋମାଣ୍ଟିକ୍‌ ଗୀତ। ବର୍ଷା ଭିଜା ରାତିରେ ଗୋଟିଏ ଛତା ତଳେ ରାଜ କପୁର ଓ ନର୍ଗିସ୍‌। କି ଚମତ୍କାର! ଆଜି ପର୍ଯ୍ୟନ୍ତ ଶ୍ରୀ ୪୨୦ ଚଳଚ୍ଚିତ୍ରର ଏହି ରୋମାଣ୍ଟିକ୍‌ ଗୀତ ସମସ୍ତଙ୍କ ହୃଦୟରେ ଘର କରି ରହିଛି। ୧୯୮୯ରେ ମୁକ୍ତି ଲାଭ କରିଥିଲା ‘ଚାଲବାଜ୍‌’ ଚଳଚ୍ଚିତ୍ର। ଉକ୍ତ ଚଳଚ୍ଚିତ୍ରର ‘ନା ଜାନେ କହଁା ସେ ଆୟି ହୈ…’ଗୀତଟି ହୋଇଥିଲା ସୁପରହିଟ୍‌। ଗୀତଟିର ଆରମ୍ଭ ଶ୍ରୀଦେବୀ ଓ ଛତାରୁ ହୋଇ ଶେଷ ପର୍ଯ୍ୟନ୍ତ ଛତାର ଥିଲା ସମାନ ସ୍କ୍ରିନ୍‌ ପ୍ରେଜେନ୍ସ। ସେହିଭଳି ୩ ଇଡିଅଟ୍‌ସ ଚଳଚ୍ଚିତ୍ରର ‘ଜୁବି ଡୁବି..’, ବଡିଗାର୍ଡ ଚଳଚ୍ଚିତ୍ରର ତେରୀ ମେରୀ ପ୍ରେମ କହାନୀ.., ଦିଲଓ୍ବାଲେ ଚଳଚ୍ଚିତ୍ରର ଜାନମ୍‌ ଜାନମ୍‌… ଗୀତରେ ବର୍ଷା, ଛତା ଓ ରୋମାନ୍ସର ଦୃଶ୍ୟ ଥିଲା ବେଶ୍‌ ଚମତ୍କାର। ଏହାବାଦ୍‌ ‘ଛତରୀ କା ଉଡନ ଖଟୋଲା.. ଗୀତଟି ୨୦୦୫ରେ ମୁକ୍ତଲାଭ କରିଥିବା ଦ ବ୍ଲୁ ଅମ୍ବ୍ରେଲା ଚଳଚ୍ଚିତ୍ରର ଅଟେ। ଉକ୍ତ ଚଳଚ୍ଚିତ୍ରଟି ତ ପୂରାପୂରି ଏକ ନୀଳ ଛତା ଉପରେ ପର୍ଯ୍ୟବସିତ ଥିଲା। ଚଳଚ୍ଚିତ୍ରଟି ରସ୍କିନ ବଣ୍ଡଙ୍କ ଉପନ୍ୟାସ ଦ ବ୍ଲୁ ଅମ୍ବ୍ରେଲାକୁ ନେଇ କରାଯାଇଥିଲା। ହଲିଉଡ୍‌ର ଅନେକ ଚଳଚ୍ଚିତ୍ରରେ ବି ଛତାକୁ ବେଶ୍‌ ଗୁରୁତ୍ୱ ଦିଆଯାଇଥିବା ନଜିର ରହିଛି।
ସବୁଠୁ ପୁରୁଣା ଛତା ଦୋକାନ: ମୁମ୍ବାଇ ପ୍ରିନ୍ସ ଷ୍ଟ୍ରିଟ୍‌୍‌ରେ ଅଛି ଭାରତର ସବୁଠୁ ପୁରୁଣା ଛତା ଦୋକାନ। ଦୋକାନର ନାମ ହେଉଛି ଇବ୍ରାହିମ କୁରିମ୍‌ ଆଣ୍ଡ ସନ୍ସ। ୧୮୬୦ ମସିହାରେ ଇବ୍ରାହିମ କୁରିମ୍‌ ପ୍ରଥମେ ଏକ ଛୋଟିଆ ଛତା ଦୋକାନ ବଜାର ଗେଟ୍‌ ଷ୍ଟ୍ରିଟ୍‌ରେ ଖୋଲିଥିଲେ। ଏହାର ବହୁ ବର୍ଷ ପରେ ଦୋକାନକୁ ପ୍ରିନ୍ସ ଷ୍ଟ୍ରିଟ୍‌କୁ ସ୍ଥାନାନ୍ତର କରିଥିଲେ। ପରେ ସେ ନିଜର ତିନି ପୁଅ ସହ ପାର୍ଟନର୍‌ଶିପ୍‌ରେ ୧୯୦୨ ମସିହାରେ ନ୍ୟାଶନାଲ ଅମ୍ବ୍ରେଲା ଫ୍ୟାକ୍ଟୋରି ଗଢିଥିଲେ। ଏହାପରେ ସେମାନେ ତା’ର ଶାଖା କାଲିକଟ୍‌ ମାଡ୍ରାସ୍‌ରେ ଖୋଲିଥିଲେ। ଏବେ ପ୍ରିନ୍ସ ଷ୍ଟ୍ରିଟ୍‌ରେ ଥିବା ଦୋକାନରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଛତା