୨୦ରୁ ଅକ୍ଟୋବର ୧୦ ମଧ୍ୟରେ ୟୁଜି, ପିଜି ପରୀକ୍ଷା

ଭୁବନେଶ୍ୱର,୪ା୯(ବ୍ୟୁରୋ): ରାଜ୍ୟରେ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ଆସନ୍ତା ୨୦ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ ମଧ୍ୟରେ ସରିବ। ଏନେଇ ୟୁଜିସି ଅନୁମତି ମିଳିବା ପରେ ଗୁରୁବାର ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସମସ୍ତ ଜିଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିବା ସହ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏସବୁ ପରୀକ୍ଷାର ସୁପରିଚାଳନା ପାଇଁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି ଯେ, ପ୍ରାୟ ୨ଲକ୍ଷ ଛାତ୍ରୀଛାତ୍ର ୟୁଜି ଓ ପିଜି ପରୀକ୍ଷା ଦେବେ। ପରୀକ୍ଷା ସମୟରେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ କୋଭିଡ୍‌ ମହାମାରୀର ସମସ୍ତ ନିରାପତ୍ତା ପ୍ରୋଟୋକଲ୍‌କୁ ପାଳନ କରିବେ। ଏଥିସହ ପରୀକ୍ଷା ଦିନଗୁଡ଼ିକରେ ଛାତ୍ରୀଛାତ୍ର ଓ କଲେଜ କର୍ମଚାରୀଙ୍କ ଯାତାୟାତରେ କିଛି ବି ସମସ୍ୟା ନ ହେବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଏଥିପାଇଁ ପୋଲିସ ଓ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେବା ଲାଗି ସଚିବ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ ବିନା ପରୀକ୍ଷାରେ କୌଣସି ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ କରିପାରିବେ ନାହିଁ ଓ ସେପ୍ଟେମ୍ବର ୩୦ ସୁଦ୍ଧା ପରୀକ୍ଷା ଶେଷ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଚାହିଁଲେ ୟୁଜିସିକୁ ଅନୁରୋଧ କରି ଅଧିକ ସମୟ ନେଇ ପାରିବେ ବୋଲି ସର୍ବୋଚ୍ଚ କୋର୍ଟ ତାଙ୍କ ରାୟରେ କହିଥିଲେ। ସେହି ଆଧାରରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ପରୀକ୍ଷା ସମୟସୀମା ଘୁଞ୍ଚାଇବା ପାଇଁ ବୁଧବାର ୟୁଜିସିକୁ ଚିଠି ଲେଖିଥିଲେ। ସେପ୍ଟେମ୍ବର ୩୦ ପରିବର୍ତ୍ତେ ଅକ୍ଟୋବର ୧୦ ପର୍ଯ୍ୟନ୍ତ ପରୀକ୍ଷା ସମୟସୀମା ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ।