ଉମରକୋଟ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ନବରଙ୍ଗପୁର/ଉମରକୋଟ,୨୩।୧(ବି.ପ୍ର./ସ୍ବ.ପ୍ର.) ନବରଙ୍ଗପୁର ଜିଲା ଉମରକେଟ ବ୍ଲକ ତାଲାପଦର ନାଗୀନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ (ବିଭାଜନ୨)ର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲଙ୍କୁ ନିଲମ୍ବନ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିଲମ୍ବନ ଆଦେଶ ଦେଇଛନ୍ତି। ଭୁବନେଶ୍ୱରରୁ ତଦନ୍ତ କରିବାକୁ ଆସିଥିବା ଇଆଇସି ଓ ପ୍ରଧାନମନ୍ତ୍ରୀ ଗ୍ରାମୋଦ୍ୟୋଗ ଯୋଜନା ଚିଫ୍‌ ଇଞ୍ଜିନିୟର ତାଙ୍କ ରିପୋର୍ଟ ସରକାରଙ୍କୁ ଦେଇଥିଲେ। ଏଥିରେ ନିର୍ବାହୀ ଯନ୍ତ୍ରୀ ସାମଲ କାର୍ଯ୍ୟରେ ଅବହେଳା କରିଥିବା ନେଇ ଉଲ୍ଲେଖ ଥିଲା। ଉକ୍ତ ରିପୋର୍ଟ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ ତାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ସୁନାବେଡା ସର୍କଲ କାର୍ଯ୍ୟାଳୟରେ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ରହିଛି। ଏହି ଘଟଣାରେ ସହକାରୀ ଯନ୍ତ୍ରୀ ଅସିତ ପାତ୍ର, କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ସାହୁ ଓ ଠିକାଦାର ଅସିତ୍‌ ବିଶ୍ୱାଳଙ୍କ ନାମରେ ନିର୍ବାହୀ ଯନ୍ତ୍ରୀ ଗତ ୧୧ ତାରିଖରେ ଏତଲା ଦେଇଥିଲେ। ନିର୍ବାହୀ ଯନ୍ତ୍ରୀ ମଧ୍ୟ ଏହି ଘଟଣାରେ ଦାୟୀ ବୋଲି ଲୋକେ ଅଭିଯୋଗ କରିଥିଲେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଥିଲା। ଏହି ଘଟଣାରେ ପୂର୍ବରୁ ଉମରକୋଟ ପୋଲିସ ସହକାରୀ ଯନ୍ତ୍ରୀଙ୍କୁ ଗିରଫ କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଫେରାର ରହିଛନ୍ତି।