ମିଳୁଛି। ବଜାରରେ ବିଭିନ୍ନ ପ୍ରକାରର ଚାଇନା ଛତା ଉପଲବ୍ଧ ହେଉଥିଲେ ହେଁ ଆଜି ବି ଇବ୍ରାହିମ୍‌ଙ୍କ ଛତାର ଚାହିଦା କମିନି। ଏହାର ଲୋକପ୍ରିୟ ଛତା ଭିତରେ ରହିଛି ୫ ଫୋଲ୍ଡର ଛୋଟ ଛତା ତା’ସହ ୨୮ ଇଞ୍ଚର ବଡ଼ ଶେହନଶାହ ନାମକ ଛତା। ଗ୍ରାହକଙ୍କ ବିଶ୍ୱାସ ଯୋଗୁ ଏହି ଦୋକାନ ୧୫୭ ବର୍ଷ ଧରି ଚାଲି ଆସୁଛି।
ଅମ୍ବ୍ରେଲା ଷ୍ଟ୍ରିଟ୍‌: ଛତା କେବଳ ଯେ ଖରା ବର୍ଷାରୁ ରକ୍ଷାକରେ ତାହା ନୁହେଁ, ଆଜିକାଲି ଏହାକୁ ବିଭିନ୍ନ ପ୍ରକାରର ସାଜସଜ୍ଜା ପାଇଁ ମଧ୍ୟ ବ୍ୟବହାର କରାଯାଉଛି। ଏମିତିକି ପୃଥିତ୍ବୀର କିଛି ସ୍ଥାନର ଷ୍ଟ୍ରିଟ୍‌ ବା ଗଳିକୁ ଛତାରେ ସଜାଯାଇଛି, ଯାହାକି ଅମ୍ବ୍ରେଲା ଷ୍ଟ୍ରିଟ୍‌ ଭାବେ ପରିଚିତ। ଦୁଇ ପାର୍ଶ୍ୱରେ ଧାଡ଼ି ଧାଡ଼ି ହୋଇ ଘର ଥିବା ଗଳିର ମଧ୍ୟଭାଗର ବହୁ ଉଚ୍ଚତାରେ ଅନେକ ରଙ୍ଗବେରଙ୍ଗର ଛତାକୁ ଧାଡ଼ି ଧାଡ଼ି କରି ମାଳ ଭଳି ଟଙ୍ଗା ଯାଇ ଗଳିର ସୌନ୍ଦର୍ଯ୍ୟ ବଢ଼ାଯାଇଥାଏ। ପର୍ତ୍ତୁଗିଜ୍‌ର କଳାକାର ପାଟ୍ରିସିଆ କୁନ୍‌ହା ଅମ୍ବ୍ରେଲା ସ୍କାଏ ପ୍ରୋଜେକ୍ଟରେ ବିଭିନ୍ନ ସ୍ଥାନରେ ଅମ୍ବ୍ରେଲା ଷ୍ଟ୍ରିଟ୍‌ ତିଆରି କରିଛନ୍ତି। ଯେମିତିକି ପର୍ତ୍ତୁଗାଲର ଆଗୁଏଡା, ମରିସସ୍‌ର ପୋର୍ଟ ଲୁଇସ୍‌, ଫ୍ରାନ୍ସର ପ୍ୟାରିସ୍‌, ଗ୍ରୀସ୍‌ର ସାୟରସ୍‌, ତୁର୍କୀର ଇସ୍ତାନବୁଲ, ୟୁଏଇର ଦୁବାଇ, ରୋମାନିଆର ବୁକାରେଷ୍ଟ, ଆୟର୍ଲାଣ୍ଡର ଡବଲିନ୍‌, ପୋଲାଣ୍ଡର ଓ୍ବାରସ’, କଲମ୍ବିଆର କାର୍ଟାଜେନା, ପୁଏର୍ତୋରିକୋର, ସାନ ଜୁଆନ୍‌, ଆମେରିକାର ଫ୍ଲୋରିଡା, ମାଲେସିଆର ଇପୋହ, ସର୍ବିଆର ବେଲଗ୍ରେଡ୍‌, ଇଟାଲିର ସାର୍ଦିନିଆ, କାନାଡାର କ୍ୟୁବେକ୍‌। ଏହାବାଦ୍‌ ଆହୁରି ଅନେକ ସ୍ଥାନରେ ରଙ୍ଗିନ ଅମ୍ବ୍ରେଲା ଷ୍ଟ୍ରିଟ୍‌ ରହିଛି।
ଅମ୍ବ୍ରେଲା ମୁଭମେଣ୍ଟ: ୨୦୧୪, ସେପ୍ଟେମ୍ବର ୨୬ ହଂକଂରେ ଆରମ୍ଭ ହୋଇଥିଲା ଅମ୍ବ୍ରେଲା ମୁଭମେଣ୍ଟ। ଏହା ଏକ ରାଜନୈତିକ ଆନ୍ଦୋଳନ ଥିଲା। ସ୍ବଚ୍ଛ ନିର୍ବାଚନ ଦାବିରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ହଜାର ହଜାର ଆନ୍ଦୋଳନକାରୀଙ୍କ ଉପରେ ସେତେବେଳେ ପୋଲିସ୍‌ ପେପର୍‌ ସ୍ପ୍ରେ ବ୍ୟବହାର କରିଥିଲେ। ଆଉ ଆନ୍ଦୋଳନକାରୀମାନେ ଛତାକୁ ନିଜର ସୁରକ୍ଷା ଢାଲଭାବେ ବ୍ୟବହାର କରିଥିଲେ। ତେଣୁ ଏହି ଆନ୍ଦୋଳନ ସେତେବେଳେ ଅମ୍ବ୍ରେଲା ମୁଭମେଣ୍ଟ ଭାବେ ପରିଚିତ ହୋଇଥିଲା। ୧୫ ଡିସେମ୍ବରରେ ଆନ୍ଦୋଳନ ଶେଷ ହୋଇଥିଲା।
ହତ୍ୟା ପାଇଁ ଅସ୍ତ୍ର ସାଜିଥିଲା ଛତା: ୧୯୭୮ ମସିହାର କଥା। ଇଂଲଣ୍ଡର ଲଣ୍ଡନଠାରେ ବୁଲଗେରିଆର ସାମ୍ବାଦିକ ଜଓର୍ଜି ମାର୍କୋଭଙ୍କୁ ହତ୍ୟା କରିବା ପାଇଁ ବ୍ୟବହାର କରାଯାଇଥିଲା ଏକ ପ୍ରକାରର ପଏଜନ୍‌ ଟିପ୍ଡ ଛତା। ଏହି ଛତାର ଅଗ୍ରଭାଗରେ ବିଷ ରହିଥିଲା, ଯାହାକୁ ବେଶ୍‌ ଚତୁରତାର ସହ ତାଙ୍କ ଶରୀରରେ ଆଘାତ ଦେଇ ପ୍ରବେଶ କରାଯାଇ ହତ୍ୟା କରାଯାଇଥିଲା। ଚଳଚ୍ଚିତ୍ରର କାହାଣୀ ପରି ଲାଗିଲେ ବି ଏହା ଏକ ସତ ଘଟଣା। ପରବର୍ତ୍ତୀ ସମୟରେ ଏହି ଛତାରେ ଆଉ ଜଣେ ବୁଲଗେରୀୟ ସାମ୍ବାଦିକଙ୍କୁ ମାରିବା ପାଇଁ ମଧ୍ୟ ଚେଷ୍ଟା କରାଯାଇଥିଲା। ହେଲେ ତାହା ସଫଳ ହୋଇ ନ ଥିଲା।
ପ୍ରସିଦ୍ଧ ବ୍ୟକ୍ତିଙ୍କ ଛତା:
ରାଣୀ ଏଲିଜାବେଥ୍‌ଙ୍କ ଛତା: ରାଣୀ ଏଲିଜାବେଥ୍‌ ଏକ ପ୍ରକାରର ପାରଦର୍ଶୀ ତଥା ଟ୍ରାନ୍ସପରେଣ୍ଟ ଛତା ଦୀର୍ଘ ୧୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବ୍ୟବହାର କରୁଛନ୍ତି, ଯଦ୍ଦ୍ବାରା କି ସେ ସବୁକିଛି ଭଲରେ ଦେଖିପାରିବେ ଓ ତାଙ୍କୁ ସମସ୍ତେ ଭଲରେ ଦେଖିପାରିବେ। ତାଙ୍କ ଟ୍ରାନ୍ସପରେଣ୍ଟ ଛତାର ତଳ ଗୋଲେଇ ଭାଗରେ ରଙ୍ଗିନ ପଟିର ଧାର ଥାଏ,ଯାହାକି ତାଙ୍କ ପୋଷାକ ସହ ମ୍ୟାଚ୍‌ କରେ। ଏହି ଛତାକୁ ଫୁଲଟୋନ୍‌ ନାମକ ଛତା କମ୍ପାନୀ ତିଆରି କରେ। ଆଉ ରାଣୀ ଏଲିଜାବେଥ୍‌ଙ୍କର ପୋଷାକ ସହ ମ୍ୟାଚ୍‌ କରୁଥିବା ଏହିଭଳି ଅନେକ ଟ୍ରାନ୍ସପରେଣ୍ଟ ଛତା ରହିଛି।
ଉପରୋକ୍ତ ଛତା ସମ୍ବନ୍ଧୀୟ ରୋଚକ କଥାଗୁଡିକୁ ପଢିବା ପରେ ଜାଣି ପାରୁଥିବେ ସତରେ ଛତା ଆଦୌ ସାଧାରଣ ଜିନିଷଟିଏ ନୁହେଁ ବରଂ ଏ ବହୁତ ଖାସ୍‌।
-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?